ବ୍ରହ୍ମବରଦା : ଯାଜପୁର ବ୍ଲକ୍ ରୁଦ୍ରପୁର ପଞ୍ଚାୟତରେ ବୃ୍କ୍ଷରୋପଣ ନାଁରେ ମନରେଗା ଯୋଜନାରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ୍ ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଗୋଟିଏ ଗାଁରେ ଥିବା ଗୋଟିଏ ପଡ଼ିଆକୁ ଏପଟ ସେପଟ ନାମ ବଦଳାଯାଇ ବୃକ୍ଷରୋପଣ ହୋଇଥିବା ଦର୍ଶାଯାଇଛି। ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ସାନନୂଣୁପୁର ଠାରୁ ବଡ଼ନୂଣୁପୁର ୨ କି.ମି. ଗ୍ରାମ୍ୟ ସଡ଼କ ଉଭୟ ପାର୍ଶ୍ବରେ ଗଛ ଲଗାଇବା ବାବଦରେ ଗତ ସେପ୍ଟେମ୍ବର ମାସରେ ୬ ଲକ୍ଷ ୫୦ ହଜାର ଟଙ୍କା ଅଟକଳ କରାଯାଇଥିଲା। ମଞ୍ଜୁର ନମ୍ବର ୨୪୨୦୦୦୭/୨୦୨୨-୨୩/୧୮୬୩୦୩/ଏଏସ ୨୨/୯/୨୦୨୨ ତାରିଖରେ ବନୀକରଣ ପାଇଁ ମୋଟ ୪ ଲକ୍ଷ ୪ହଜାର ୪୩୭ ଟଙ୍କା ବିଲ୍ କରାଯାଇଛି। ଏହି ଅର୍ଥ ୧୨୩ ଜଣ ଅଣକୁଶଳୀ ଶ୍ରମିକଙ୍କୁ ୭୧୨ ଦିନରେ ୨୨୨ ଟଙ୍କା ଲେଖାଏଁ ଦୈନିକ ମଜୁରି ହିସାବରେ ୧ଲକ୍ଷ ୫୮ହଜାର ୬୪ ଟଙ୍କା ପ୍ରଦାନ କରାଯାଇଥିବା ଅନ୍ଲାଇନରେ ଦର୍ଶାଯାଇଛି। ସେହିପରି ସାମଗ୍ରୀ ବାବଦରେ ୨ ଲକ୍ଷ ୪୬ ହଜାର ୩୭୩ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ମାତ୍ର ୨ କି.ମି. ଏହି ରାସ୍ତାର ସାନନୂଣୁପୁର ଗ୍ରାମ ଆରମ୍ଭରୁ ୧ କି.ମି. ପର୍ଯ୍ୟନ୍ତ କୌଣସି ଗଛ ଲଗାଯାଇନଥିବା ବେଳେ ୫ ବର୍ଷ ପୂର୍ବରୁ ଥିବା ବଡ଼ବଡ଼ ଗଛକୁ ଦେଖାଇ ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି।
ସେହିପରି ଏହି ପଞ୍ଚାୟତର ନୂଣୁପୁର ବାରବାଟି ପଡ଼ିଆ ଠାରେ ବୃକ୍ଷରୋପଣ ପାଇଁ ୧୭ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କାର୍ଯ୍ୟର ୱାର୍କ କୋଡ୍ ୨୪୨୦୦୦୭/ଡିପି/୧୦୬୧୦୧୨୯ରେ ମଞ୍ଜୁର ନମ୍ବର ୨୪୨୦୦୦୭/୨୦୨୨-୨୩/୧୯୬୨୨୨/ଏଏସ ୧୫/୧୧/୨୦୨୨ରେ କାର୍ଯ୍ୟ କରାଯାଇଥିଲା। ହେଲେ ଏହି ପଡ଼ିଆରେ ଅଧାରୁ ଅଧିକ ଗଛ ନଷ୍ଟ ହୋଇ ଯାଇଥିବା ବେଳେ ହାତ ଗଣତି କେତୋଟି ଗଛ ଥିବା ଦେଖିବାକୁ ମିଳିଛି। ସେହିପରି ସାନନୂଣୁପୁର ଠାରୁ ବଡ଼ ବାଗସାହି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କଡ଼ର ଉଭୟ ପାର୍ଶ୍ବରେ ଗଛ ଲଗାଇବା ବାବଦରେ ଗତ ୨୦୨୧ ମସିହାରେ ୧୩ଲକ୍ଷ ୫୦ ହଜାର ଟଙ୍କା ଅଟକଳ ରଖାଯାଇଥିଲା। କାର୍ଯ୍ୟର ୱାର୍କ କୋଡ୍ ୨୪୨୦୦୦୭୦୦୪/ଡିପି/୧୦୪୪୧୮୬୩ ଏବଂ ମଞ୍ଜୁର ନମ୍ବର ୨୪୨୦୦୦୭/୨୦୨୦-୨୧/୩୫୭୮୦୧/ଏଏସ୍ରେ ବନୀକରଣ ପାଇଁ ମୋଟ ୯ଲକ୍ଷ ୪୪ହଜାର ୨୧ ଟଙ୍କା ବିଲ୍ କରାଯାଇଛି।
ହେଲେ ଏଠାରେ ୧ କି.ମି. ରାସ୍ତାରେ ଗୋଟିଏ ବି ଗଛ ନଥିବା ଦେଖିବାକୁ ମିଳିଛି। ସେହିପରି ଶଙ୍ଖମଠ ଠାରୁ ବଡ଼ନୂଣୁପୁର ଗ୍ରାମ୍ୟ ସଡ଼କ ଯୋଜନାରେ ଉଭୟ ପାର୍ଶ୍ବରେ ଗଛ ଲଗାଇବା ବାବଦରେ ୯ ଲକ୍ଷ ୯୦ ହଜାର ଟଙ୍କା ଅଟକଳ ରଖାଯାଇଥିଲା। ମୋଟ ଅଣକୁଶଳୀ ଶ୍ରମିକ ମଜୁରି ବାବଦରେ ୧ଲକ୍ଷ ୭୯ହଜାର ୫୯୮ ଟଙ୍କା ବିଲ୍ କରାଯାଇଛି। ଏଠି ଅଧାରୁ ଅଧିକ ଗଛ ନଷ୍ଟ ହୋଇ ଯାଇଛି। ସେହିପରି ଏହି ଗ୍ରାମର ନୂଣୁପୁର ବାରବାଟି ପଡ଼ିଆ ଠାରେ ଆଉ ଏକ ସ୍ଥାନରେ ଗଛ ଲଗାଇବା ବାବଦରେ ୧୪ଲକ୍ଷ ୭ହଜାର ଟଙ୍କା ଅଟକଳ ରଖାଯାଇଛି। ଏଠି ମଧ୍ୟ କାଁଭାଁ ଗଛ ଲଗାଯାଇ ସମସ୍ତ ଟଙ୍କାକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ୨ଲକ୍ଷ ୮ହଜାର ୬୮୦ ଟଙ୍କା ବିଲ୍ କରାଯାଇଛି। ଅନ୍ୟପକ୍ଷରେ ଏଠାରେ ଥିବା ପ୍ରତ୍ୟେକ ଫଳକରେ କିଛି ତଥ୍ୟ ନାହିଁ। ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/26-4.jpg)