ପୁରୀ : ଜମି ଦେବା ନାଁ’ରେ ସିଟିକନ ଇଞ୍ଜିନିୟର୍ସ ବିଲ୍ଡର ସଂସ୍ଥା ଲୋକଙ୍କଠାରୁ କୋଟିକୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଠକାମୀର ଶିକାର ହୋଇଥିବା ପୁରୀର ବାସିନ୍ଦା ଦିଲୀପ ବଳ, ଅର୍ଚ୍ଚନା ମହାନ୍ତି, ଭବାନୀ ଶଙ୍କର ଜାଲି ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ର ଡିଆର୍ନଂ ୨୧୪୭ ମୁତାବକ ଇଓଡବ୍ଲୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗ୍ରହଣ କରିଛନ୍ତି।
ଠକାମୀର ଶିକାର ହୋଇଥିବା ପୁରୀ କୁମ୍ଭାରପଡ଼ାସ୍ଥିତ ଜଗନ୍ନାଥ ଲେନ୍ର ଅର୍ଚ୍ଚନା ମହାନ୍ତି କହିଛନ୍ତି, ୨୦୧୧ ମସିହାରେ ସେ ଓ ପୁରୀରୁ ଆଉ ଦୁଇ ବନ୍ଧୁ ସିଟିକନ ଇଂଜିନିୟର୍ସଠାରୁ ପ୍ଲଟ୍ ବୁକିଂ କରିଥିଲେ। ଚୁକ୍ତି ମୁତାବକ ୨୦୧୪ ମସିହା ପର୍ଯ୍ୟନ୍ତ ୩୬ଟି ଇନଷ୍ଟଲ୍ମେଣ୍ଟରେ ଜମିର ନିର୍ଦ୍ଧାରିତ ମୂଲ୍ୟ ପଇଠ କରିଥିଲେ। ଅଥଚ ଇତି ମଧ୍ୟରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ଲଟ୍ ଦିଆଯାଉ ନାହିଁ। ପୁରୀ କନ୍ଭେଣ୍ଟ ସ୍କୁଲ୍ ନିକଟରେ ଥିବା ବିଲ୍ଡର୍ସ ସଂସ୍ଥାର ଶାଖା କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀ ପ୍ରତି ମାସରେ ଆସି ଇନ୍ଷ୍ଟଲମେଣ୍ଟ ଟଙ୍କା ନେଇ ଯାଉଥିଲେ। ମାତ୍ର ଏବେ ସେଠାରେ ଆଉ ସଂସ୍ଥାର ଶାଖା କାର୍ଯ୍ୟାଳୟ ନାହିଁ କି କର୍ମଚାରୀ ମଧ୍ୟ ନାହାନ୍ତି। ତେଣୁ ନିଜ କଷ୍ଟ ଅର୍ଜିତ ଟଙ୍କା ପଇଠ କରି ମଧ୍ୟ ଠକାମୀର ଶିକାର ହେବାକୁ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।