ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣା: ଏମ୍‌କେସିଜିରେ ବିଧାୟକ ପ୍ରଦୀପଙ୍କ ଚିକିତ୍ସା

 ଆଜି ଫେରିବେ ଝାରପଡ଼ା

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ଘଟଣାରେ ଗୁରୁବାର ବ୍ରହ୍ମପୁର କୋର୍ଟରେ ହାଜର ହେବାକୁ ଆସିଥିବା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ ନିଆ ଯାଇଥିଲା। କଡ଼ା ସୁରକ୍ଷାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ତାଙ୍କୁ ଏମ୍‌କେସିଜି ମେଡିକାଲର ଆଉଟ୍‌ଡୋର୍‌କୁ ନିଆ ଯାଇଥିଲା। ସେଠାରେ ତାଙ୍କୁ ମେଡିସିନ୍‌ ଓ ଅସ୍ଥିଶଲ୍ୟ ବିଭାଗରେ ଚେକ୍‌ଅପ୍‌ ସହ ବିଭିନ୍ନ ପରୀକ୍ଷା କରା ଯାଇଥିଲା। ଚିକିତ୍ସା ପରେ ପୁଣି କଡ଼ା ସୁରକ୍ଷା ବଳୟରେ ମଣ୍ଡଳ କାରାଗାରକୁ ଫେରାଇ ନିଆ ଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା କାଲି ତାଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯିବ।

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ନେଇ କଟକ ସାଇବର୍‌ ଥାନାରେ ବିଧାୟକ ପ୍ରଦୀପଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହାପରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା। ଏପଟେ ତାଙ୍କ ନାମରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏହି ଲିଙ୍କ୍‌ରେ ୩ଟି ଠକେଇ ମାମଲା ରୁଜୁ ହୋଇଥିଲା। ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ ଅନୁମତି କ୍ରମେ ଏହି ୩ଟି ମାମଲାରେ ବିଧାୟକ ପ୍ରଦୀପଙ୍କ ନାମରେ ରିମାଣ୍ଡ ଲଗାଇବା ପାଇଁ ତାଙ୍କୁ ଗୁରୁବାର ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ବ୍ରହ୍ମପୁର ଅଣା ଯାଇଥିଲା।

ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ନିଆ ଯାଇଥିଲା। ବିଧାୟକ ପ୍ରଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ଶରୀର ପିଡ଼ା ସହ ଅଣ୍ଟାରେ ଯନ୍ତ୍ରଣା ଥିବାରୁ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କୋର୍ଟରେ ତାଙ୍କର ଓକିଲ ଆବେଦନ କରିଥିଲେ। ଗତକାଲି ବିଧାୟକ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ଓ ସୁଜାତା ପାଣିଗ୍ରାହୀଙ୍କ ତରଫରୁ କୋର୍ଟରେ ଏକ ପିଟିସନ୍‌ ଦାଏର କରାଯାଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ କରା ଯାଇଥିଲା। ସେହିପରି ବିଧାୟକ, ସାଂସଦଙ୍କ ବିରୋଧରେ ରୁଜୁ ମାମଲାର ବିଚାରଣା ପାଇଁ ବ୍ରହ୍ମପୁର ଏଡିଜେ-୩ ଡେଜିଗ୍‌ନେଟେଡ୍‌ କୋର୍ଟ ହୋଇଥିବା ବେଳେ ଅନ୍ୟ ବିଚାର ପ୍ରକ୍ରିୟା ପାଇଁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କୁ କ୍ଷମତା ଦିଆଯାଇଛି ବୋଲି ପୁଣି ଏକ ପିଟିସନ୍‌ ରୁଜୁ କରା ଯାଇଥିଲା। ଉଭୟ ପିଟିସନ୍‌କୁ ବ୍ରହ୍ମପୁର ଏସ୍‌ଡିଜେଏମ୍ ଗ୍ରହଣ କରିବା ସହ ବିଧାୟକ ପ୍ରଦୀପଙ୍କୁ ଏମ୍‌କେସିଜି ମେଡିକାଲରେ ଚିକିତ୍ସା କରାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ। ସେ ନେଇ ଆଜି ତାଙ୍କୁ ଏମ୍‌କେସିଜି ମେଡିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଅନ୍ୟ ଏକ ନିର୍ଦ୍ଦେଶରେ ବିଧାୟକ ପ୍ରଦୀପଙ୍କୁ ୭ତାରିଖ ସୁଦ୍ଧା ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଏଣୁ ଆସନ୍ତା କାଲି ବିଧାୟକ ପ୍ରଦୀପଙ୍କୁ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି। ବିଧାୟକ ପ୍ରଦୀପ ବର୍ତ୍ତମାନ ବ୍ରହ୍ମପୁର ମଣ୍ଡଳ କାରାଗାରର ୧୫ନମ୍ବର ୱାର୍ଡ଼ରେ ଜେଲର୍‌ଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ରହିଛନ୍ତି। ଜେଲ୍‌ ମାନୁଆଲ ଅନୁସାରେ ଯାହା ନିୟମ ରହିଛି ସେ ସବୁ ସୁବିଧା ବିଧାୟକଙ୍କୁ ଯୋଗାଇ ଦିଆଯାଉଛି ବୋଲି ସୂଚାନ ମିଳିଛି।

ସମ୍ବନ୍ଧିତ ଖବର