ଭୁବନେଶ୍ବର‌ : ସରକାରୀ ଚାକିରି ନାଁରେ ଦେଶର ପାଖାପାଖି ଦେଢ଼ ଲକ୍ଷ ଆଶାୟୀଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଲୁଟ୍‌ କରିଥିବା ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଗ୍ୟାଙ୍ଗ୍‌ର ମୁଖ୍ୟକୁ ବିହାରରୁ ଗିରଫ କରିଛି। ସେ ହେଲା ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନର ସମ୍ପାଦକ ଧରମପାଲ ସିଂ। ଘର ବିହାର ଗୋପାଳଗଞ୍ଜ ହାତୁଆ ଥାନା ଅନ୍ତର୍ଗତ ରୁପାନଛକ ଅଞ୍ଚଳରେ। ତାକୁ ସ୍ଥାନୀୟ କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ବର ଆଣିଛି ଇଓଡବ୍ଲୁ। ଏହି ଗ୍ୟାଙ୍ଗ୍‌ରେ ତା’ ସହ ଆଉ କିଛି ଅଭିଯୁକ୍ତ ସାମିଲ ଥିବା ଜଣାଯାଇଛି। ସେମାନଙ୍କୁ ଧରିବା ପାଇଁ ଇଓଡବ୍ଲୁ ତନାଘନା ଚଳାଇଛି।

Advertisment

ଗତ ୨୦୨୦ ମସିହାରେ କରୋନା କାଳରେ ଦେଶର ଲକ୍ଷ ଲକ୍ଷ ଯୁବକ/ଯୁବତୀ ଚାକିରି ହରାଇଥିବା ବେଳେ ଧରମପାଲ ଓ ତା’ର କିଛି ସହଯୋଗୀ ସେମାନଙ୍କୁ ଠକିବାକୁ ଯୋଜନା କରିଥିଲେ। ଚାକିରି ଆଶାୟୀମାନଙ୍କୁ ଠକିବା ପାଇଁ ସେମାନେ ସରକାରୀ ୱେବ୍‌ସାଇଟ୍‌ ଭଳି ଅବିକଳ ଏକ ନକଲି ୱେବ୍‌ସାଇଟ୍‌ ତିଆରି କରିଥିଲେ। ଜିଲ୍ଲାଗୁଡ଼ିକରେ ବ୍ଲକ୍‌ କୋର୍ଡିନେଟର୍‌, କମ୍ପ୍ୟୁଟର୍‌ ଅପରେଟର, ବ୍ଲକ ସର୍ଭେୟର୍‌ ଆଦି ପଦ ପାଇଁ ଆବେଦନ କରିବାକୁ ବିଜ୍ଞାପନ ଦିଆଯାଇଥିଲା। ରାଜ୍ୟର ହାତଗଣତି ଖବରକାଗଜରେ ମଧ୍ୟ ଏହାର ବିଜ୍ଞାପନ ଦିଆଯାଇଥିଲା। ସରକାରୀ ଢାଞ୍ଚାରେ ସଂରକ୍ଷଣ ସୁବିଧା ସହ ଫି’ ରିହାତିର ବ୍ୟବସ୍ଥା, ଶିକ୍ଷାଗତ ଯୋଗ୍ୟତା ଓ ଦରମା କଥା ସେଥିରେ ଉଲ୍ଲେଖ କରାଯାଇଥିଲା। ଏପରିକି, କେଉଁ ପଦବି ପାଇଁ କ’ଣ ପଢ଼ିବାକୁ ହେବ? କିଭଳି ପ୍ରଶ୍ନ ଆସିବ, ତାହାର ପାଠ୍ୟକ୍ରମ ମଧ୍ୟ ଦିଆଯାଇଥିଲା। ଅନ୍‌ଲାଇନ୍‌ରେ ଆବେଦନକାରୀଙ୍କ ପରୀକ୍ଷା କରିବା ସହ ସାକ୍ଷାତକାର ନିଆଯାଉଥିଲା। ରୋଚକ କଥା ହେଲା, ଚାକିରି ନାଁରେ ହେଉଥିବା ଠକାମି ପ୍ରତି ସତର୍କ ରହିବାକୁ ମଧ୍ୟ ସଂସ୍ଥା ପକ୍ଷରୁ ସତର୍କ କରାଇ ଦିଆଯାଉଥିଲା। ଏମିତି ପ୍ରାୟ ଦେଢ଼ ଲକ୍ଷ ଆଶାୟୀଙ୍କଠାରୁ ଠକମାନେ ସାଢ଼େ ୬ କୋଟିରୁ ଊର୍ଧ୍ବ ଟଙ୍କା ଠକି ନେଇଥିଲେ।

‌ତେବେ ଠକଙ୍କ ଜାଲରେ ଓଡ଼ିଶାର ହଜାର ହଜାର ଆଶାୟୀ ପଡ଼ିଥିବା ନେଇ ଅଭିଯୋଗ ହେବା ପରେ ଇଓଡବ୍ଲୁ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଓଡ଼ିଆ ଖବରକାଗଜରେ ଦିଆଯାଇଥିବା ବିଜ୍ଞାପନରୁ ତଥ୍ୟ ହାତେଇ ସଂସ୍ଥା ସହ ଯୋଗାଯୋଗ କରିଥିଲା। ନିଜକୁ ଆବେଦନକାରୀ ଦର୍ଶାଇ ଇଓଡବ୍ଲ୍ୟ ମଧ୍ୟ ଆବେଦନ ଫି’ ଦେଇଥିଲା। ତେ‌ବେ ସେ ଟଙ୍କା କେଉଁ ଆକାଉଣ୍ଟକୁ ଯାଉଛି? କେଉଁଠୁ ଟଙ୍କା ଉଠାଉଛନ୍ତି? ଫୋନ ନମ୍ବରଗୁଡ଼ିକ କେଉଁ ଅଞ୍ଚଳର? ଆର୍ଥିକ କାରବର ଏବଂ ସିଡିଆର୍‌ ରିପୋର୍ଟକୁ ଯାଞ୍ଚ କରି ଇଓଡବ୍ଲ୍ୟୁ ରୢାକେଟ୍‌ର ଠିକଣା ଠାବ କରିଥିଲା। ପରେ ଏକ ଟିମ୍‌ ବିହାରରେ ପହଞ୍ଚି ଚଢ଼ଉ କରି ରୢାକେଟ୍‌ ମାଷ୍ଟରମାଇଣ୍ଡ ଧରମପାଲକୁ ଗିରଫ କରିଥିଲା। ଓଡ଼ିଶା ଆଣି ଜେରା ବେଳେ ଧରମପାଲଠାରୁ ଜଣାପଡ଼ିଛି ଯେ ସଂସ୍ଥା
ୱେବ୍‌ସାଇଟ୍‌ରେ ଦିଲ୍ଲୀ, ମୁମ୍ବାଇ, ଭୋପାଳ ଓ ଡେରାଡୁନ୍‌ରେ କାର୍ଯ୍ୟାଳୟ ଖୋଲିଥିଲା। ଏହି କାର୍ଯ୍ୟାଳୟ ଠିକଣାରେ ଏକାଧିକ ଜାଲ୍‌ ସଂସ୍ଥାକୁ ଯୋଡ଼ି ଆବେଦନକାରୀଙ୍କଠାରୁ ଫି’ ଆଦାୟ କରିଥିଲା। ତେବେ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ରାଜସ୍ଥାନ, ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଆସାମ, ହିମାଚଳପ୍ରଦେଶ, କେରଳ, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପଞ୍ଜାବ, ହରିୟାଣା ଭଳି ୧୭ ରାଜ୍ୟର ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରିଥିଲା ସଂସ୍ଥା। ଲୁଟ୍‌ ଟଙ୍କାକୁ ବିଭିନ୍ନ ହିନ୍ଦୀ ଚଳଚ୍ଚିତ୍ରରେ ନିବେଶ କରୁଥିଲା। ଏନେଇ ଇଓଡବ୍ଲୁ ଅଧିକ ଖୋଳତାଡ଼ କରୁଛି। ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ସହଯୋଗୀକୁ ଗିରଫ ପାଇଁ ତନାଘନା ଜାରି ରଖିଛି।