ଟାଟା ମୋଟର୍ସ ଚାକିରି ଠକେଇ: ତଦନ୍ତ ତଦାରଖ ପାଇଁ ଆସିଲେ କ୍ରାଇମ୍ବ୍ରାଞ୍ଚ ଆଇଜି
ତୃତୀୟ ଦିନରେ କ୍ଷତିଗ୍ରସ୍ତଙ୍କୁ ଜେରା, ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ
ବ୍ରହ୍ମପୁର: ଅଭୟ ପାଠକ ପୁଅ ଆକାଶ ପାଠକ ଦ୍ବାରା ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ ଏଥିରେ ବିଧାୟକ ପ୍ରଦୀପ ପାଣିଗ୍ରହୀଙ୍କ ଲିଙ୍କ୍ ଘଟଣାର ତଦନ୍ତ ପ୍ରକ୍ରିୟା ତଦାରଖ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି କ୍ରାଇମ୍ବ୍ରାଞ୍ଚ୍ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା। ଠକେଇର ଶିକାର ହୋଇଥିବା ଜଣେ ପରେ ଜଣେ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାୟ କ୍ରମେ ଡକାଇ ଆଜି ଦିନ ତମାମ ପଚରାଉଚରା କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଥିବା ଆଇପିଏସ୍ ମେସ୍ରେ ଏହି ଜେରା ଚାଲିଛି। ଆଜି ମଧ୍ୟାହ୍ନରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଆଇପିିଏସ୍ ମେସ୍କୁୁ ଯାଇ ତଦନ୍ତ ଅଧିକାରୀଙ୍କ ସହିତ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ସଂଧ୍ୟାରେ ଆଇଜି ସିହ୍ନା ପହଞ୍ଚି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିଛନ୍ତି। ତଦନ୍ତକାରୀ ଟିମ୍ ହାତରେ ଠୋସ୍ ପ୍ରମାଣ ଲାଗିଥିବା ଜଣାପଡ଼ିଛି। ତେବେ କ୍ରାଇମ୍ବ୍ରାଞ୍ଚ୍ ଓ ଜିଲ୍ଲା ପୁଲିସ ମୁହଁ ଖୋଲୁ ନାହିଁ। ଆଜି ଖୋଦ୍ ଆଇଜି ଗଣମାଧ୍ୟମକୁ ସାମ୍ନା କରିଥିଲେ ହେଁ ସେମିତି କିଛି ଠୋସ୍ ତଥ୍ୟ ଦେଇ ନାହାନ୍ତି। ତଦନ୍ତରେ ବାଧା ଉପୁୁଜିବା ଆଶଙ୍କା ଦର୍ଶାଇ ସେ ସବିଶେଷ ତଥ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତିି।
ଆଇଜି ସିହ୍ନା କହିଛନ୍ତି, ଗତ ଦୁଇ ଦିନ ହେଲା କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଚାକିରି ନାଁରେ ଠକେଇ ଘଟଣାର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି। ଟାଟା ମୋଟର୍ସ ତରଫରୁ ଦିଆ ଯାଇଥିବା ଏତଲାକୁ ଆଧାର କରି ବିଭିନ୍ନ ଦିଗ ଉପରେ ଖୋଳତାଡ଼ ଜାରି ରଖିଛି। ସେ କହିଛନ୍ତି, ଟାଟା କମ୍ପାନିର ଅଭିଯୋଗ ଅନୁସାରେ, ସାଇବର୍ ଥାନାରେ ଆକାଶ ପାଠକଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚ୍ର ଏକ ସ୍ବତନ୍ତ୍ର ଟିମ୍ ପୁନେ ଯାଇଥିଲା। ଆଉ ଏକ ଟିମ୍ ବ୍ରହ୍ମପୁର ଆସି ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଘଟଣାର ତଦନ୍ତ କରୁଛି। ଏବେ ବିଭିନ୍ନ ଦିଗ ଉପରେ ତଦନ୍ତ ଜାରି ରହିଛି। ବିଭିନ୍ନ ଲୋକଙ୍କୁ ଡକାଯାଇ ସେମାନଙ୍କ ବୟାନ୍ ରେକର୍ଡ଼ କରାଯାଇଛି ବୋଲି ଆଇଜି ସିହ୍ନା କହିଛନ୍ତି। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ବିକାଶ ଦେହୁରୀଙ୍କ ନେତୃତ୍ବରେ ୩ଜଣ ଇନ୍ସ୍ପେକ୍ଟର୍, ୩ଜଣ ସବ୍ଇନ୍ସ୍ପେକ୍ଟର୍ ଏବଂ ଦୁଇଜଣ ଏଏସ୍ଆଇ ଘଟଣାର ତଦନ୍ତ କରୁଛନ୍ତି। ତାଙ୍କୁ ଗୋପାଳପୁର ଓ ବ୍ରହ୍ମପୁର ପୁଲିସ ସହଯୋଗ କରୁଛି।
ସେପଟେ ଚାକିରି ନାଁରେ ଠକେଇର ଶିକାର ହୋଇଥିବା ଯୁବକମାନେ ଭୟ ଓ ଚାପରେ ସିଧାସଳଖ ଆଗକୁ ଆସୁ ନଥିବା ଜଣାପଡ଼ିଛି। କିଛି ଯୁବକଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଚିହ୍ନଟ କରି ସେମାନଙ୍କ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି। କିଭଳି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କ ଠାରୁ ଟଙ୍କା ମଗା ଯାଇଥିଲା, ସେମାନେ କେତେ ଟଙ୍କା କାହା ଜରିଆରେ ପୈଠ କରିଛନ୍ତି, ଏ ସବୁ ଦିଗକୁ ନେଇ ଖୋଳତାଡ଼ ଜାରି ରହିଛି। ଆଜି ମଧ୍ୟ ଟାଟା ବସ୍ଥାପିତ କଲୋନି ଓ ରଂଗେଇଲୁଣ୍ଡା ବ୍ଲକ୍ର କିଛି ଯୁବକଙ୍କୁ କ୍ରାଇମ୍ବ୍ରାଞ୍ଚ୍ ପଚରାଉଚରା କରିଛି। ସେମାନଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମ୍ବ୍ରାଞ୍ଚ୍ ହାସଲ କରିଥିବା କୁୁହାଯାଉଛି।