ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ : ବିଧାୟକଙ୍କ ପରେ ପାଠକ ବାପ-ପୁଅ ଆଜି କୋର୍ଟରେ ହାଜର ହେବେ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିବା ବେଳେ ଏବେ ଗଞ୍ଜାମ ଗୋଳନ୍ଥରା ଥାନା ପୁଲିସ ଆକାଶଙ୍କ ବାପା ଅଭୟ ପାଠକଙ୍କୁ ବି ଏହି ମାମଲାରେ ଛନ୍ଦିଛି। ଏହି କ୍ରମରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ତିନୋଟି ଠକେଇ ମାମଲାରେ ଗୋଳନ୍ଥରା ପୁଲିସ ବିଧାୟକ ପ୍ରଦୀପଙ୍କୁ ରିମାଣ୍ଡ ଲଗାଇଥିଲା। ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ଓ ତାଙ୍କ ପୁଅ ଆକାଶଙ୍କୁ ଅଭିଯୁକ୍ତ ତାଲିକାରେ ଯୋଡ଼ି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ କାଗଜପତ୍ର ଦାଖଲ କରିଛି। ପୁଲିସର ଆବେଦନ କ୍ରମେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଉଭୟ ବାପ-ପୁଅଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଚିଠି ପଠାଇଥିବା ଜଣାପଡ଼ିଛି। ଏପଟେ ବ୍ରହ୍ମପୁର ପୁଲିସର ଏକ ଟିମ୍‌ ଆଜି ସଂଧ୍ୟାରେ ଭୁବନେଶ୍ବର ଯାଇଥିବା ଜଣାପଡ଼ିଛି। ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ ଅନୁମତି ପରେ ଆସନ୍ତାକାଲି ଉଭୟ ବାପ-ପୁଅଙ୍କୁ ବ୍ରହ୍ମପୁର ଆଣି କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ଆଇଏଫ୍‌ଏସ୍‌ ଅଭୟଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ଆକାଶ ମଧ୍ୟ ଗିରଫ ହୋଇଥିଲେ। ଏହି ମାମଲାରେ ଉଭୟଙ୍କୁ ଜାମିନ୍‌ ମିଳିଥିବା ବେଳେ ଉଭୟଙ୍କ ନାମରେ ଅନ୍ୟ ଏକ ମାମଲା ରହିଥିବାରୁ ବାପା-ପୁଅ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲ୍‌ରେ ରହିଛନ୍ତି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ଏବେ ଝାରପଡ଼ା ଜେଲ୍‌ରେ ରହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ମାମଲାକୁ ନେଇ ଗତ ଗୁରୁବାର ଦିନ ବିଧାୟକ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଭୁବନେଶ୍ବର ଏସ୍‌ଡିଜେଏମ୍‌ ୩ଦିନ ପାଇଁ ଅନୁମତି ପ୍ରଦାନ କରିଥିବା ଯୋଗୁଁ ବିଧାୟକ ପ୍ରଦୀପ ୩ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଥିଲେ। ୩ଟି ଠକେଇ ମାମଲାରେ ରିମାଣ୍ଡ ଲଗାଇବା ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସକାଳେ ତାଙ୍କୁ ପୁଣିଥରେ ଝାରପଡ଼ା ଜେଲ୍‌କୁ ଫେରାଇ ନିଆଯାଇଥିଲା। ପାଠକ ବାପ-ପୁଅଙ୍କୁ ମଧ୍ୟ ୩ଦିନ ପାଇଁ ବ୍ରହ୍ମପୁର ଅଣାଯିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ମଧ୍ୟାହ୍ନରେ ଉଭୟଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର