କରୋନା କାଳରେ ଚାକିରି ଠକେଇ; ଥାନାର ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

କୋରାପୁଟ: କରୋନା କାଳରେ କୋରାପୁଟ ଜିଲ୍ଲାରେ ମାତିଛନ୍ତି ଜାଲି ଚାକିରିଦାତା। ଧରାପଡିଯିବା ଭୟରେ ଜିଲ୍ଲାର ବଡବଡ ସହରକୁ ଛାଡି ଏବେ ସେମାନେ ଗାଁ ମୁହଁ। ଗାଁର ଶିକ୍ଷିତ ଯୁବକ ଯୁବତୀଙ୍କୁ ମୋହରା ବନାଇ ଲୁଟୁଛନ୍ତି ଟଙ୍କା। ଆଉ ଟଙ୍କା ଦେଇ ଭାଣ୍ଡିଆ ହେଉଛନ୍ତି କୋରାପୁଟ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ। ଏନଜିଓରେ ଚାକିରି କରାଇଦେବା ନେଇ ଜଣଙ୍କ ପିଛା ୪୦୦୦ରୁ ୫୦୦୦ ଟଙ୍କା ଠକି ନେଇଥିବା ନେଇ ଆଜି କୋରାପୁଟ ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ନନ୍ଦପୁର, ବୈପାରିଗୁଡା, ଲମତାପୁଟ ଅଞ୍ଚଳର ୭ଜଣ ଯୁବକଯୁବତୀ। ସେମାନେ ହେଲେ ହରି ପାଙ୍ଗି, ଶୁଶିଳା ପାଙ୍ଗୀ, ମନୋଜ ମୁଦୁଲି, ଖଗେଶ୍ବର ସାଗର, ଶାନ୍ତି ଚେଟ୍ଟି, ବନିତା ଚେଟ୍ଟି ଓ ରଶ୍ମିତା ଡମୁ। ପୁଲିସ ଏକ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ତନିଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ମୁତାବକ ତିନିଦିନ ତଳେ କୋରାପୁଟ ଅଞ୍ଚଳର ଜଣେ ଯୁବକ ନନ୍ଦପୁର ଅଞ୍ଚଳକୁ ଯାଇ ଏନଜିଓରେ ଚାକିରି କରାଇବାକୁ କିଛି ଯୁବକଯୁବତୀଙ୍କୁ ପ୍ରବର୍ତ୍ତାଇଥିଲେ। ବିଭିନ୍ନ ସୋସିଆଲ ମିଡିଆରେ ଏହି ଯୁବକଯୁବତୀ ଚାକିରି ବାହାରି ଥିବାନେଇ ପ୍ରଚାର କରିଥିଲେ। ଏହାପରେ ଅତିଥି ଭବନରେ ୨୦ରୁ ଅଧିକ ଯୁବକ ଯୁବତୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ସେହିଠାରେ କୋରାପୁଟର ପ୍ରତି ଜଣଙ୍କୁ ୪୦୦୦ଟଙ୍କା ମାଗିଥିଲେ କୋରାପୁଟ ଅଞ୍ଚଳର ତିନିଜଣ ଯୁବକ। ଏନେଇ ପୁଲିସ ବିଶେଷସୁତ୍ରରୁ ଖବର ପାଇ ଉକ୍ତ ତିନିଜଣଙ୍କୁ ଆଣି ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

 

ସମ୍ବନ୍ଧିତ ଖବର