ରେଲେଓ୍ଵ ଟିକେଟ ବାତିଲ କରିବା ନାଁରେ ଠକେଇ: ୨୭ ବର୍ଷ ପରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଦୀର୍ଘ ୨୭ ବର୍ଷ ପରେ ଜଣେ ଅଭିନବ ଠକକୁ ଗିରଫ କରିଛି ସିବିଆଇ। ତାଙ୍କ ନାଁ ଜୟ ଜନ୍‌ ଓରଫ୍‌ ଯୋଶେଫ୍‌ ଜନ୍‌ ଓରଫ ଜର୍ଜ ଥମାସ। ନିଜ ଘର କେରଳରେ। କିନ୍ତୁ ସେ ବିହାରର ଛାପ୍ରା ଜିଲ୍ଲା ଜଲାଲପୁର ସରଣର ଗାଲାକ୍ସି ରେସିଡେନ୍‌ସିଆଲରେ ରହୁଥିଲେ। ଆଜି ତାଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଜାଲ ପ୍ରଥମ ଶ୍ରେଣୀ ଟିକେଟ୍‌ ବାତିଲ କରି ରେଲେଓ୍ଵରୁ ସେ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ରେଳବାଇ ପକ୍ଷରୁ ଅଭିଯୋଗ ହୋଇଥିଲା।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜୟ ୧୯୮୭ରୁ ୧୯୯୮ ମସିହା ପର୍ଯ୍ୟନ୍ତ ତ୍ରିଭୁନ୍ଦ୍ରମ ସେଣ୍ଟ୍ରାଲରୁ ରାଉରକେଲା ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଟିକେଟ ଲଗାତାର ଭାବେ ବାତିଲ୍‌ କରି ଚାଲିଥିଲେ। ଏହି ବାବଦରେ ସେ ରେଳବାଇର ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲେ। ପରେ ରେଳବାଇ ପକ୍ଷରୁ ଅଡିଟବେଳେ ଜଣାପଡ଼ିଥିଲା, କି ଯେଉଁ ପ୍ରଥମ ଶ୍ରେଣୀ ଟିକେଟ ଜୟ ବାତିଲ କରିଛନ୍ତି, ସେଗୁଡିକ ଜାଲ୍‌। ଏହା ଛଡ଼ା ଜୟ ଦେଶର ବିଭିନ୍ନ ଷ୍ଟେସନ୍‌ରୁ ଅନ୍ୟ ଦୂର ଦୂରାନ୍ତ ଷ୍ଟେସନ୍‌କୁ ଜାଲ ଟ୍ରେନ୍‌ ଟିକେଟ କରିବା ସହିତ ଏହାକୁ ବାତିଲ କରିଛନ୍ତି। ଏ ବାବଦରେ ରେଳବାଇ ଲକ୍ଷାଧିକ ଟଙ୍କା କ୍ଷତି ସହିଥିଲା। ଏନେଇ ରେଳବାଇ ପକ୍ଷରୁ ୧୯୯୧ ମସିହାରେ ସିବିଆଇ ନିକଟରେ ଅଭିଯୋଗ କରାଯାଇଥିଲା। ସିବିଆଇ ପକ୍ଷରୁ ଜୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସିବିଆଇ ୧୯୯୩ ମସିହାରେ କୋର୍ଟ ଚାର୍ଜସିଟ ଦାଖଲ କରିଥିଲା। ସେହି ଦିନଠାରୁ ଜୟକୁ ସିବିଆଇ ଖୋଜୁଥିଲା।

ସମ୍ବନ୍ଧିତ ଖବର