ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣା : ପାଠକ ବାପ-ପୁଅଙ୍କୁ ପୁଲିସର ଜେରା

ବ୍ରହ୍ମପୁର : କୋର୍ଟର ନିର୍ଦ୍ଦେଶକ୍ରମେ ପାଠକ ବାପ-ପୁଅଙ୍କୁ ଦିନିକିଆ ରିମାଣ୍ଡରେ ନେଇ ପୁଲିସ ଜେରା ଆରମ୍ଭ କରିଛି। ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ଘଟଣାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ ଗତକାଲି ପୁଲିସ କୋର୍ଟରେ ଆବେଦନ କରିଥିଲା। କୋର୍ଟ ମଞ୍ଜୁର କରିବା ପରେ ଆଜି ସକାଳୁ ଉଭୟ ବାପ-ପୁଅକୁ ଗୋଳନ୍ଥରା ପୁଲିସ ମଣ୍ଡଳ କାରାଗାରରୁ ନିଜ ହେପାଜତକୁ ନେଇ ଜେରା ଆରମ୍ଭ କରିଛି। ଉଭୟଙ୍କୁ ଗୋଳନ୍ଥରା ଥାନାରେ ରଖାଯାଇ ବିଭିନ୍ନ ଦିଗ ଉପରେ ପୁଲିସ ଜେରା କରୁଥିବା ସୂଚନା ମିଳିଛି।
ଟାଟା ମୋଟର୍ସରେ ଚାକିରି ପାଇଁ କେତେ ଜଣଙ୍କ ଠାରୁ ଟଙ୍କା ଆଦାୟ କରାଯାଇଥିଲା? କାହା ଜରିଆରେ ଉକ୍ତ ଟଙ୍କା ଆସିଥିଲା? ସେହି ଟଙ୍କା କେଉଁଠି ବିନିଯୋଗ ହୋଇଛି ? ଏଭଳି ବିଭିନ୍ନ ଦିଗ ଉପରେ ପୁଲିସ ଉଭୟଙ୍କୁ ପ୍ରଶ୍ନ କରିଛି। ସେପଟେ ଆକାଶ ଟାଟା ମୋଟର୍ସରେ କେମିତି ନିଜକୁ ଜଣେ ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇ ଏହି କାରବାର କରିଥିଲେ ସେ ଦିଗରେ ମଧ୍ୟ ପୁଲିସ ତଥ୍ୟ ସଂଗ୍ରହ କରୁଛି। ଟାଟା ମୋଟର୍ସରେ ଚାକିରି ନାଁରେ ଟଙ୍କା ଠକେଇ ମାମଲାରେ ପାଠକ ବାପ-ପୁଅ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତିକୁ ପ୍ରମାଣିତ କରିବାରେ ଜୋର୍ ଦେଇଛି ପୁଲିସ। ଉଭୟ ବାପ-ପୁଅକୁ ଜେରା କରି ବିଭିନ୍ନ ଦିଗକୁ ନେଇ ତଥ୍ୟ ହାସଲ କରାଯାଉଛି। ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇନଜୀବୀ ଦୀପକ ପଟ୍ଟନାୟକ ଓ ଅସିତ ଶତପଥୀ ଗୋଳନ୍ଥରା ଥାନାରେ ପହଞ୍ଚି ଉଭୟ ପାଠକ ବାପ-ପୁଅଙ୍କୁ ସାକ୍ଷାତ କରିଛନ୍ତି।
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଗୋଳନ୍ଥରା ଥାନାରେ ପୁଣି ୩ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ତାଙ୍କୁ ଜଡ଼ିତ କରାଯାଇ ସାରିଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କ ବୟାନ୍‌କୁ ଆଧାର କରି ପୁଲିସ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ଓ ପୁଅ ଆକାଶଙ୍କୁ ମଧ୍ୟ ଏହି ମାମଲାରେ ଛନ୍ଦିଛି। ଉଭୟ ବାପ-ପୁଅଙ୍କୁ ଗତକାଲି କଡ଼ା ସୁରକ୍ଷାରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ଦୁଇଟି ମାମଲାରେ ଜଡ଼ିତ କରା ଯାଇଥିଲା। ଆସନ୍ତା କାଲି ପୁଣିଥରେ ସେମାନଙ୍କୁ କୋର୍ଟରେ ହାଜର କରି ଜେଲ୍‌ ହାଜତକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।
ସମ୍ବନ୍ଧିତ ଖବର