କ୍ରେଡିଟ୍ କାର୍ଡ ନାଁରେ ଠକେଇ; ଇଂଜିନିୟରିଂ ଛାତ୍ର ଗିରଫ

କଟକ: ଏଚ୍‌ଡିଏଫସି ବ୍ୟାଙ୍କରେ କ୍ରେଡିଟ୍ କାର୍ଡ କରାଇବାର ଲୋଭ ଦେଖାଇ ଠକିବା ଘଟଣାରେ ଜଣେ ଇଂଜିନିୟରିଂ ଛାତ୍ର ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ବର ଅଞ୍ଚଳର ଆତ୍ମପ୍ରକାଶ ଜେନା (୨୧)। ମଧୁପାଟଣା ଥାନା ପୁଲିସ ଆତ୍ମପ୍ରକାଶକୁ ଗିରଫ କରିଥିବାବେଳେ ତା’ ନିକଟରୁ ୨୦ଟି ସିମ୍ କାର୍ଡ ଜବତ କରିଛି।

ସୂଚନା ଅନୁଯାୟୀ, ଆତ୍ମପ୍ରକାଶ ଏଚ୍‌ଡିଏଫସି ବ୍ୟାଙ୍କରେ ଗ୍ରାହକଙ୍କ କ୍ରେଡିଟ୍ କାର୍ଡ କରାଇବା ଦାୟିତ୍ବରେ ଥିଲା। ଏଚ୍‌ଡିଏଫସି ବ୍ୟାଙ୍କ୍ ଛାଡ଼ିବାପରେ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ କରାଇବାର ଲୋଭଦେଖାଇ ଟଙ୍କା ଠକୁଥିଲା। କଲ୍ୟାଣୀନଗର ଅଞ୍ଚଳର ଦେବାଶିଷ ଧଳ ଓ ଦେବରାଜ ସୂତାରଙ୍କୁ ଏଚ୍‌ଡିଏଫସି ବ୍ୟାଙ୍କରେ କ୍ରେଡିଟ୍ କାର୍ଡ କରାଇ ଦେବାକୁ କହିଥିଲା। ତାଙ୍କ ନିକଟରୁ ଆଧାର କାର୍ଡ ନେଇ କ୍ରେଡିଟ୍ କାର୍ଡ ପାଇଁ ଓଟିପି କାଢ଼ିଥିଲେ। କିନ୍ତୁ ଏଚ୍‌ଡିଏଫସି ବ୍ୟାଙ୍କରେ କ୍ରେଡିଟ୍ କାର୍ଡ କରାଇବା ବଦଳରେ ଧନୀ ବ୍ୟାଙ୍କରେ କ୍ରେଡିଟ୍ କାର୍ଡ କରାଇ ନିଜେ ୩୭ ହଜାର ଟଙ୍କାର ସାମଗ୍ରୀ କିଣି ନେଇଥିଲେ। କିନ୍ତୁ, ଏହି କ୍ରେଡିଟ୍ କାର୍ଡ ଦେବାଶିଷ ଓ ଦେବରାଜଙ୍କ ନାଁରେ ଥିଲା। ଯେତେବେଳେ ଉଭୟଙ୍କ ନିକଟକୁ ଟଙ୍କା ବାକି ଥିବା ସମ୍ପର୍କରେ ଧନୀ ବ୍ୟାଙ୍କରୁ ମ୍ୟାସେଜ୍ ଆସିଲା, ସେତେବେଳେ ଏଭଳି ଠକେଇ ସମ୍ପର୍କରେ ଜଣାପଡିଥିଲା। ପୁଲିସ ମେ ୧୨ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର