ଶ୍ରୀମନ୍ଦିର ନିଲାମ ଦୁର୍ନୀତି, ୨୧ ଲକ୍ଷରେ ଟେଣ୍ଡର ନେଇ କୋଟି କୋଟିର ବେପାର

ନିଲାମ ନେଲା ପରେ ମେଲିଛନ୍ତି ସବ୍‌ଲିଜ୍‌ ବେପାର, କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିରରେ ଚାଲିଥିବା ବିଭିନ୍ନ ନିଲାମ ବ୍ୟବସ୍ଥାରେ ଭକ୍ତମାନେ ଶୋଷଣର ଶିକାର ହେଉଛନ୍ତି। ମାହାଲ ବ୍ୟବସ୍ଥା ଏହା ମଧ୍ୟରୁ ଗୋଟିଏ। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ ପାଇଁ ପ୍ରାୟ ୨୧ ଲକ୍ଷ ଟଙ୍କାରେ ମାହାଲ ଘର ନିଲାମ ଦେଇଥିବାବେଳେ ନିଲାମଧାରୀମାନେ ଏଥିରୁ କୋଟି କୋଟି ଟଙ୍କାର ବେପାର କରୁଛନ୍ତି। ଯାହାର ସିଧାସଳଖ ପ୍ରଭାବ ଭକ୍ତଙ୍କ ଉପରେ ପଡ଼ୁଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ବି ଏହା ଦ୍ବାରା କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥା ଚାଲି ଆସିଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ସବୁ ଜାଣି ଚୁପ ରହିବା, ଏହା ପଛରେ ଏକ ଅସାଧୁମେଣ୍ଟ କାମ କରୁଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି।

ଶ୍ରୀମନ୍ଦିର ପ୍ରଶାସନ କିଛି ସୁଆର ମହାସୁଆରଙ୍କୁ ମହାଲକ୍ଷ୍ମୀ ଭଣ୍ଡାର ତଥା ମାହାଲ ଘର ନିଲାମ ଦେଇଛି। ଯେଉଁଥିରେ ରହିଛି ମାହାଲ ଘର-୧ ଓ ମାହାଲ ଘର-୨। ଶ୍ରୀମନ୍ଦିର ପରିସରରେ ଥିବା ଏହି ମାହାଲ ଘର-୧ରେ ଡାଲି, ଚାଉଳ ଏବଂ ମାହାଲ ଘର-୨ରେ ବିଭିନ୍ନ ପ୍ରକାର ମସଲା, ଚିନି ଆଦି ମିଳୁଛି। ମହାପ୍ରସାଦ ପାଇଁ ଆବଶ୍ୟକ ଡାଲି, ଚାଉଳ, ମସଲା ଆଦି ଏହି ଠାରୁ ଯାଇଥାଏ। ଏହି ଦୁଇ ମାହାଲ ଘରକୁ ଶ୍ରୀମନ୍ଦିର ପ୍ରଶାସନ ୨୦ ଲକ୍ଷ ୯୨ହଜାର ଟଙ୍କାରେ ବର୍ଷକ ପାଇଁ ନିଲାମ ଦେଇଛି। କିନ୍ତୁ ଏହି ଦୁଇ ମାହାଲ ଘରକୁ ନିଲାମ ନେଇଥିବା ବ୍ୟକ୍ତିମାନେ ଏହି ଆଳରେ ବେଆଇନ୍ ଭାବେ ମାହାଲର ଅନେକ ଶାଖାପ୍ରଶାଖା ଖୋଲି ବେପାର କରୁଛନ୍ତି। ଏହା ଭିତରେ କାଠ ମାହାଲ, ହାଣ୍ଡିକୁଡ଼ୁଆ ମାହାଲ, ଭୋଗେଇ ପେଡ଼ି ମାହାଲ, ଖଜା ଭୋଗେଇ ମାହାଲ, ନିର୍ମାଲ୍ୟ ମାହାଲ, ମଳା ମାହାଲ, ଓଳି ବଢ଼ା ମାହାଲ, ତୁଣ ମହାସୁଲ୍, ଦୁଆର ମହାସୁଲ୍(ନେଭି) ଆଦି ରହିଛି। ଯାହାର ହିସାବ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ସବୁ ମାହାଲରୁ ନିଲାମଧାରୀମାନେ କୋଟି କୋଟି ଟଙ୍କାର ବେପାର କରୁଛନ୍ତି। ଏ ବାବଦକୁ ଶ୍ରୀମନ୍ଦିର ପ୍ରଶାସନ ବାର୍ଷିକ ପ୍ରାୟ ୭ କୋଟି ଟଙ୍କା ସିଧାସଳଖ ହରାଉଛି। କେବଳ ହାଣ୍ଡି କୁଡ଼ୁଆ ମାହାଲରୁ କୋଟିଏରୁ ଦେଢ଼ କୋଟି ଟଙ୍କା ହରାଉଛି। ଦୁଆର ମହାସୁଲ୍‌କୁ ଉଦାହରଣ ଭାବେ ନିଆଯାଇପାରେ। ଦୁଆର ମହାସୁଲ୍‌ର କାମ ହେଉଛି, ରୋଷଘର ଦୁଆର ମୁହଁରେ ଜଗି ରହି ରୋଷଶାଳାକୁ ଯାଉଥିବା ବସ୍ତାର ହିସାବ ରଖିବେ। କ’ଣ ଯାଉଛି, ଏହାର ମାନ ଠିକ୍‌ କି ନାହିଁ ତାକୁ ଯାଞ୍ଚ କରିବେ। କିନ୍ତୁ ନିଲାମଧାରୀମାନେ ଏଥିରେ ବି ନିଲାମ ବ୍ୟବସ୍ଥା ଲାଗୁ କରିଛନ୍ତି। ଦୁଆର ମହାସୁଲ୍ ବସ୍ତା ପିଛା ୧ ଟଙ୍କା କରି ଯେତେ ବସ୍ତା ଗଲା ସେହି ଅନୁସାରେ ଟଙ୍କା ଆଦାୟ କରିବେ। ଯେଉଁଥିରୁ ପ୍ରଶାସନ ସିଧାସଳଖ ବାର୍ଷିକ ୫୦ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର