ଅନୁଗୁଳ : ଶେଷରେ ପୁଲିସ ହାତକୁ ଯାଇଛି ନାସା ନାଁରେ ଠକେଇ ମାମଲା। ଜରୁରି ବୈଠକକୁ ଅପେକ୍ଷା ନ କରି ରାତାରାତି ସ୍କୁଲ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଲିଖିତ ଏତଲା ଦେଲା ପରେ ଅନୁଗୁଳ ଥାନା ପୁଲିସ କେସ୍ ନମ୍ବର ୧୦୦୦, ଆଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ବାସ୍ତବରେ ନାସା ନାଁରେ ଶୁଭ୍ରାଂଶୁଙ୍କ ସହ କଥାବାର୍ତ୍ତା ହେଉଥିଲା କିଏ? ଶୁଭ୍ରାଂଶୁଙ୍କ ପ୍ରକଳ୍ପ କାହା ପାଖକୁ ଯାଇଛି? ସେ ଯେଉଁ ନମ୍ବରରେ କଥା ହେଉଥିଲେ ତାହା କାହାର? ଏହା ପଛରେ କାହାର ହାତ ଅଛି ଏବଂ କେଉଁ ଉଦ୍ଦେଶ୍ୟରେ ଏମିତି କରାଗଲା? ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର କେବଳ ପୁଲିସ ତଦନ୍ତ ଉପରେ ନିର୍ଭର କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଅନୁଗୁଳ ସହର ହୁଲୁରିସିଂହା ଦୋଳମଣ୍ଡପ ସାହିର ବ୍ୟାଗ୍ ସିଲେଇ କାରିଗର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁ ନାୟକ ନିଜ ହାତରେ ରୋବୋଟିକ୍ ଡ୍ରୋନ ‘ମାଭିକ୍’ ତିଆରି କରିଥିଲେ। ତାକୁ ନାସାକୁ ପଠାଇଥିଲେ। ତା ପରେ ନାସା ନାଁରେ ଗାନ୍ଧୀମାର୍ଗ ସ୍ଥିତ ତାଙ୍କ ସ୍କୁଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମେଲ୍ ଆଇଡିରେ ଆମେରିକାକୁ ଡାକରା ଆସିଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା, ନଭେମ୍ବର ୨୮ରୁ ଜାନୁଆରି ୧୦ପର୍ଯ୍ୟନ୍ତ ଆମେରିକା ୱାଶିଂଟନ ଡିସିରେ ହେବାକୁ ଥିବା ନାସା ସ୍ପେସ୍ ସେଟଲମେଣ୍ଟ୍ କଣ୍ଟେଷ୍ଟ୍-୨୦୨୦ ଅନୁଷ୍ଠିତ ହେବ। ନାସାର ପ୍ଲାନେଟୋରି ସାଇନ୍ସ ଡିଭିଜନର ଡାଇରେକ୍ଟର ଜେମ୍ସ ଏଲ୍. ଗ୍ରୀନ୍ଙ୍କ ନାମରେ ଏହି ଚିଠି ଆସିଥିଲା।
କିନ୍ତୁ, ଚିଠିକୁ ପଢ଼ିଲେ ଏଥିରେ ଲିଖିତ ଭୁଲ୍ ଇଂରାଜୀ ଶବ୍ଦ ଠକେଇ ସନ୍ଦେହକୁ ବେଶି ଘନୀଭୂତ କରୁଛି। ନାସା ଭଳି ଏକ ବିଶ୍ବସ୍ତରୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ସାଧାରଣ ଇଂରାଜୀ ଶବ୍ଦ ଗୁଡ଼ିକର ବାରମ୍ବାର ଭୁଲ୍ ଲେଖିବ କେମିତି? ଦ୍ବିତୀୟତଃ ସନ୍ଦେହକୁ ଆସୁଛି ମେଲ୍ ଆଇଡି। ଶୁଭ୍ରାଂଶୁଙ୍କ କହିବା ମୁତାବକ, ନାସା ନାଁରେ ତାଙ୍କ ପାଖକୁ [email protected]ରେ ଚିଠି ଆସିଥିଲା। ନାସା ଭଳି ସଂସ୍ଥାର ନିଜସ୍ବ ମେଲ୍ ଛାଡ଼ି ଜି-ମେଲରେ ଚିଠି ପଠାଇବା ଘଟଣା ମଧ୍ୟ ଠକେଇ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରୁଛି। ଶୁଭ୍ରାଂଶୁ ଦେଖାଉଥିବା ଚିଠରେ ଦୁଇଟି ନମ୍ବର- ୬୬୧୨୭୬୩୪୪୯, ୬୫୦୬୦୪୪୭୮୯ ଉଲ୍ଲେଖ ରହିଛି। ଆମେରିକାରୁ ସୁରୁଖୁରୁରେ ଭାରତ ଫେରିବାର ଦାୟିତ୍ବ ମୁଣ୍ଡାଇବା ସହିତ କୌଣସି ଅସୁବିଧା ହେଲେ ଏହି ନମ୍ବରରେ କଥା ହେବାକୁ କୁହାଯାଇଛି। କିନ୍ତୁ, ଶୁଭ୍ରାଂଶୁ ଏହି ଦୁଇ ନମ୍ବର ଛାଡ଼ି (୨୦୨) ୨୩୮-୦୦୦୦ରେ ଜେମ୍ସ ଏଲ୍. ଗ୍ରୀନ୍ଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏମିତିକି ସପ୍ତାହକ ତଳେ ମଧ୍ୟ ଏହି ନମ୍ବରରେ ତାଙ୍କ ସହ କଥା ହୋଇ ଆମେରିକା ଯିବାକୁ କହିଥିଲେ। କିନ୍ତୁ, ବୈଦେଶିକ ମନ୍ତ୍ରାଳୟଠାରୁ ନାସ୍ତିସୂଚକ ବାଣୀ ଶୁଣିଲା ପରେ ଶୁଭ୍ରାଂଶୁଙ୍କ ସ୍ବପ୍ନରେ ଭଟ୍ଟା ପଡ଼ିଥିଲା। ଭିସା ମଧ୍ୟ ତିଆରି ହୋଇପାରିଲା ନାହିଁ। ଜେମ୍ସ ଏଲ୍. ଗ୍ରୀନ୍ଙ୍କ ସହ ଆଉ ସେ କଥା ହୋଇପାରିଲେ ନାହିଁ ବୋଲି ଶୁଭ୍ରାଂଶୁ କହୁଛନ୍ତି। ବାସ୍ତବରେ ଶୁଭ୍ରାଂଶୁ ଯାହାଙ୍କ ସହ କଥା ହେଉଥିଲେ, ସେ ବ୍ୟକ୍ତି ଜଣକ କିଏ? ଫୋନ ନମ୍ବର ଏବଂ ମେଲ୍ ଆଇଡିକୁ ଯାଞ୍ଚ କଲେ ସାଇବର ଠକେଇର ପର୍ଦ୍ଦାଫାଶ ହୋଇ ପାରିବ। ସେଥିପାଇଁ ପୁଲିସ ତଦନ୍ତ ଉପରେ ଆଶା ରହିଛି।