ଗ୍ରାମ୍ୟ ରାସ୍ତା ନିର୍ମାଣରେ ସରକାର ବିଭ୍ରାନ୍ତ କରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ବହୁ ମିଛ କଥା କହୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଗ୍ରାମ୍ୟ ରାସ୍ତା ନିର୍ମାଣର ଉଦାହରଣ ଦେଇ କଂଗ୍ରେସ ପକ୍ଷରୁ ଆରୋପ ଲଗାଯାଇଛି, ସରକାର ମିଥ୍ୟା ତଥ୍ୟର ବାଦଶାହୀ ବିଜ୍ଞାପନ ଦେଇ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଖର୍ଚ୍ଚ କରୁଛନ୍ତି। ଦେଶରେ ସବୁଠୁ ଅଧିକ ମିଛ କହୁଥିବା ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ରେକର୍ଡ କରିବେ। ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ଗତ ୧୭ ତାରିଖରେ ଓଡ଼ିଶା ସରକାରଙ୍କ ଏକ ରଙ୍ଗିନ ବିଜ୍ଞାପନ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି। ଏଥିରେ ନବୀନ ବାବୁଙ୍କ ପକ୍ଷରୁ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରାମ୍ୟ ରାସ୍ତା ନିର୍ମାଣରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଓଡ଼ିଶା ଶୀର୍ଷରେ ବୋଲି କହିବାକୁ ଯାଇ ସଂପୃକ୍ତ ବିଜ୍ଞାପନରେ ୨୦୧୭-୧୮ରେ ଓଡ଼ିଶା ମୋଟ ୭୧୭୬ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କରି ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟ ବିହାର ଓ ମଧ୍ୟପ୍ରଦେଶକୁ ପଛରେ ପକାଇ ଦେଇଛି ବୋଲି ଦର୍ଶାଯାଇଛି। ଏହା ହେଲା ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ବାହାଦୁରୀ ଗାଥା। ଅସଲରେ ନବୀନ ବାବୁ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ତଥ୍ୟ ଦେଇଛନ୍ତି। ଚଳିତ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଖୋଦ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ ଗୃହକୁ ତଥ୍ୟ ଦେଇଛନ୍ତି ଯେ ୨୦୧୭-୧୮ ବର୍ଷରେ ପିଏମ୍‌ଜିଏସ୍‌ଓ୍ଵାଇରେ ରାଜ୍ୟ ସରକାର ମୋଟ ୧୫୮୧ଟି ରାସ୍ତା କାମରେ ୫୩୭୨.୧୯ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି। ଏଥି ମଧ୍ୟରେ ୫୨ଟି ପୋଲ କାମ ମଧ୍ୟ ରହିଛି। ଅର୍ଥାତ ନବୀନ ବାବୁ ବିଜ୍ଞାପନରେ ବାହାଦୁରୀ ନେବା ପାଇଁ ପ୍ରାୟ ଦୁଇ ହଜାର କିଲୋମିଟର ଅଧିକ ରାସ୍ତା ନିର୍ମାଣର ମିଥ୍ୟା ତଥ୍ୟ ଦେଇଛନ୍ତି। ସରକାରୀ ଅର୍ଥରେ ବାହାବା ନେବାର ଅଭ୍ୟାସ ମୁଖ୍ୟମନ୍ତ୍ରୀ ବନ୍ଦ କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର