ଅଭିମନ୍ୟୁ ସାମନ୍ତସିଂହାର କଲେଜ ଅଧ୍ୟକ୍ଷଙ୍କ ନିଯୁକ୍ତି ଜାଲିଆତିର ପର୍ଦ୍ଦାଫାସ୍

କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚଶିକ୍ଷା ବିଭାଗ କମିଟିର ସୁପାରିଶ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରି କଲେଜ୍ ଅଧ୍ୟକ୍ଷ ସୁଧିର ରାଉତ ଏକ ସମୟରେ ଦୁଇ ସ୍ଥାନରେ ଚାକିରି କରିଥିବା ଗୁମର ଫିଟିଛି। ତଦନ୍ତକୁ ଭଣ୍ଡୁର କରିବା ପାଇଁ ଅଧ୍ୟକ୍ଷ ସୁଧିର ରାଉତ ଓ ତାଙ୍କ ଭାଇ ତଥା ମୁକ୍ତଦେବୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ରାଉତ କରିଥିବା ସମସ୍ତ ସୁଚିନ୍ତିତ ଷଡ଼ଯନ୍ତ୍ର ଫେଲ୍ ମାରିଛି। ସୁଧିର ରାଉତ ଜାଲିଆତି କରି ନିଯୁକ୍ତି ପାଇଥିବା ସାଂଘାତିକ ତଥ୍ୟ ଉଚ୍ଚଶିକ୍ଷା ବିଭାଗ ହାତରେ ଲାଗିଛି।

ମିଳିଥିବା ତଥ୍ୟ ଅନୁଯାୟୀ , ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରି କଲେଜର ଅଧ୍ୟକ୍ଷ ଶ୍ରୀ ରାଉତଙ୍କ ନିଯୁକ୍ତି ଜାଲିଆତି ଅଭିଯୋଗ ଉପରେ ତଦନ୍ତ କରୁଥିବା ଉଚ୍ଚଶିକ୍ଷା ବିଭାଗର ଏକ ଚାରିଜଣିଆ କମିଟି ତାଙ୍କ ଦରମା ବନ୍ଦ କରିବା ସହିତ କାହିଁକି ତାଙ୍କର ବ୍ଲକ୍ ଗ୍ରାଣ୍ଟ ପ୍ରତ୍ୟାହାର କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ସୁପାରିସ କରିଛନ୍ତି । କମିଟି ପକ୍ଷରୁ ଦର୍ଶାଯାଇଛି ଯେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଭୁବନେଶ୍ଵର କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ ୧୯୯୭ ରୁ ୨୦୦୮ ପର୍ଯ୍ୟନ୍ତ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟରେ କାର୍ଯ୍ୟରତ ସୁଧିର କୁମାର ରାଉତ ଯାଜପୁର ଜିଲ୍ଲା ସାହସପୁରର ବାସିନ୍ଦା। ସେ ମୟୂରଭଞ୍ଜ ଜିଲ୍ଲାର ନୁହନ୍ତି । ସେହିପରି ମୁକ୍ତଦେବୀ ସଂସ୍କୃତ ମହାବିଦ୍ୟାଳୟ ପରଚାଳନା କମିଟିର ତତ୍କାଳୀନ ସମ୍ପାଦକ ପ୍ରଫୁଲ୍ଲ ରାଉତ, ଅଧ୍ୟକ୍ଷ ଅଶୋକ କୁମାର ରାଉତ ମଧ୍ୟ ସାହାସପୁର ବାସିନ୍ଦା। ସୁଧିର ରାଉତ ଦାଖଲ କରିଥିବା ସତ୍ୟପାଠରେ ରହିଥିବା ହସ୍ତାକ୍ଷର, ଦସ୍ତଖତ ଓ ପୂର୍ବରୁ ମୁକ୍ତଦେବୀ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ହସ୍ତାକ୍ଷର, ଦସ୍ତଖତ ସମାନ ଏବଂ ଜଣେ ବ୍ୟକ୍ତିଙ୍କର। ଏଥି ସହିତ ଉଚ୍ଚଶିକ୍ଷା ବିଭାଗ ନିକଟରେ ରହିଥିବା ଅନ୍ୟ ସମସ୍ତ ଦସ୍ତାବିଜରୁ ଜଣାପଡିଛି ଯେ ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ୧୯୯୭ ରୁ ୨୦୦୮ ପର୍ଯ୍ୟନ୍ତ କାର୍ଯ୍ୟରତ ସୁଧିର ରାଉତ ଓ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟରେ ୧୯୯୨ ରୁ ଆଜି ଯାଏ କାର୍ଯ୍ୟ କରୁଥିବା ସୁଧର ରାଉତ ଜଣେ ବ୍ୟକ୍ତି । ଏସବୁକୁ ବିଚାରକୁ ନେଇ ସୁଧିର କୁମାର ରାଉତ ଜାଲିଆତି କରି ୨ଟି ନିଯୁକ୍ତି ହା‌‌ତେଇଛନ୍ତି ବୋଲି କମିଟି ତାର ରିପୋର୍ଟରେ ଦର୍ଶାଇଛି । ତେଣୁ ସୁଧିର ରାଉତଙ୍କ ଦରମା ବନ୍ଦ କରିବା ସହିତ କାହିଁକି ତାଙ୍କର ବ୍ଲକ୍‌ଗ୍ରାଣ୍ଟ୍ ପ୍ରତ୍ୟାହାର କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ସୁପାରିସ କରିଛି। ଜାଲିଆତି ଧରାପଡିବା ପରେ ଏହି କଲେଜରେ ଜାଲିଆତି କରି ନିଯୁକ୍ତି ପାଇଥିବା ଅନ୍ୟ କର୍ମଚାରୀ ମାନେ ଛାନିଆ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର