ଶିକ୍ଷକ ପଦୋନ୍ନତିରେ ଜାଲିଆତି, ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁର: ଶିକ୍ଷା ବିଭାଗର ଏକାଧିକ ଦୁର୍ନୀତି ଗୁମର ଖୋଲିବାରେ ଲାଗିଛି। ମିଥ୍ୟା ତଥ୍ୟ ଦେଇ ପଦୋନ୍ନତି ପାଇଥିବା ୪ଜଣଙ୍କୁ  ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏମାନଙ୍କ ମଧ୍ୟରେ ବଡ଼ଚଣାର ଅତିରିକ୍ତି ବ୍ଲକ୍ ଶିକ୍ଷା ଅଧିକାରୀ(ଏବିଇଓ)  ଅମିୟ କୁମାର ଦାସ, ଶିକ୍ଷକ  ନାରାୟଣ ପଡିହାରି, ସୁକିନ୍ଦା ବ୍ଲକ୍‌ର ଶିକ୍ଷକ ରମେଶ ଚନ୍ଦ୍ର ଦେଓ ଏବଂ  ଦାନଗଦୀ ବ୍ଲକ୍‌ର ଶିକ୍ଷକ  ସାନ୍ତନୁ କୁମାର ଦାଶ ଅନ୍ତର୍ଭୁକ୍ତ।  ଡିଇଓ ଶ୍ରୀ ଗିରି  ଚିଠି ନମ୍ବର ୧୧୪୯୬ ତା ୧୭/୧୧/୨୨ରେ ଦର୍ଶାଇଛନ୍ତି ଯେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ତର‌ରେ  ବହୁ ବିଳମ୍ବରେ ଚାକିରି  ସଂମ୍ପର୍କିତ  ପଞ୍ଜିକା ସମୀକ୍ଷାରୁ  ଏହି ପଦୋନ୍ନତି  ଜାଲିଆତି ଧରାପଡ଼ିଛି। ଏହି ଶିକ୍ଷକମାନଙ୍କର ନିଯୁକ୍ତି ତାରିଖରେ ଜାଲିଆତି କରାଯାଇଛି।

ଯାହା ଫଳରେ ‌ଏହି ୪ଜଣ ଶିକ୍ଷକ ୪ର୍ଥ ଶ୍ରେଣୀ କ୍ୟାଡରରୁ ୩ୟ ଶ୍ରେଣୀ କ୍ୟାଡରକୁ  ପଦୋନ୍ନତି ପାଇଥିଲେ। ଭୁଲ ତଥ୍ୟକୁ ଆଧାର କରି କ୍ୟାଡର ବ୍ୟବସ୍ଥା ୨୦୧୩ ଅକ୍ଟୋବର ୧ତାରିଖରେ କରାଯାଇଛି।  ଯାହା ଫଳରେ ନିର୍ଦ୍ଦେଶାଳୟର ଚିଠି ନମ୍ବର ୧୮୮୮ ତା ୭/୨/୨୦୧୪ରେ  ପଦୋନ୍ନତି ପାଇବା‌ ପରେ ସମ୍ପୃକ୍ତ ୪ଜଣ ଶିକ୍ଷକ ଅଧିକ ଦରମା  ପାଉଛନ୍ତି। ଫଳରେ ସରକାରୀ  ତହବିଲରୁ ଅଧିକ ରାଜସ୍ବ ଅପବ୍ୟୟ ହୋଇଛି। ଆସନ୍ତା ୩୦ତାରିଖ ସୁଦ୍ଧା ଏହି ଜାଲିଆତି ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ଉପରେ ସମ୍ପୃକ୍ତ ବ୍ୟକ୍ତିମାନେ ଉତ୍ତର ନଦେଲେ ଆଇନଗତ କାର୍ଯ୍ୟାନ‌ୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ ଶ୍ରୀ ଗିରି ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର