ଚାକିରି ଦେବା ନା’ରେ ଠକେଇ

ଦେବଗଡ଼: ନିଜକୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ ବୋର୍ଡର କର୍ମଚାରୀ ପରିଚୟ ଦେଇ ବୌଦ୍ଧ ଜିଲ୍ଲା ବାଘିଆପଡା ଥାନାଞ୍ଚଳର ଜଣେ ଯୁବକ ଚାକିରି କରାଇ ଦେବାକୁ କହି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଆମ୍ବଗାଁର ଜଣେ ଯୁବତୀଙ୍କଠାରୁ ୭୨ ହଜାର ଟଙ୍କା ଠକି ନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏତଲା ଭିତ୍ତିରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୁଲିସ ବୌଦ୍ଧ ଜିଲ୍ଲା ବାଘିଆପଡା ଥାନାଞ୍ଚଳରୁ ଅଭିଯୁକ୍ତ ଲିଙ୍ଗରାଜ ମହାନନ୍ଦ (୩୮)କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁଯାୟୀ ବାରକୋଟ ଆମ୍ବଗାଁର ଗ୍ରାମର ଯୁବତୀ ଜଣକ ସୁନ୍ଦରଗଡ଼ ଜିଲ୍ଲାର ଟିଆରଡବ୍ଲୁ ସ୍କୁଲରେ ଚାକିରି ପାଇଁ ସାକ୍ଷାତକାର ଦେବା ସହ ମେଧାବୀ ତାଲିକାରେ ସ୍ଥାନ ପାଇଥିଲେ। ତେବେ ଗତ ଡିସେମ୍ବର ୨୮ ତାରିଖ ଦିନ ଅଭିଯୁକ୍ତ ଲିଙ୍ଗରାଜ ନିଜକୁ ଓଡିଶା ଷ୍ଟାଫ୍‌ ସିଲେକ୍‌ସନ ବୋର୍ଡ କର୍ମଚାରୀ ବୋଲି ପରିଚୟ ଦେଇ ତାଙ୍କୁ ଉକ୍ତ ଚାକିରି କରାଇ ଦେବାକୁ ୯୦ ହଜାର ଟଙ୍କା ମାଗିଥିଲା। ଯୁବତୀ ଜଣକ ଡିସେମ୍ବର ୨୮, ୨୯ ଓ ୩୦ ତାରିଖରେ ମୋଟ ୭୨ ହଜାର ଟଙ୍କା ଲିଙ୍ଗରାଜକୁ ୟୁପିଆଇ ଜରିଆରେ ଦେଇଥିଲେ। ମାତ୍ର ବହୁ ଦିନ ଅପେକ୍ଷା ପରେ ବି କୌଣସି କାମ ନ ହେବା ଓ ଶେଷରେ ସନ୍ଦେହ ହେବାରୁ ଯୁବତୀ ଜଣକ ଠକାମିର ଶିକାର ହୋଇଥିବା ଜାଣି ପାରିଥିଲେ। ଫଳରେ ଏ ନେଇ ସେ ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର