କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍‌ର ଦୁର୍ନୀତିକୁ ନେଇ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ଭୁବନେଶ୍ବରସ୍ଥିତ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଦୁଇ ଅଧିକାରୀ ଆଜି ପୂର୍ବାହ୍ନରେ ବ୍ୟାଙ୍କ୍‌ରେ ପହଞ୍ଚି ଖୋଳତାଡ଼ କରିଛନ୍ତି। ବ୍ୟାଙ୍କ୍‌ର ବାର୍ଷିକ ଆର୍ଥିକ କାରବାର ସଂପର୍କରେ ଯାଞ୍ଚ କରିବା ସହ ଋଣ ପ୍ରଦାନ ବେଳେ ଆରବିଆଇ ନିୟମ ପାଳନ ହୋଇଛି କି' ନାହିଁ, ସେ ସଂପର୍କିତ ଫାଇଲ୍‌ ଅନୁଧ୍ୟାନ କରୁଛନ୍ତି। ଆରବିଆଇ ଅଧିକାରୀଙ୍କ ଏପ୍ରକାର ଯାଂଚ କର୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ଅନ୍ୟପଟେ ଋଣ ପ୍ରଦାନରେ ହୋଇଥିବା ଆର୍ଥିକ ଅନିୟମିତତାକୁ ନେଇ କି'ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି, ତା’ ଉପରେ ସଭିଙ୍କ ନଜର ରହିଛି।

Advertisment

ଉଲ୍ଲେଖଯୋଗ୍ୟ, କେନ୍ଦ୍ରପଡ଼ା ଅର୍ବାନ୍‌ ବ୍ୟାଙ୍କ୍‌ରେ ବେଆଇନ ନିଯୁକ୍ତିଠୁ ନେଇ ଋଣ ପ୍ରଦାନରେ ଅନିୟମିତତା ଏବଂ ତିନି ଜଣ ନିର୍ଦେଶକଙ୍କ ପିଲାଙ୍କୁ ବେନିୟମ ଭାବେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା। ରାଜ୍ୟ କୋ-ଅପରେଟିଭ୍ ସୋସାଇଟିର ନିବନ୍ଧକଙ୍କ ନିର୍ଦେଶ କ୍ରମେ କଟକ ଡିଭିଜନ୍-୨ର ଡେପୁଟି ରେଜିଷ୍ଟ୍ରାର୍‌ ଡ. କୁଳମଣି ପାଢ଼ୀ ୨୦୧୯, ଅକ୍ଟୋବର ୨୯ତାରିଖରେ ତଦନ୍ତ କରି ବ୍ୟାପକ ଅନିୟମିତତାର ପ୍ରମାଣ ପାଇଥିଲେ। ଏ ନେଇ ଡ. ପାଢ଼ୀ ନିବନ୍ଧକଙ୍କୁ ରିପୋର୍ଟ ପ୍ରଦାନ ପୂର୍ବକ ବ୍ୟାଙ୍କ୍‌ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। 'ସମ୍ବାଦ'ରେ ଏହାକୁ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଆଜି ଆରବିଆଇ ସହକାରୀ ମହାପ୍ରବନ୍ଧକ ଆଲୋକ ରଂଜନ ରଣରାହୁଙ୍କ ସମେତ ଅନ୍ୟ ଜଣେ ସହକାରୀ ଅଧିକାର ଦିନ ପ୍ରାୟ ସାଢ଼େ ୧୧ଟାରେ ବ୍ୟାଙ୍କ୍‌ରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।

ସୂଚନା ଅନୁସ‌ାରେ, ଅଧିକାରୀ ବ୍ୟାଙ୍କ୍‌ର ବାର୍ଷିକ ଆର୍ଥିକ କାରବାରଠାରୁ ନେଇ ଋଣ ପ୍ରଦାନ ଏବଂ ଏନ୍‌ପିଏ ସ୍ଥିତି ସଂପର୍କରେ ଅଧିକାରୀ ଯାଂଚ କରୁଛନ୍ତି। ତେବେ ଆର୍‌ବିଆଇର ନିୟମାବଳୀକୁ ଉଲ୍ଲଂଘନ କରାଯାଇ କେତେକ କ୍ଷେତ୍ରରେ ଋଣ ପ୍ରଦାନ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।‌ ଅନ୍ୟପକ୍ଷରେ ଆରବିଆଇ ଅଧିକାରୀ କହିଛନ୍ତି ଯେ, ବ୍ୟାଙ୍କ୍‌ର ୨୦୧୮-୧୯ଆର୍ଥିକ ବର୍ଷର ଆର୍ଥିକ କାରବାର ସଂପର୍କରେ ଯାଞ୍ଚ କରାଯିବ। ବେଆଇନ ନିଯୁକ୍ତି ସମ୍ବନ୍ଧୀୟ ମାମଲା ବ୍ୟାଙ୍କ୍‌ ଯାଞ୍ଚ ପରିସରଭୁକ୍ତ ନୁହେଁ। ଏହା ସରକାରଙ୍କ ଅଧିକାର ଅନ୍ତର୍ଭୁକ୍ତ। ତେଣୁ ଆରବିଆଇ ନିୟମାବଳୀ ଅନୁଯାୟୀ ଆର୍ଥିକ କାରବାର ଓ ଋଣ ପ୍ରଦାନ କରାଯାଇଛି କି' ନାହିଁ, ତାହା ଯାଞ୍ଚ କରାଯିବ। ଏଥିରେ କୌଣସି ଆର୍ଥିକ ଅନିୟମିତତାର ପ୍ରମାଣ ମିଳିଲେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ଅଧିକାରୀ କହିଛନ୍ତି।