କଟକ: ପୁରୀରେ ହୋଟେଲ୍ ବୁକିଂକୁ ନେଇ ହେଉଥିବା ବଡ଼ ଧରଣର ସାଇବର୍ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଗୋଟିଏ ରାଜ୍ୟ ବାହାରର ଜାଲ୍ ୱେବସାଇଟ୍‌କୁ ଚିହ୍ନଟ କରିଛି। ନିର୍ଦ୍ଦିଷ୍ଟ ଭାବେ ଏହି ଗୋଟିଏ ୱେବସାଇଟ୍‌ରେ ପୁରୀର ୩୦୪ଟି ହୋଟେଲ୍‌ର ବୁକିଂ ପାଇଁ ଲିଙ୍କ୍ ରହିଛି। ସାଇବର୍ ଅପରାଧୀ ଏଭଳି ଜାଲ୍‌ ୱେବସାଇଟ୍ ପ୍ରସ୍ତୁତ କରି ସମସ୍ତ ହୋଟେଲ୍ ନାଁରେ ଟଙ୍କା ଲୁଟ୍ କରିବା ଘଟଣାରେ ପ୍ରଥମ ଥର ପାଇଁ କ୍ରାଇମବ୍ରାଞ୍ଚ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜ୍ୟ ବାହାରୁ ଏହି ୱେବସାଇଟ୍ ଖୋଲାଯାଇଥିବାରୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ରାଜ୍ୟ ବାହାରକୁ ଯିବାକୁ ଯୋଜନା କରୁଛି।

Advertisment

ପୁରୀକୁ ଦୈନିକ ଲକ୍ଷାଧିକ ଭକ୍ତ ରାଜ୍ୟ ବାହାରୁ ଆସୁଥିବା ବେଳେ ହୋଟେଲ୍ ବ୍ୟବସାୟ ପୁରୀରେ ପ୍ରମୁଖ କାରବାର ହୋଇଛି। ତେଣୁ ହୋଟେଲ୍ ବ୍ୟବସାୟକୁ ମାଧ୍ୟମ କରି ସାଇବର୍ ଅପରାଧୀ ଏକ ଜାଲ୍ ୱେବସାଇଟ୍(https://www.hotelspuri.net/puri-hotel-puri.html) ପ୍ରସ୍ତୁତ କରିଛନ୍ତି। ୨୦୧୭-୧୮ ପରଠାରୁ ଏହି ୱେବସାଇଟ୍ ପ୍ରସ୍ତୁତ ହୋଇଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ୱେବସାଇଟରେ ୨ ତାରକା ହୋଟେଲ୍ ୪୩ଟି, ୩ ତାରକା ହୋଟେଲ୍ ୨୮ଟି, ୪ ତାରକା ହୋଟେଲ୍ ୬ଟି ଏବଂ ୫ ତାରକା ହୋଟେଲ୍ ଗୋଟିଏ ତାଲିକାଭୁକ୍ତ କରାଯାଇଛି। ସମସ୍ତ ହୋଟେଲକୁ ମିଶାଇ ୩୦୪ଟି ହୋଟେଲର ସମ୍ପୂର୍ଣ୍ଣ ତାଲିକା ଏହି ୱେବସାଇଟରେ ଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ଥିବା ପ୍ରତ୍ୟେକ ହୋଟେଲର ଯୋଗାଯୋଗ ନମ୍ବର (91.8191900012, +91.8191900069) ରହିଛି। ପ୍ରତ୍ୟେକ ହୋଟେଲର ଠିକଣାରେ ଡାକ ପିନ କୋଡ୍ ନମ୍ବର(752001) ସମାନ ରହିଥିବା ଦେଖିବାକୁ ମିଳିଛି। ୱେବସାଇଟର ଏବାଉଟ୍ ଅସ୍ (ଆମ ସମ୍ପର୍କରେ) ଏବଂ କଣ୍ଟାକ୍ଟ (ଯୋଗାଯୋଗ) ଅପସନ୍ କ୍ଲିକ୍ କଲେ କୌଣସି ତଥ୍ୟ ଆସୁନାହିଁ। ଏହି ୱେବସାଇଟ୍ ରାଜ୍ୟ ବାହାରୁ ଖୋଲାଯାଇଥିବା ବେଳେ ହୋଟେଲ୍ ବୁକିଂ କଲେ ଯେଉଁ ଅର୍ଥରାଶୀ ବ୍ୟାଙ୍କ ଆକାଉଣ୍ଟରେ ପୈଠ ହେଉଛି, ଉକ୍ତ ଟଙ୍କା ବି ରାଜ୍ୟ ବାହାରକୁ ଯାଉଛି। କ୍ରାଇମବ୍ରାଞ୍ଚ ଏହି ୱେବସାଇଟର ଆଇପି (ଇଣ୍ଟରନେଟ୍ ପ୍ରୋଟକଲ୍) ଠାବ କରିଛି।

ରାଜ୍ୟ ବାହାରର ଯାତ୍ରୀ ଯେତେବେଳେ ଅନଲାଇନରେ ଏହି ୱେବସାଇଟ୍ ମାଧ୍ୟମରେ ହୋଟେଲ୍ ରୁମ ବୁକ୍‌ କରୁଛନ୍ତି, ସେମାନଙ୍କୁ ଅନଲାଇନରେ ଏକ ରସିଦ ମିଳୁଛି। କିନ୍ତୁ ଯାତ୍ରୀ ଯେତେବେଳେ ଅନଲାଇନ୍ ରସିଦ ଧରି ପୁରୀର ସମ୍ପୃକ୍ତ ହୋଟେଲରେ ପହଞ୍ଚୁଛନ୍ତି ଏହା ନକଲି ବୋଲି ହୋଟେଲ କର୍ମଚାରୀଙ୍କଠାରୁ ଜାଣିବାକୁ ପାଉଛନ୍ତି। ଅନେକ ସମୟରେ ରାଜ୍ୟ ବାହାରର ଯାତ୍ରୀ ଥାନାରେ ଏତଲା ଦେଉ ନାହାନ୍ତି। ଯାହାକି ପୁଲିସକୁ ତଦନ୍ତ ପ୍ରକ୍ରିୟାରେ ସମସ୍ୟା ହେଉଛି। ସେଥିପାଇଁ ଗଲା ଜୁଲାଇ ୨୭ରେ ପ୍ରଥମ ମାମଲା (କେସ୍ ନଂ ୧୧) ଓ ୩୧ ତାରିଖରେ (କେସ୍ ନଂ ୧୩) ଦ୍ବିତୀୟ ମାମଲା କ୍ରାଇମବ୍ରାଞ୍ଚ ରୁଜୁ କରିଛି। ଦୁଇଟି ପ୍ରମୁଖ ହୋଟେଲ ନାଁରେ ସାଇବର୍ ଅପରାଧ ହୋଇଥିବା ସଂକ୍ରାନ୍ତରେ ହୋଟେଲ୍ କର୍ତ୍ତୃପକ୍ଷ ଏତଲା ଦେଇଥିଲେ। ସେହି ଆଧାରରେ ମାମଲା ରୁଜୁ ହୋଇଛି। ଏହା ସହିତ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଟେଲ୍ ଏବଂ ରେସ୍ତୁରାଁ ମାଲିକ ସଂଘକୁ ନେଇ ମଙ୍ଗଳବାର ଦିନ ଏକ ବୈଠକ ବସିଥିଲା। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କାର୍ଯ୍ୟକ୍ରମରେ ହୋଟେଲ୍ ଓ ରେସ୍ତୁରାଁ ମାଲିକଙ୍କୁ ଏଭଳି ଠକେଇ ଘଟଣାରେ ତୁରନ୍ତ ପୁଲିସକୁ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ହୋଟେଲ୍ ବ୍ୟବସାୟକୁ ନେଇ ବିଭିନ୍ନ ପ୍ରକାର ଠକେଇ ସମ୍ପର୍କିତ ବିସ୍ତୃତ ତଥ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

ଏହି ଠକେଇ ରୋକିବାକୁ ଉଭୟ ହୋଟେଲ୍ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତ କରାଯିବ। ହୋଟେଲ୍ ବ୍ୟବସାୟକୁ ନେଇ ହେଉଥିବା ସାଇବର୍ ଠକେଇ ଘଟଣାରେ ତୁରନ୍ତ ସୂଚନା ଯୋଗାଇ ଦେବେ। ଏହାଫଳରେ ସାଇବର ପୁଲିସ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇପାରିବ। କ୍ରାଇମବ୍ରାଞ୍ଚ ଏସଂପର୍କରେ ହୋଟେଲ୍ କର୍ମଚାରୀଙ୍କୁ ତାଲିମ ଦେବାକୁ ଯୋଜନା କରିଛି। ସାଇବର୍ ଠକଙ୍କ ଦ୍ବାରା ଠକେଇର ଶିକାର ହୋଇ ଜାଲ୍ ରସିଦ ସହିତ ହୋଟେଲକୁ ଆସୁଥିବା ଯାତ୍ରୀଙ୍କୁ ପ୍ରାଥମିକ ଭାବେ କିଭଳି ସହଯୋଗ ଦିଆଯାଇପାରିବ, ସେ ନେଇ ସେମାନଙ୍କୁ ତାଲିମ ଦିଆଯିବ। ଠକେଇର ଶିକାର ଯାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ନିଜ ପାଖରେ ରଖିବା ସହିତ ସାଇବର୍ ପୁଲିସକୁ ତୁରନ୍ତ ଏ ସମ୍ପର୍କରେ ଅବଗତ କରାଇବାକୁ ତାଲିମ ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।