ଜମି କିଣାବିକାରେ ସରକାରଙ୍କୁ ଚୂନ: ମାଫିଆ ଲାଲେଲାଲ

ଜ‌େଳଶ୍ବର: ଜମି ଦଲାଲଙ୍କ ଭୂସ୍ବର୍ଗ ପାଲଟିଛି ଜ‌େଳଶ୍ବର। ସହରର ଯେଉଁଠିକୁ ଯିବେ ସବୁଠି ମାଳ ମାଳ ଜମି ଦଲାଲ ବୁଲୁଛନ୍ତି। ଜମି କିଣାବିକା ସମୟରେ ସରକାରୀ ନିୟମ ଉଲ୍ଲଂଘନ କରା ଯାଉଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଆଉ ଜମି ବିକ୍ରି କରୁଥିବା ମାଲିକ ଓ ଦଲାଲଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁ ଜମି ଦଲାଲି ଜ‌େଳଶ୍ବରରେ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ସବୁଠାରୁ ବଡ଼କଥା ଜ‌େଳଶ୍ବରର କିଛି ପ୍ରତିଷ୍ଠିତ ବ୍ୟବସାୟୀ ମଧ୍ୟ ଏବେ ଏହାକୁ ବ୍ୟବସାୟ କରି ନେଇଛନ୍ତି।

ଜ‌େଳଶ୍ବର ମ୍ୟୁନସିପାଲଟି ଅଧୀନରେ ଝାଡ଼େଶ୍ବରପୁର, ସେକବାଡ଼, ପଥରପୁରା, ପଞ୍ଚୁଘଣ୍ଟା, ଦେଉଳି ପଞ୍ଚୁଘଣ୍ଟା, ଶାସନବାଡ଼, ଶାନ୍ତିଆ, ଧାରାଷ୍ଟକ, ନନ୍ଦିକା, ଚୂଡ଼ାମଣିପୁର, ନହଞ୍ଜରା, ଅଲାଲପୁର, ଚକବିଷ୍ଣୁ ଓ ଭାଦା ଇତ୍ୟାଦି ରାଜସ୍ବ ଗାଁ ରହିଛି। ଉତ୍ତର ବାଲେଶ୍ବର ସମେତ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳବାସୀଙ୍କ ବିଭିନ୍ନ ପ୍ରଶାସନିକ ଓ ମୌଳିକ ଆବଶ୍ୟକତା ବା ସୁବିଧା ସୁଯୋଗ ଜ‌େଳଶ୍ବର ସହରରେ ଉପଲବ୍ଧ ହେଉଥିବାରୁ ସହର ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଫଳରେ ସହରର ଜନସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଯେଉଁଠି ଦିନେ ଧାନ କ୍ଷେତ, ପୋଖରୀ ଓ ଖୋଲା ପଡ଼ିଆ ଥିଲା ସେଠାରେ ଏବେ ସୁଉଚ୍ଚ ଅଟ୍ଟାଳିକା ନହେଲେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ମୁଣ୍ଡ ଟେକୁଛି।

ଦିନକୁ ଦିନ ସହର ମଧ୍ୟରେ ଓ ସହର ତଳି ଅଞ୍ଚଳର ଜମିର ଚାହିଦା ବୃଦ୍ଧି ପାଉଛି। ବିଶେଷ କରି ସହରର ମଧ୍ୟଭାଗରେ ରାସ୍ତା ପାର୍ଶ୍ବସ୍ଥ ଜମିର ଚାହିଦା ସାଧାରଣତଃ ଅଧିକ ଥିବାରୁ ଏହିସବୁ ଜମି ଉପରେ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଛି। ଏସବୁ ଜମି କିଣାବିକାର ଖବର ଯଦି ଏହି ଜମି ମାଫିଆଙ୍କ କାନରେ ପଡ଼ିଯାଉଛି ତାହେଲେ ସେମାନେ ଦିନରାତି ଏକାଠି କରି ଦେଉଛନ୍ତି। କ୍ରେତା ଓ ବିକ୍ରେତାଙ୍କୁ ସେମାନଙ୍କ ଜାଲରେ ଯେକୌଣସି ପ୍ରକାରେ ଫସାଇ ଜମି କିଣାବିକାରେ ମଧ୍ୟସ୍ଥି ସାଜୁଛନ୍ତି।

ଦଲାଲି ମାଧ୍ୟମରେ ମାଫିଆ ବା ଦଲାଲମାନେ ଉଭୟ କ୍ରେତା ଓ ବିକ୍ରେତାଙ୍କ ନିକଟରୁ ଚତୁରତାର ସହ ଅର୍ଥ ଦାବି କରୁଛନ୍ତି। ଗୋଟିଏ ପ୍ଲଟ କିଣା ବିକାରୁ ଏହି ଦଲାଲମାନଙ୍କ ପକେଟକୁ ସର୍ବନିମ୍ନ ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇ ୨ ଲକ୍ଷ ଟଙ୍କା ଯାଏ ଯାଉଛି। ବିଶେଷ କରି ସହର ମଧ୍ୟରେ ଥିବା ଝାଡ଼େଶ୍ବରପୁର, ସେକବାଡ଼, ପଞ୍ଚୁଘଣ୍ଟା, ଶାନ୍ତିଆ ଆଦି ମୌଜାରେ ଜମି କିଣାବିକା ହେଲେ ତ ଏହି ଦଲାଲମାନଙ୍କ କଚେ ପୁଅ ବାର। ଜମି କିଣାବିକାରେ ଦଲାଲମାନେ ମାଲେମାଲ ହେଉଥିବା ବେଳେ ସରକାର କିନ୍ତୁ ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। କାରଣ ଜମି କିଣାବିକା ସମୟରେ ଜମିର ପ୍ରକୃତ ମୂଲ୍ୟ ରେଜେଷ୍ଟ୍ରି ସମୟରେ ସରକାରୀ ନଥିପତ୍ରରେ ଉଲ୍ଲେଖ କରାଯାଉ ନାହିଁ। ଯଦ୍ବାରା ସରକାର ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି।

ଝାଡ଼େଶ୍ବରପୁର, ଦେଉଳି ପଞ୍ଚୁଘଣ୍ଟା, ଶାନ୍ତିଆ ଆଦି ମୌଜାରେ ଗୋଟିଏ ଗୋଟିଏ ଜମିର ଡେସିମିଲି ପିଛା ବିକ୍ରି ମୂଲ୍ୟ ୧୦ରୁ ୧୨ ଲକ୍ଷ ଟଙ୍କା ଥିବା ବେଳେ, ରେଜେଷ୍ଟ୍ରି ସମୟରେ କିନ୍ତୁ କମ ମୂଲ୍ୟ ଦର୍ଶାଯାଇ ରାଜସ୍ବ ଫାଙ୍କି ଦିଆଯାଉଛି। ଫଳରେ ସରକାର ଗୋଟିଏ ଗୋଟିଏ ଦଲିଲ ପିଛା ସର୍ବନିମ୍ନ ୫ ହଜାରରୁ ରୁ ୨ ଲକ୍ଷ ଟଙ୍କା ଯାଏ ରାଜସ୍ବ ହରାଉଛନ୍ତି। ଦେଖାଯାଇଛି ଜମି ଦଲାଲି କରୁଥିବା ମାଫିଆମାନେ ମାତ୍ର କିଛି ବର୍ଷ ମଧ୍ୟରେ କୋଟିପତି ହୋଇ ଯାଇଛନ୍ତି। ସେମାନଙ୍କ ଦେଖାଦେଖି ଜ‌େଳଶ୍ବରର କିଛି ବ୍ୟବସାୟୀ ଏବେ ଏହି ଜମି ବେପାର ରେ ଟଙ୍କା ଲଗାଇଛନ୍ତି। ଦଲାଲଙ୍କ ମାଧ୍ୟମରେ ଜମି କିଣିବା ସହ ପୁଣି ଅଧିକ ଦରରେ ବିକୁଛନ୍ତି। ଜମି କିଣାବିକାରେ ଦଲାଲି ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର