କଟକ: ରାଜ୍ୟରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଓ ଖଣି ଅଞ୍ଚଳରେ ଉତ୍ତରପ୍ରଦେଶ ଗାଜିଆବାଦର ଏକ ଠକ ଗ୍ୟାଙ୍ଗ୍‌ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ଗ୍ୟାଙ୍ଗ୍‌ ରାଜପଥରେ ଯାଉଥିବା ଭାରୀଯାନକୁ ଅଟକାଇ ସେମାନଙ୍କୁ ସଡ଼କ ସୁରକ୍ଷା କର୍ମଚାରୀ ପରିଚୟ ଦେଇ ଟଙ୍କା ଆଦାୟ କରୁଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ପରିବହନ କମିସନରଙ୍କ ଦୃଷ୍ଟିକୁ ଆସିବା ପରେ ସମସ୍ତ ଆର୍‌ଟିଓଙ୍କୁ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଠକ ଗ୍ୟାଙ୍ଗ୍ ମୁଖ୍ୟତଃ ଟ୍ରକ ଓ ବସ୍‌କୁ ଟାର୍ଗେଟ୍ କରୁଛନ୍ତି। 

Advertisment

୨୦୧୨-୧୩ରେ କଟକ- ଅନୁଗୁଳ ରାଜପଥରେ ଯାଉଥିବା ଭାରୀଯାନକୁ ଅଟକାଇ ରେଡିୟମ୍, ଫାଷ୍ଟଏଡ୍ ବକ୍ସ, କୁପନ୍ ଇତ୍ୟାଦି ଦେଉଥିଲେ। ଏହି ବାବଦରେ ୧୦୦ରୁ ୩୦୦ ଟଙ୍କା ଆଦାୟ କରୁଥିଲେ। ଏଥିରେ ସେମାନେ ସ୍ଥାନୀୟ ପୁଲିସକୁ ବ୍ୟବହାର କରୁଥିଲେ। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହିବାରୁ ଗାଡ଼ି ଚାଳକମାନେ ବିଶ୍ବାସ କରି ଟଙ୍କା ଦେଉଥିଲେ। କିନ୍ତୁ ଏହା ରାଜ୍ୟ ବାହାରର ଠକ ଗ୍ୟାଙ୍ଗ୍‌ ବୋଲି ଜଣାପଡ଼ିବା ପରେ ସେମାନେ ଫେରାର ହୋଇଯାଇଥିଲେ। ସମାନ ଧରଣର ଘଟଣା ଏବେ ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ଘଟିଛି। ସେହି ଅଞ୍ଚଳରେ ୫ରୁ ୬ ଜଣ ଠକ ନିଜକୁ ସଡ଼କ ସୁରକ୍ଷାର କର୍ମଚାରୀ ପରିଚୟ ଦେଇ ଭାରୀଯାନ ଗାଡ଼ି ଚାଳକଙ୍କୁ ରାସ୍ତାରେ ଅଟକାଇ ରେଡିୟମ, ଫାଷ୍ଟଏଡ୍ ବକ୍ସ ଗାଡ଼ିକୁ ଦେଉଥିଲେ। ରେଡିୟମ ଓ ଫାଷ୍ଟଏଡ୍ ଦେଲେ ୩୦୦ ଟଙ୍କା ଓ କେବଳ ରେଡିୟମ ଦେଲେ ୨୦୦ ଟଙ୍କା ନେଉଥିଲେ। ଏଭଳି ଘଟଣା ଜଣାପଡ଼ିବା ପରେ ପରିବହନ ବିଭାଗ କମିସନର ଅମିତାଭ ଠାକୁର ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। 

ଯୁଗ୍ମ ପରିବହନ କମିସନର(ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତିଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ରାସ୍ତାରେ ଗାଡ଼ି ଚାଳକଙ୍କୁ ଅଟକାଇ ଏଭଳି ଟଙ୍କା ଆଦାୟ କରିବା ସଂପୂର୍ଣ୍ଣ ବେଆଇନ ଅଟେ। ଏଭଳି କାର୍ଯ୍ୟ ପାଇଁ କାହାରିକୁ କୌଣସି ଅନୁମତି ଦିଆଯାଇନାହିଁ। ତେଣୁ ଗାଡ଼ିଚାଳକ କିମ୍ବା ଗାଡ଼ିମାଲିକ ଏଭଳି ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଅର୍ଥ ଦିଅନ୍ତୁ ନାହିଁ। ଏଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ସୁନ୍ଦରଗଡ଼ ଆର୍‌ଟିଓଙ୍କୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦରଗଡ଼ ସମେତ ରାଜ୍ୟର କୌଣସି ବି ସ୍ଥାନରେ ଏଭଳି ଘଟଣା ନଜରକୁ ଆସିଲେ ତୁରନ୍ତ ରୋକିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଆର୍‌ଟିଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପରିବହନ କମିସନର ଶ୍ରୀ ଠାକୁର କହିଛନ୍ତି ଯେ, କିଛି ବ୍ୟକ୍ତି ପରିବହନ ସେବା ବିଶେଷକରି ସଡ଼କ ସୁରକ୍ଷା ନାଁରେ ଠକୁଛନ୍ତି। ଏହାକୁ ରୋକିବାକୁ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି। ଜନସାଧାରଣ ମଧ୍ୟ ତୁରନ୍ତ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ଶ୍ରୀ ଠାକୁର ଅନୁରୋଧ କରିଛନ୍ତି।