ଯୁକ୍ତ ଦୁଇ ଫର୍ମପୂରଣରେ ବିଦ୍ୟାର୍ଥୀଙ୍କୁ ଶୋଷଣ, ଧାର୍ଯ୍ୟ ଫି’ଠାରୁ ଅଧିକ ଆଦାୟ କରୁଛନ୍ତି ସେଲ୍ଫ ଫାଇନାନ୍ସିଂ କଲେଜ

ଅଧିକ ଫି’ ନ ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରାମର୍ଶ, ମାନ୍ୟତା ନ ଥିବା ୧୪୫ କଲେଜ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅନୁମତି

ଭୁବ‌ନେଶ୍ବର: ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ୨ ପରୀକ୍ଷା। ଏଥିପାଇଁ ଗତ ୧ ତାରିଖଠାରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି। ତେବ‌େ ରାଜ୍ୟର କେତେକ ସେଲ୍ଫ ଫାଇନା‌ନ୍ସିଂ କଲେଜ ଫର୍ମପୂରଣ ନାମରେ ଛାତ୍ରଛାତ୍ରୀଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି। ଧାର୍ଯ୍ୟ ଫି’ଠାରୁ ଅଧିକ ଆଦାୟ କରୁଛନ୍ତି। ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଫି’ ୫୨୦ ଟଙ୍କା ରଖାଯାଇଥିବା ବେଳେ କଲେଜ କର୍ତୃପକ୍ଷ ୬ଗୁଣାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି। କେଉଁଠି ୨୦୦୦ ଟଙ୍କା ନିଆଯାଉଛି ତ ଆଉ କେଉଁଠି ୩୪୦୦ ଟଙ୍କା ନିଆଯାଉଛି। ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ ଏଥିରେ ହସ୍ତ‌କ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଫି’ ୫୨୦ ଟଙ୍କା ରଖାଯାଇଛି। ଯେଉଁ ପରୀକ୍ଷାର୍ଥୀଙ୍କର ପ୍ରାକ୍ଟିକାଲ ପରୀକ୍ଷା ରହିଛି ସେମାନଙ୍କୁ ପ୍ରତି ପ୍ରାକ୍ଟିକାଲ ତଥା ପ୍ରୋଜେକ୍ଟ ପିଛା ୪୦ଟଙ୍କା ଲେଖାଏ ଅଧିକ ଦେବାକୁ ହେବ। ସବୁକୁ ହିସାବ କରାଗଲେ ଅତି ବେଶିରେ ୬୮୦ ଟଙ୍କା ହେବ। ତେବେ ଭୁବନେଶ୍ବର ସମେତ କଟକ, ବାଲେଶ୍ବର, ରାଉରକେଲା, ଅନୁଗୁଳ, ବଲାଙ୍ଗୀର, ସମ୍ବଲପୁର ଆଦି ସହରରେ ଥିବା କେତେକ ନାମକରା ସେଲ୍ଫ ଫାଇନାନ୍ସିଂ କଲେଜ ଧାର୍ଯ୍ୟ ଫି’ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି। ଏପରିକି ପ୍ରାକ୍ଟିକାଲରେ ଭଲ ମାର୍କ ଦେବା ଆଶାରେ ବି କେତେକ କଲେଜ କର୍ତୃପକ୍ଷ ଅଧିକ ଅର୍ଥ ନେଉଥିବା ଅଭିଯୋଗ ହୋଇଛି।

ବଡ଼ କଥା ହେଲା ଯେ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ବାବଦରେ ବି ଫର୍ମପୂରଣ ସମୟରେ ଫି’ ଆଦାୟ କରାଯାଉଛି। କିନ୍ତୁ ଏ ବାବଦରେ କୌଣସି ପ୍ରକାର ଫି’ ଦେବାର ନିୟମ ନାହିଁ। ନାମଲେଖା ସମୟରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ ବାବଦ ଅର୍ଥ ପ୍ରଦାନ କରିସାରିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ ଫର୍ମପୂରଣ ପାଇଁ ୫୨୦ ଟଙ୍କା‌ ଧାର୍ଯ୍ୟ ହୋଇଛି। କୌଣସି ବି କଲେଜ କର୍ତୃପକ୍ଷ ରେଗୁରାଲ ପରୀକ୍ଷାର୍ଥୀଙ୍କଠାରୁ ଧାର୍ଯ୍ୟ ଅର୍ଥଠାରୁ ଅଧିକ ନେଇପାରିବେ ନାହିଁ। ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ବିଷୟର ପରୀକ୍ଷା ଥିଲେ ପରୀକ୍ଷାର୍ଥୀଙ୍କୁ ପ୍ରତି ପେପର ପିଛା ଅଧିକ ୪୦ ଟଙ୍କା ଲେଖାଏ ଦେବାକୁ ପଡ଼ିବ। ଯଦି ରାଜ୍ୟର କୌଣସି ସ୍ଥାନରେ ଅଧିକ ଫି’ ଆଦାୟ କରାଯାଉଛି ତେବେ ପରୀକ୍ଷାର୍ଥୀମାନେ ପରିଷଦର ଦୃଷ୍ଟିକୁ ଆଣନ୍ତୁ। ସମ୍ପୃକ୍ତ କଲେଜ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଫର୍ମ ପୂରଣ ଚାଲିଥିବା ବେଳେ ଆଉ ଏକ ଘଟଣା ପଦାକୁ ଆସିଛି। ଏବେ ବି ୧୪୫ଟି ଯୁକ୍ତ୨ କଲେଜ ସ୍ଥାୟୀ ମାନ୍ୟତା ହାସଲ କରିନାହାନ୍ତି। ୧୧୫ଟି କଲେଜ କର୍ତୃପକ୍ଷ ମାନ୍ୟତା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରି ନ ଥିବା ବେଳେ ୧୯ଟି କଲେଜକୁ ସର୍ତ୍ତମୂଳକ ଭାବେ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ୧୧ଟି କଲେଜ ମାନ୍ୟତା ପାଇଁ ଆବେଦନ କରିନାହାନ୍ତି। ତେଣୁ ଉକ୍ତ କଲେଜଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏ ଦିଗରେ ପଦକ୍ଷେପ ନିଆଯାଇଛି। ଉକ୍ତ ୧୪୫ କଲେଜ ଛାତ୍ରଛାତ୍ରୀଙ୍କୁ ଅନୁମତି ଦେବାକୁ ନିର୍ଦେଶାଳୟ ପକ୍ଷରୁ ପରିଷଦକୁ କୁହାଯାଇଛି।

ସମ୍ବନ୍ଧିତ ଖବର