ପ୍ରଧାନମନ୍ତ୍ରୀ ଉଜ୍ଜଳା ମହାଦୁର୍ନୀତି, ବିଧବା ବି ବାଦ୍‌ ପଡ଼ିଲେନି

ରାଜନଗର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାର ସବୁ ଗାଁକୁ ମାଡ଼ିଛି ଦୁର୍ନୀତିର ଚେର। ଗରିବ ମହିଳାଙ୍କ ଅଜାଣତରେ ସେମାନଙ୍କ ନାଁରେ ଉଜ୍ଜଳା ଗ୍ୟାସ ସଂଯୋଗ ଲୁଟି ନିଆଯାଇଛି। ଏଥିରୁ ବିଧବା ବୃଦ୍ଧା ବି ବାଦ ପଡିନାହାନ୍ତି। ହଡ଼ପର ଶିକାର ମହିଳା ସେମାନଙ୍କ ଗ୍ୟାସ ସଂଯୋଗ ପାଇପାରୁନଥିବାରୁ ଏବେ ସମସ୍ୟାରେ ପଡ଼ିଛନ୍ତି। ରାଜନଗର ବ୍ଲକ ଗୁପ୍ତି ପଂଚାୟତ ଦେବେନ୍ଦ୍ରନାରାୟଣପୁର ଗାଁର ବିଧବା ବୃଦ୍ଧା ସାବିତ୍ରୀ ମଣ୍ଡଳ (୫୫ବର୍ଷ) ଦେଢବର୍ଷ ତଳେ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଚୂଲିଧୂଆଁ ଯୋଗୁଁ ଦେହ ଖରାପ ହୋଇଥିବା ଓ ଏଥିରୁ ଦୂରେଇ ରହିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଘରକୁ ଗ୍ୟାସ ସଂଯୋଗ ଆଣିବା ପାଇଁ ଗାଁର ଜନସେବା କେନ୍ଦ୍ରରେ ଇଣ୍ଡେନ ଗ୍ୟାସ ଦେଉଥିବା ବ୍ୟକ୍ତିଙ୍କୁ ଆଧାରକାର୍ଡ, ରାସନକାର୍ଡ, ବ୍ୟାଙ୍କପାସବୁକ, ଫଟୋ ସହିତ ଶହେ ଟଙ୍କା ଦେଇଥିଲେ। ମାତ୍ର ଦେଢ ବର୍ଷ ହେଲା ତାଙ୍କୁ ଗ୍ୟାସ ସଂଯୋଗ ମିଳୁ ନାହିଁ। ଫଳରେ ସାବିତ୍ରୀ ମାସେ ତଳେ କଣ୍ଡିରାସ୍ଥିତ ଅଭିନ୍ନସୁନ୍ଦର ଭାରତଗ୍ୟାସ ବିତରକଙ୍କ ନିକଟରେ ପହଁଚି ଗ୍ୟାସ ସଂଯୋଗ ପାଇଁ କାଗଜପତ୍ର ଦେଇଥିଲେ। ମାତ୍ର ସାବିତ୍ରୀଙ୍କ ନାଁ ପଂଜୀକରଣ ହେବା ପରେ ତାଙ୍କ ନାଁରେ ୧୪ମାସ ତଳୁ ଏମଏସରାଜନଗର ଇଣ୍ଡେନ ବିତରକ ଉଜ୍ଜଳା ଗ୍ୟାସ ସଂଯୋଗ ଉଠାଇନେଇଥିବା ଜଣା ପଡ଼ିଥିଲା। ଦେଢବର୍ଷ ତଳେ ଗ୍ୟାସ ସଂଯୋଗ ପାଇଁ କାଗଜପତ୍ର ଦେଇଥିବା ଗାଁର ଜନସେବା କେନ୍ଦ୍ରରେ ପହଁଚି ଏ ସଂପର୍କରେ ପଚାରିବା ସହ ତାଙ୍କ ନାଁରେ ଉଠିଥିବା ଗ୍ୟାସ ଦେବାପାଇଁ ସେ ଦାବି କରିଥିଲେ। ମାତ୍ର ଜନସେବା କେନ୍ଦ୍ରର ପରିଚାଳକ ତାଙ୍କ କଥା ନଶୁଣି ତାଙ୍କୁ ଫେରାଇ ଦେଇଥିଲେ ବୋଲି ସାବିତ୍ରୀ ଅଭିଯୋଗ କରିଛନ୍ତି। ବିତରକ ନିଲମ୍ବିତ ହୋଇଥିବାରୁ ସେ ବିତରକଙ୍କ ନିକଟକୁ ଯାଇପାରୁନାହାନ୍ତି। କେବଳ ସାବିତ୍ରୀ ନୁହନ୍ତି, ଗୁପ୍ତି ଓ ସାତଭାୟା ପଂଚାୟତର ଶତାଧିକ ମହିଳା ଏପରି ଠକେଇର ଶିକାର ହୋଇଛନ୍ତି। ଦେବେନ୍ଦ୍ରନାରାୟଣପୁର ଗାଁର ବନିତା ଜେନା, ପଦ୍ମାବତୀ ବାଇନି, ବଗପାଟିଆ ଗାଁର ଆଶାଲତା କୟାଲ, କୃଷ୍ଣପ୍ରିୟାପୁର ଗାଁର ହରିଦାସୀ ମିସ୍ତ୍ରୀ, ରାଜରାଜେଶ୍ୱରପୁର ଗାଁର ଦୁର୍ଗା ମାଝି, ସାତଭାୟାର ମୁଲତା ମଳିକ ପ୍ରମୁଖଙ୍କ ନାଁରେ ଉଜ୍ଜଳା ଗ୍ୟାସ ସଂଯୋଗ ଲୁଟି ନିଆଯାଇଛି। ଅନ୍ୟପଟେ ବିଭାଗୀୟ ଅଧିକାରୀମାନେ କେବଳ କଂପ୍ୟୁଟରରୁ ଦୁର୍ନୀତିର ତଥ୍ୟ ସଂଗ୍ରହ କରି ତଦନ୍ତ ସାରିଦେଇଥିବା ବେଳେ ହଡପର ଶିକାର ହୋଇଥିବା ପ୍ରକୃତ ହିତାଧିକାରୀ କିପରି ଗ୍ୟାସ ସଂଯୋଗ ପାଇବେ ସେ ନେଇ ପଦକ୍ଷେପ ନିଆ ଯାଉ ନଥିବାରୁ ସାଧାରଣରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର