ସର୍ବଶିକ୍ଷା ଅଭିଯାନ କେଳେଙ୍କାରୀ: ଶିକ୍ଷା ବିଭାଗରେ ବି କୋଟି କୋଟି ଟଙ୍କାର ଗୁପ୍ତ ଟେଣ୍ଡର

ଯାଜପୁର: ଯାଜପୁର ଜିଲ୍ଲାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଦୁର୍ନୀତି ନେଇ ଭିଜିଲାନ୍‌ସଠାରୁ ଆରମ୍ଭ କରି ଲୋକାୟୁକ୍ତ ପର୍ଯ୍ୟନ୍ତ ନିୟମିତ ଅଭିଯୋଗ ହେଉଛି। ସେହିପରି ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ନିର୍ମାଣ ଓ ବିକାଶ ପାଇଁ କାମ କରୁଥିବା ଜିଲ୍ଲା ସର୍ବଶିକ୍ଷା ଅଭିଯାନରେ ବ୍ୟାପକ କେଳେଙ୍କାରୀ ହେଉଥିବା ଭଳି ସାଂଘାତିକ ଅଭିଯୋଗ ଆସୁଛି। ସବୁ ନିୟମ କାନୁନ୍‌କୁ ଦଳି ମକଚି ଯାଜପୁର ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପ୍ରତି ବ୍ଲକ୍‌ରେ ଗୋଟିଏ ବଦଳରେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି। ନିର୍ମାଣ ବିଭାଗ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଭଳି ଏଠାରେ ମଧ୍ୟ କୋଟି କୋଟି ଟଙ୍କାର ଟେଣ୍ଡର କରା ନଯାଇ ଗୁପ୍ତ ଟେଣ୍ଡର ଜରିଆରେ କାମ ଚାଲିଛି। ଏମିତିକା ଘଟଣା ପଦାକୁ ଆସିବା ପରେ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି।

ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରେ ପ୍ରାୟ ୩୦ଟି ଆକାଉଣ୍ଟ ଖୋଲା ଯାଇଛି। ଆକାଉଣ୍ଟଗୁଡ଼ିକ ଆକ୍ସିସ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଖୋଲାଯାଇଛି। ଖଣିଜ ନ୍ୟାସ ପାଣ୍ଠି(ଡିଏମ୍‌ଏଫ୍‌) ପାଇଁ ମଧ୍ୟ ଦାନଗଦୀ ଓ ସୁକିନ୍ଦାରେ ଗୋଟିଏ ଗୋଟିଏ ଆକାଉଣ୍ଟ ଖୋଲା ଯାଇ କାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି। ଦୁଇଟି ଯାକ ଆକାଉଣ୍ଟ ଆକ୍ସିସ୍ ବ୍ୟାଙ୍କ୍‌ରେ ରହିଛି। ଏହି ଆକାଉଣ୍ଟକୁ ଜଣେ ସିନିଅର ଟିସି ଏବଂ ଟିସି(ଟେକ୍ନିକାଲ୍ କନସଲଟାଣ୍ଟ୍) ପରିଚାଳନା କରୁଛନ୍ତି। ଜିଲ୍ଲାର ବିଭିନ୍ନ ସ୍କୁଲ ଘର ନିର୍ମାଣ, ପାଇଖାନା, ଘର ମରାମତି ଆଦି ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଉଛି। ଗୁରୁତ୍ବପୂର୍ଣ୍ଣ ହେଉଛି ଏହିସବୁ ଟଙ୍କା ବିନା ଟେଣ୍ଡରରେ ବରିଷ୍ଠ କାର୍ଯ୍ୟ ନିର୍ବାହୀ ପରାମର୍ଶଦାତାଙ୍କ ହାତକୁ ଟେକି ଦିଆଯାଉଛି। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସବୁ ନିର୍ମାଣ କାର୍ଯ୍ୟ କରାଯାଉଛି। ଏହି ଟଙ୍କାକୁ ଯେଉଁ ବାଟରେ ଖର୍ଚ୍ଚ କରାଯିବାର ନିୟମ ରହିଛି। ତାହା କରାନଯାଇ ବିଭିନ୍ନ ଉପାୟରେ ହଡ଼ପ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏମିତିକି ପୁରୁଣା କୋଠାକୁ ମରାମତି କରାଯାଇ ନୂଆ କୋଠାର ଅର୍ଥ ବିଲ୍ କରାଯାଉଥିବାର ଅଭିଯୋଗ ହେଉଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକାଧିକ ଆକାଉଣ୍ଟ ଖୋଲାଯାଇ ପାରିବ ନାହିଁ ବୋଲି ନିୟମ ରହିଛି। ବିଭାଗୀୟ ଅଧିକାରୀ ଏବଂ କେତେକ ଅସାଧୁ କର୍ମଚାରୀ ଏହାକୁ ମୋଡ଼ି ମକଚି ଏକାଧିକ ଆକାଉଣ୍ଟ ଖୋଲାଯାଇଛି। ଯାହା ସୂଚନା ଆସୁଛି, ବିଂଝାରପୁର, ବରୀ, ବଡ଼ଚଣା, ସୁକିନ୍ଦା, ଦାନଗଦୀ, କୋରେଇ, ଦଶରଥପୁର ଆଦି ବ୍ଲକରେ ଏକାଧିକ ଏକାଉଣ୍ଟ ଖୋଲା ଯାଇଛି। ବ୍ୟାଙ୍କ ଏକାଉଣ୍ଟ ଗୁଡ଼ିକୁ ସିପିଏସଏମଏସ୍ ସହିତ ଲିଙ୍କ କରାଯିବାକୁ ବ୍ୟବସ୍ଥା ଥିଲେ ହେଁ ତାହାକୁ କେତେକ ଅମାନ୍ୟ କରୁଥିବା ଦେଖାଯାଇଛି। ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଦେବା‌ର ବ୍ୟବସ୍ଥା ବି ରହିଛି। ମାତ୍ର ତାହା ଅନେକ ସ୍ଥଳରେ କରାଯାଉ ନଥିବା ଦେଖାଯାଇଛି। ବିଗତ ଦିନରେ ଏଭଳି ଘଟଣା ଅଡିଟ୍ ଟିମ୍ ନଜରକୁ ଆସିଥିଲା। ବଡ଼ଚଣା ବ୍ଲକ୍‌ରେ ଆକ୍ସିସ ବ୍ୟାଙ୍କରେ ଦୁଇ ଦୁଇଟି ଆକାଉଣ୍ଟ ଖୋଲାଯାଇଥିବାରୁ ଅଡିଟ୍ ଟିମ୍ ଆପତ୍ତି ଉଠାଇଥିଲା। ଅଡିଟ୍ ଟିମ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲା। ଏଭଳି ସ୍ଥିତିରେ ତୁରନ୍ତ ଗୋଟିଏ ଆକାଉଣ୍ଟ ବନ୍ଦ କରି ଗୋଟିଏ ଆକାଉଣ୍ଟ ଚଳାଇବାକୁ କଡ଼ା ନିର୍ଦ୍ଦେଶ ରହିଥିଲା। ମାତ୍ର ସେହି ନିର୍ଦେଶ ନାଲିଫିତା ତଳେ ରହିଯାଇଛି। ଆର୍ଥିକ ଦେଣନେଣ ପାଇଁ କାହାକୁ ସରକାର କ୍ଷମତା ଦେଇଛନ୍ତି। କିଏ ଆକାଉଣ୍ଟ ଅପରେଟ କରିବା କଥା? ତାହାର ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଏଭଳି ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆସିନାହିଁ। ଯଦି ଏପରି ହୋଇଥିବ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର