କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଲଘୁ ଖଣିଜ ଚୋରାଚାଲାଣ ସୀମା ଟପିଲାଣି। ମାଫିଆମାନେ ବିଭିନ୍ନ ଫନ୍ଦି କରି ବାଲି, ପଥର ଲୁଟୁଥିବାରୁ ବିପୁଳ ରାଜସ୍ବହାନି ହେଉଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏପରିକି ଟ୍ରାନ୍ଜିଟ୍ ପାସ୍ରେ ଗାଡ଼ି ନମ୍ବର ଭୁଲ ଦିଆଯାଉଛି। ଲୋଡିଂ ସମ୍ପର୍କିତ ଭୁଲ ତଥ୍ୟ ଦେଲେ ବି ଲିଜ୍ଧାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଲଘୁ ଖଣିଜ ଚୋରାଚାଲାଣ ଉପରେ ରୋକ୍ ଲାଗିପାରୁନଥିବା ସୂଚନା ମିଳିଛି। ଲଘୁ ଖଣିଜ ସଂପଦ ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗ ପାଖରେ ଥିବା ସମୟରେ କେନ୍ଦୁଝର ଜିଲ୍ଲାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୩୧ କୋଟି ୩୮ ଲକ୍ଷ ୮୪ ହଜାର ୨୧୧ ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୪୧ କୋଟି ୪୪ ଲକ୍ଷ ୬୧ ହଜାର ୮୩୯ ଟଙ୍କାରେ ପହଞ୍ଚିଥିଲା। ୨୦୨୧-୨୨ରେ ୬୭ କୋଟି ୪ ଲକ୍ଷ ୯୧ ହଜାର ୬୭୧ ଟଙ୍କା ଏବଂ ୨୦୨୨-୨୩ ରେ ୭୭କୋଟି ୭୨ ଲକ୍ଷ ୨୦ ହଜାର ୯୮୪ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ୨୦୨୩-୨୪ରେ ଲଘୁ ଖଣିଜ ପରିଚାଳନା ଦାୟିତ୍ୱ ଖଣି ଓ ଇସ୍ପାତ ବିଭାଗ ପାଖକୁ ଯାଇଥିଲା। ଏହାପରଠାରୁ କ୍ରମାଗତ ଭାବେ ରାଜସ୍ୱ ଆଦାୟ ହ୍ରାସ ପାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪ କୋଟି ୩୯ ଲକ୍ଷ ୨ହଜାର ୯୬୯ ଟଙ୍କା ଏବଂ ୨୦୨୪-୨୫ ଡିସେମ୍ବର ଶେଷ ସୁଦ୍ଧା ମାତ୍ର ୯ କୋଟି ୧୨ ଲକ୍ଷ ୪୯ ହଜାର ୯୪୯ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା।
ଟ୍ରାନ୍ଜିଟ୍ ପାସ୍ରେ ଭୁଲ ଗାଡ଼ି ନମ୍ବର
ଲୋଡିଂ ତଥ୍ୟ ଭୁଲ ଦେଲେ ବି ଲିଜ୍ଧାରୀଙ୍କୁ ମାଫ୍
ସନ୍ଦେହରେ ଖଣି ବିଭାଗର ଭୂମିକା
ଲଘୁ ଖଣିଜରୁ ରାଜସ୍ବ କମିବାର ମୂଳ କାରଣ ହେଉଛି ଚୋରି। ଘସିପୁରା ତହସିଲ ଅଧୀନ ନୂଆବରିପାଳ ପଥର ଖାଦାନରୁ ନିୟମିତ ପଥର ଚୋରା ଚାଲାଣ ହେଉଛି। ଅକ୍ଟୋବର ୧୮ ତାରିଖ ରାତିରେ ଏକ ହାଇୱାରେ ପଥର ପରିବହନ ହେଉଥିଲା। ସ୍ଥାନୀୟ ଲୋକେ ପଥର ଚୋରାଚାଲାଣ ଆଶଙ୍କାରେ ଗାଡ଼ିକୁ ଅଟକ ରଖିଥିଲେ। ପୁଲିସ ପହଞ୍ଚି ଟ୍ରାନ୍ଜିଟ୍ ପାସ୍ ଯାଞ୍ଚ କରିଥିଲା। ଟ୍ରାନ୍ଜିଟ୍ ପାସ୍ରେ ଗାଡ଼ି ନମ୍ବର ଥିଲା (ଓଡି୦୯-ସି-୧୧୧୧୪)। ଓଡ଼ିଶା ପରିବହନ ବିଭାଗରେ ଆଜି ପର୍ଯ୍ୟନ୍ତ ୫ଟିକିଆ ଗାଡ଼ି ନମ୍ବର କାହାରିକୁ ଦିଆଯାଇ ନଥିବା ବେଳେ କେମିତି ଓ କାହିଁକି ଖଣି ବିଭାଗ ଏଭଳି ଟିପି ପ୍ରଦାନ କଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ୨୦୨୪ ଜାନୁଆରି ୧ରୁ ଏଯାବତ୍ ଉକ୍ତ ପଥର ଖାଦାନକୁ ମାତ୍ର ୩୪୩ଟି ଟ୍ରାନ୍ଜିଟ୍ ପାସ୍ ଦିଆଯାଇଛି। ଏଠାରୁ ଯେଉଁଭଳି ଭାବେ ପଥର ପରିବହନ ହେଉଛି, ଟ୍ରାନ୍ଜିଟ୍ ପାସ୍ ମାତ୍ର ୩ ଦିନରେ ଶେଷ ହୋଇଯିବା କଥା। ହେଲେ ଏହି ଖାଦାନରୁ ଅନେକ ଦିନ ଧରି ପଥର ବୁହାଯାଇଛି।
ଉକ୍ତ ଦିନ ଯେଉଁ ଟ୍ରାନ୍ଜିଟ୍ ପାସ୍ ପ୍ରଦାନ କରାଯାଇଥିଲା, ସେଥିରେ ମାତ୍ର ୬ ଟନ୍ ପଥର ବୋହିବାକୁ ଅନୁମତି ଥିଲା। ୧୦ଚକିଆ ହାଇୱାରେ ସର୍ବନିମ୍ନ ୧୨ ଟନ୍ ପଥର ପରିବହନ ହେଉଥିବାରୁ ଏଠାରେ ୬ ଟନ୍ ପଥର ରାଜସ୍ବ ହରାଇଛନ୍ତି ସରକାର। ଯଦିଓ ଏହା ଗୋଟିଏ ଉଦାହରଣ, ପ୍ରତିଦିନ ପଥର ଏବଂ ବାଲି ଖାଦାନରେ ଏଭଳି ଢଙ୍ଗରେ ପଥର, ବାଲି ଚୋରାଚାଲାଣ ହେଉଛି। ଫଳରେ ସରକାର ବିପୁଳ ରାଜସ୍ବ ହରାଉଛନ୍ତି।