‘କୌନ୍ ବନେଗା କରୋଡ଼ପତି’ ନାଁରେ ଠକେଇ : ୨୫ ଲକ୍ଷ ଲୋଭ‌ରେ ୫୦ ହଜାର ଗଲା

କୁତ୍ରା, : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କିରିଙ୍ଗସେରା ପଞ୍ଚାୟତର ସକୁନ୍ଦ ନାଏକ ନାମକ ଜଣେ ଯୁବକ ‘କୌନ୍ ବନେଗା କରୋଡ଼ପତି’ ନାଁରେ ଠକେଇର ଶିକାର ହୋଇଛନ୍ତି। ୨୫ ଲକ୍ଷ ଟଙ୍କା ଲୋଭରେ ତାଙ୍କୁ ୫୦ ହଜାର ଟଙ୍କା ହରାଇବାକୁ ପଡ଼ିଛି।

ଘଟଣା ଅନୁସାରେ, ଗତକାଲି ସକୁନ୍ଦଙ୍କ ମୋବାଇଲ୍‌କୁ ଏକ କଲ୍ ଆସିଥିଲା। ସେଥିରେ ତାଙ୍କୁ କୁହାଯାଇଥିଲା, ‘ କୌନ୍ ବନେଗା କରୋଡ଼ପତି’ରେ ଆପଣଙ୍କ ନାମରେ ୨୫ ଲକ୍ଷ ଟଙ୍କାର ଲଟେରି ଉଠିଛି। ଏହି ପୁରସ୍କାର ଟଙ୍କା ନେବାକୁ ଚାହୁଥିଲେ ଆପଣଙ୍କୁ ୧୫ ହଜାର ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ିବ, ଯାହା ହେଉଛି ଉକ୍ତ ୨୫ ଲକ୍ଷ ଟଙ୍କାର ଜିଏସ୍‌ଟି। ତେବେ, ସେ ଠକେଇର ସନ୍ଦେହରେ ତାଙ୍କର ପୁରସ୍କାର ଦରକାର ନାହିଁ ବୋଲି ପ୍ରଥମେ ସିଧାସଳଖ ମନା କରିଦେଇଥିଲେ। ମାତ୍ର ପୁଣି କଲ୍‌ ଆସିଥିଲା। ସେଥିରେ ବିଶ୍ବାସ ହେବାଲାଗି ଭିଡିଓ କଲ୍‌ରେ ପୁରସ୍କାର ଟଙ୍କା ଦେଖି ନେବାଲାଗି ପ୍ରସ୍ତାବ ଦିଆଯାଇଥିଲା। ସେଥିରେ ସକୁନ୍ଦ ରାଜିହୋଇ ଭିଡିଓ କଲ୍‌ ମାଧ୍ୟମରେ ୨,୦୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ ଦେଖିଥିଲେ। ତା’ପରେ ତାଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା। ସେଥିରେ ତାଙ୍କୁ ମୋବାଇଲ୍‌ରେ ୧୦୦୦ ଦବାଇବାଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେ ୨୫ ଲକ୍ଷ ଟଙ୍କାର ଲୋଭରେ ଉକ୍ତ ନମ୍ବର ଦବାଇଥିଲେ। ସାଙ୍ଗେ ସାଙ୍ଗେ ତାଙ୍କ ଆକାଉଣ୍ଟରୁ  ୫୦,୦୦୦ ଟଙ୍କା ଗାଏବ ହୋଇଯାଇଥିଲା ଓ ପରେ ମୋବାଇଲ୍‌ଟି ହଲ୍‌ଟ ହୋଇଯାଇ ଆଉ କୌଣସି ସୁଇଚ୍ କାମ କରିନଥିଲା। ସମାନ୍ତରାଳ ଭାବେ ମୋବାଇଲରେ ଥିବା ତାଙ୍କ ହ୍ବାର୍ଟସଆପ୍ ମଧ୍ୟ ବ୍ଲକ ହୋଇ ଯାଇଥିଲା, ଯାହାକି ଏପର୍ଯ୍ୟନ୍ତ ଖୋଲୁନାହିଁ ବୋଲି କହିଛନ୍ତି ସକୁନ୍ଦ।

ସମ୍ବନ୍ଧିତ ଖବର