ବ୍ରହ୍ମପୁର : ବେକାର ଯୁବକଯୁବତୀଙ୍କୁ ଚାକିରି ଦେବା ନାଁରେ ବିଭିନ୍ନ ସମୟରେ ଠକେଇ ଘଟଣା ନଜରକୁ ଆସୁଛି। ଏବେ ୟୁଏସ୍ଏରେ ଚାକିରି କରାଇ ଦେବାକୁ କହି ଜଣେ ଯୁବକଙ୍କ ଠାରୁ ଲକ୍ଷେରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ଯୁବକ ଜଣକ ହେଉଛନ୍ତି ଚିକିଟି ବ୍ଲକ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର କିଶୋର ଚନ୍ଦ୍ର ମଣ୍ଡଳ। ଏକ ନିର୍ଦ୍ଦିଷ୍ଟ ୱେବ୍ ସାଇଡ୍ରେ ସେ ଚାକିରି ପାଇଁ ଆବେଦନ କରିଥିଲେ। ତାଙ୍କୁ ୟୁଏସ୍ଏରେ ଚାକିରି କରାଇ ଦେବାକୁ କହି ତାଙ୍କ ଠାରୁ ଟଙ୍କା ଠକେଇ ହୋଇଥିବା କିଶୋର ଅଭିଯୋଗ କରିଛନ୍ତି। ଏମିତିକି ୟୁଏସ୍ଏ ଯିବା ପାଇଁ ତାଙ୍କ ନାମରେ ହୋଇଥିବା ଭିସା ମଧ୍ୟ ନକଲି ବୋଲି ଯାଞ୍ଚ ପରେ ଜଣାପଡ଼ିଥିବା ସେ କହିଛନ୍ତି। ଏ ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ତାଙ୍କ ଟଙ୍କା ଫେରାଇ ଆଣିବା ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।
କିଶୋର ଏକ କୋଚିଂ ଇନ୍ଷ୍ଟିଚ୍ୟୁଟରେ କାମ କରୁଛନ୍ତି। ଭଲ ଚାକିରି ଖଣ୍ଡିଏ ପାଇବା ପାଇଁ ସେ ବିଭିନ୍ନ ୱେବ୍ ସାଇଡ୍ ଜରିଆରେ ଆବେଦନ କରିଥିଲେ। ‘ଜବ୍ସ ଇନ୍ ୟୁଏସ୍ଏ’ ନାମରେ ଏକ ୱେବ୍ ସାଇଡ୍ରେ ମଧ୍ୟ ସେ ତାଙ୍କର ବାୟୋଡାଟା ଦେଇଥିଲେ। କିଛି ଦିନ ପରେ ତାଙ୍କୁ ଜଣେ ବ୍ୟକ୍ତି ଫୋନ୍ କରି ଏକ କମ୍ପାନିରେ ଚାକିରି ପାଇଁ ଅଫର୍ ଦେଇଥିଲେ। ଇଂରାଜୀ ଭାଷାରେ କଥା ହେଉଥିବା ଯୁବକ ଜଣକ ନିଜକୁ ୟୁଏସ୍ଏର ଏକ କମ୍ପାନିର ଜଣେ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଚାକିରି ପାଇଁ ଭିସା ସହିତ ଅନ୍ୟାନ୍ୟ କାଗଜପତ୍ର ପାଇଁ ଟଙ୍କା ପଠାଇବାକୁ ଯୁବକ ଜଣକ କହିଥିଲେ। ସେହି ଯୁବକଙ୍କ କଥାରେ ବିଶ୍ବାସ କରି କିଶୋର ଗତ ଜାନୁଆରି ମାସ ୧୯ତାରିଖରେ ପ୍ରଥମେ ୯ହଜାର ୫ଶହ ଟଙ୍କା ପଠାଇଥିଲେ। ସିକନ୍ଦରାବାଦର ଏକ ବ୍ୟାଙ୍କ ଆକାଉଣ୍ଟ୍ରେ ଟଙ୍କା ଡିପୋଜିଟ୍ କରିବା ପାଇଁ ଯୁବକ ଜଣକ କହିଥିଲେ। ସିକନ୍ଦରାବାଦରେ ଥିବା କମ୍ପାନିର ଏଜେଣ୍ଟ୍ ସମସ୍ତ କାମ କରିବା ପରେ ତାଙ୍କୁ ସେଠାକୁ ଡକାଇବ ବୋଲି କିଶୋରଙ୍କୁ କୁହାଯାଇଥିଲା। ଭିସା ଓ ପାସପୋର୍ଟ ପରେ ବିମାନ ଟିକଟ ସହିତ ଅନ୍ୟାନ୍ୟ ସୁବିଧା ପାଇଁ ପର୍ଯ୍ୟାୟ କ୍ରମେ କିଶୋର ସେହି ଆକାଉଣ୍ଟର୍ରେ ୧ଲକ୍ଷ ୧୫ହଜାର ଟଙ୍କା ଡିପୋଜିଟ୍ କରିଛନ୍ତି। ତା’ର ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ମଧ୍ୟ କିଶୋରଙ୍କ ପାଖରେ ଅଛି। ଟଙ୍କା ଡିପୋଜିଟ୍ କରିବା ପରେ ତାଙ୍କ ନିକଟକୁ ପାସ୍ପୋର୍ଟ ଆବେଦନର କାଗଜପତ୍ର ଆସିଥିଲା। କିନ୍ତୁ ତାହା ଯାଞ୍ଚ ପରେ ନକଲି ବୋଲି ଜଣାପଡ଼ିଥିଲା।
ଏବେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ୟୁଏସ୍ଏର ସେହି ଯୁବକଙ୍କ ସହିତ ଯୋଯୋଗ କଲେ ସେ ଟଙ୍କା ଫେରାଇବା ବଦଳରେ ଫୋନ୍ରେ ଓଲଟା ନାନା ଧମକ୍ ଦେଉଛି ବୋଲି କିଶୋର କହିଛନ୍ତି। ଚାକିରି ଖଣ୍ଡିଏ ପାଇବା ପାଇଁ ସେ ତାଙ୍କ ମା’ଙ୍କ ସୁନା ଗହଣା ବନ୍ଧା ରଖି ଟଙ୍କା ଯୋଗାଡ଼ କରିଥିଲେ। କିନ୍ତୁ ଏବେ ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏ ଦିଗରେ ପ୍ରଶାସନ ତାଙ୍କୁ କିଛି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସେ ପୂର୍ବରୁ ସାଇବର୍ ଥାନାରେ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି।