ଖାଇଦେଲେ ସ୍ବଚ୍ଛ ଭାରତ ମିସନ ପାଣ୍ଠି !୪୦%ରୁ ଅଧିକ ପାଇଖାନା କାମରେ ଆସୁନି

ଏସ୍‌ବିଏମ୍‌ ପାଣ୍ଠିରେ ବନ୍ଧାଯାଇଛି ଟେଣ୍ଟ, ୭ ବର୍ଷରେ ଖର୍ଚ୍ଚ ହୋଇଛି ୨୯ କୋଟି ୧୫ ଲକ୍ଷ

ରାଉରକେଲା: ସ୍ମାର୍ଟସିଟି ବିକାଶ ନାଁରେ ଚାଲିଛି ବ୍ୟାପକ ହରିଲୁଟ୍‌। ବର୍ଷ ବର୍ଷ ଧରି ରାସ୍ତାଘାଟରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ସରିବାର ନାଁ ନେଉନି। ସବୁଠୁ ବେଶି ଦୁର୍ନୀତି ହୋଇଛି ସ୍ବଚ୍ଛ ଭାରତ ମିସନ (ଏସ୍‌ବିଏମ୍‌)ରେ। ଶୌଚାଳୟ ନିର୍ମାଣ, ପରିମଳ ବ୍ୟବସ୍ଥା ଆଦି କାମରେ ଗତ ୭ ବର୍ଷରେ ୨୯ କ‌ୋଟି ୧୫ ଲକ୍ଷ ୨୯ ହଜାର ୧୬୬ ଟଙା ଖର୍ଚ୍ଚ ହୋଇଛି। ଏଥିରୁ ଅର୍ଦ୍ଧାଧିକ ଟଙ୍କା ଖର୍ଚ୍ଚ ହୋଇଛି କେବଳ ଶୌଚାଳୟ ନିର୍ମାଣରେ।

ଗତ ୨୦୧୮ ଡିସେମ୍ବର ୩୧ରେ  ସହରକୁ ଖୋଲା ଶୌଚମୁକ୍ତ ସହର ଘୋଷଣା କରାଯାଇଥିଲା। ଏହି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫ୍ଲେକ୍ସ, ବୁକ୍‌ଲେଟ୍‌ ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହୋଇଥିଲା ୩୩ ହଜାର ୮୫୨ ଟଙ୍କା। ଖାଇବା ବାବଦରେ ୫୫ ହଜାର ଟଙ୍କା, ଟେଣ୍ଟ ଓ ସାଉଣ୍ଟ ବକ୍ସ ବାବଦରେ ୨୫ ହଜାର ୨୧୬ ଟଙ୍କା ସ୍ବଚ୍ଛ ଭାରତ ମିସନ ପାଣ୍ଠିରୁ ଖର୍ଚ୍ଚ ହୋଇଥିଲା। ଘୋଷଣା କେବଳ କାଗଜପତ୍ରରେ। ସ୍ମାର୍ଟସିଟିର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ଶୌଚାଳୟର ସ୍ଥିତି ବଖାଣୁଛି। ବ୍ୟକ୍ତିଗତ ଶୌଚାଳୟ ଠାରୁ ଆରମ୍ଭ କରି ଗୋଷ୍ଠୀ ଶୌଚାଳୟ ବାବଦରେ  ପ୍ରାୟ ୧୨ ହଜାର ଟଙ୍କାରୁ ଆରମ୍ଭ କରି ୨୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। ଏମିତି କରି ବିଭାଗ ଟାର୍ଗେଟ ପୂରଣ କରି ଦେଇଛନ୍ତି। ରକ୍ଷଣାବେକ୍ଷଣ ଅଭାବ, ପାଣି ସଂଯୋଗ ନଥିବାରୁ ସହରର ଏମିତି ପ୍ରାୟ ୪୦% ଶୌଚାଳୟ  ଲୋକଙ୍କ କାମରେ ଆସୁନି।

ନିର୍ମାଣକାରୀ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭିତିରି ସଲାସୁତୁରା ସ୍ବଚ୍ଛ ଭାରତ ପାଣ୍ଠିକୁ ଏମିତି ହରିଲୁଟ୍‌ କରାଯାଇଥିବା ଅଭିଯୋଗ ହେଉଛି। ଉଦିତନଗର ଷ୍ଟାଡିୟମ, ନୂଆ ବସଷ୍ଟାଣ୍ଡ ପୁଲିସ ଷ୍ଟେସନ ନିକଟ, ମ୍ୟୁନିସିପାଲ ଛକ, ଉଦିତନଗର ଫ୍ଲାଏଓଭର ବ୍ରିଜ ନିକଟ ଶୌଚାଳୟକୁ ନିଆ ଯାଇପାରେ। ଉଦିତନଗର ଷ୍ଟାଡିୟମରେ ୧୦ ଲକ୍ଷ, ଉଦିତନଗର ଥାନା ସମ୍ମୁଖରେ ନିର୍ମାଣ ସର୍ବସାଧାରଣ ଶୌଚାଳୟ ନିର୍ମାଣରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ  ହୋଇଛି। ଶୌଚାଳୟ ଉପରେ ପାଣି ଟାଙ୍କି ବସିଛି। କିନ୍ତୁ ପାଣି ଆସୁନି। କେଉଁଠି ପାଣି ଆସୁନି ତ ଅନ୍ୟ କେଉଁଠି ତାଲା ଝୁଲୁଛି। ଉଦିନଗର ଫିଟ୍‌ନେସ୍‌ ପାର୍କ‌ ‌ଶୌଚାଳୟରେ ୧୦ ଲକ୍ଷ, ବାସନ୍ତୀକଲୋନି ଜଗନ୍ନାଥ ମନ୍ଦିର, ବାସନ୍ତୀକଲୋନି ପରିବା ହାଟ ନିକଟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି। ଏଠି ମଧ୍ୟ ସମାନ ସ୍ଥିତି। ଅନୁରୂପ ଭାବେ କୋଏଲନଗର ସି ବ୍ଲକ, କୋଏଲନଗର ଜଗନ୍ନାଥ ମନ୍ଦିର  ନିକଟ, କଳିଙ୍ଗ ବିହାର ମାଉସି ମା’ ମନ୍ଦିର ନିକଟ, ବେଦବ୍ୟାସ କଲେଜ, ସେକ୍ଟର-୩ ଜଗନ୍ନାଥ ମନ୍ଦିର ନିକଟ, ବେଦବ୍ୟାସ ମନ୍ଦିରରେ ନିର୍ମାଣ ଶୌଚାଳୟ ବାବଦରେ ୫ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି।

ଗୋଟିଏ ଦୁଇଟିକୁ ଛାଡିଦେଲେ ଅନ୍ୟ ସମସ୍ତ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି। ସେମିତି ଛେଣ୍ଡ ବିଏସ୍‌ଏନ୍‌ଏଲ୍‌ ଛକ ରେ ୧୮ ଲକ୍ଷ ୫୬ ହଜାର, କୋଏଲନଗର  ମାର୍କେଟ ଭେଣ୍ଡି ଜୋନ୍ ନିକଟରେ ପ୍ରାୟ ୧୯ ଲକ୍ଷ, ସିଭିଲଟାଉନସିପ୍‌ ଫିଟ୍‌ନେସ୍‌ ପାର୍କରେ ୧୦ ଲକ୍ଷ ଟଙ୍କାରେ ନିର୍ମାଣ ଶୌଚାଳୟ କେବେ ଖୋଲୁଛି ତ ଅନ୍ୟ କେବେ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା ଅନେକ ସ୍ଥାନରେ ନିର୍ମାଣ ହୋଇଥିବା ଶୌଚାଳୟରେ କେତେ ପାଣ୍ଠି ଖର୍ଚ୍ଚ ହୋଇଛି ଆର୍‌ଏମ୍‌ସି ବିଭାଗୀୟ ଅଧିକାରୀଙ୍କ ପାଖରେ ସୂଚନା ନାହିଁ। ରାଉରକେଲା ‌ଡେଲିମାର୍କେଟ (ମାଛ ମାର୍କେଟ),  ନୂଆ ବସଷ୍ଟାଣ୍ଡ,  ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ,  କଳିଙ୍ଗ ବିହାର ଆର୍‌ଡିଏ ମାର୍କେଟରେ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଦୁର୍ନୀତି ଲୁଚାଇବାକୁ ଏସବୁ ଶୌଚାଳୟ ଖର୍ଚ୍ଚ ବାବଦ ତଥ୍ୟ ଦେବାକୁ ବିଭାଗୀୟ ଅଧିକାରୀ ପଛଘୁଞ୍ଚା‌ ଦେଉଛନ୍ତି।

ତେବେ କାମରେ ଆସୁନଥିବା ଶୌଚାଳୟଗୁଡ଼ିକ ନିର୍ମାଣ ବାବଦରେ କାହିଁକି ଓ କ’ଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇଛି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟ କଥା ସ୍ବଚ୍ଛ ଭାରତ ମିସନ ପାଣ୍ଠିକୁ ଭତ୍ତା ବଣ୍ଟନରେ ହୋଇଥିବା ଟେଣ୍ଟରେ ମଧ୍ୟ ଖର୍ଚ୍ଚ କରାଯାଇଛି। ତା’ ପୁଣି ୧୦ କି ୨୦ ହଜାର ନୁହେଁ,  ୯୮, ୯୯୭ ଟଙ୍କା, ୯୩, ୨୩୪ ଟଙ୍କା , ୧ ଲକ୍ଷ ୪୫ ଟଙ୍କା ଏମିତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଯାହା ତଦନ୍ତ ସାପେକ୍ଷ। ଏପରି ଭାବେ ଏସ୍‌ବିଏମ୍‌ ପାଣ୍ଠିକୁ ବାଟବଣା କରାଯାଇଥିବା  ଆର୍‌ଏମ୍‌ସି ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡିଛି।

ସମ୍ବନ୍ଧିତ ଖବର