କେନ୍ଦ୍ରାପଡା ଜଳସଂପଦ ଡିଭିଜନ କେଳେଙ୍କାରୀ: କୋଟି କୋଟି ଟଙ୍କାର କାମ, ସୂଚନା ଫଳକ ନାହିଁ

ଯାଜପୁର: କେନ୍ଦ୍ରାପଡ଼ା ଜଳସଂପଦ ଡିଭିଜନରେ କେଳେଙ୍କାରୀ ହୋଇଛି। ଯାଜପୁର ଓ କେନ୍ଦ୍ରାପଡ଼ା ସୀମାରେ ଚାଲିଛି କୋଟି କୋଟି ଟଙ୍କାର କାମ। ସେ ପୁଣି ବିନା ସୂଚନା ଫଳକରେ। ମାତ୍ର ବିଭାଗୀୟ ଅଧିକାରୀ ବେଫିକର।। କେନ୍ଦ୍ରାପଡା ଜଳସଂପଦ ଡିଭିଜନର ଡେରାବିଶ ସବଡ଼ିଭିଜନ ଅଧୀନରେ ଚନ୍ଦନନଗର ବେଣୀପୁର ଘେରିବନ୍ଧ ପ୍ରଶସ୍ତୀକରଣ ଓ ସୁଦୃଢୀକରଣ କାମ ଚାଲିଛି। ଘେରିବଂଧକୁ ୫ ମିଟର ଚଉଡା ଓ ସବ୍ ବେସ୍ କରାଯିବା ସହିତ ଗ୍ରେଡ୍-୧ ମେଟାଲିଂ କରାଯାଇ ୨କିମି ୮୪୦ମିଟର ରାସ୍ତା ନିର୍ମାଣ କରାଯିବ। ନଦୀ ବନ୍ଧକୁ ସୁଦୃଢୀକରଣ କରିବା ପାଇଁ ପଥର ସ୍ପର କାମ ପାଇଁ ବ୍ୟବସ୍ଥା ଅଛି। ଏହି କାମ ପାଇଁ ୨ ଟି ଟେଣ୍ଡର୍ ହୋଇଛି। ଗୋଟିଏ ଟେଣ୍ଡରରେ ମାଟି କାମ ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ରାଜ୍ୟ ଯୋଜନାରେ ଅର୍ଥ ବ୍ୟୟ ବରାଦ ହୋଇଛି। ଆଉ ଗୋଟିଏ ଟେଣ୍ଡରରେ ନାବାର୍ଡ ସହାୟତାରେ ୪ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ନିର୍ମାଣ କାମ ଆରମ୍ଭ ହୋଇସାରିଥିଲେ ମଧ୍ୟ ଏହି ସଂପର୍କରେ ତଥ୍ୟ ଜନସାଧାରଣଙ୍କୁ ଅନ୍ଧାରରେ ରଖାଯାଇଛି। ସୂଚନା ଫଳକ ଲଗାଯାଇନାହିଁ । ମାଟି କାମ ହେଉଥିବା ବେଳେ ଦାୟିତ୍ବରେ ଥିବା ଯନ୍ତ୍ରୀ ମାଟି କାମ ଆରମ୍ଭ ପୂର୍ବରୁ ନାମକୁ ମାତ୍ର ଲେଭଲିଂ ମାପ କରିଥିବା ଅଭିଯୋଗ ହୋଇଛି। ଏଥିରେ ବ୍ୟାପକ ଘୋଟାଲା ପାଇଁ ମସୁଧା ଚାଲିଛି। ସଂପୃକ୍ତ ଯନ୍ତ୍ରୀଙ୍କ ଅନୁୁୁୁପସ୍ଥିତରେ କାମ ଚାଲିଛି। ଗ୍ରାମବାସୀଙ୍କର ଦୀର୍ଘ ବର୍ଷ ଦାବିକୁ ସରକାର ପୂରଣ କରି ଗ୍ରାମକୁ ସବୁ ଦିନିଆ ରାସ୍ତା ଓ ବନ୍ୟା ନିୟନ୍ତ୍ରଣ ପାଇଁ ସୁଦୃଢୀକରଣ କାମ କରୁଥିଲା ବେଳେ ଠିକାଦାର ଓ ଯନ୍ତ୍ରୀ ସଲାସୁତରାରେ କୋଟି କୋଟି ଟଙ୍କାର କାମକୁ ଅତି ନିମ୍ନମାନର କରାଯାଇ ହରିଲୁଟ କରାଯାଉଛି ବୋଲି ଅଭିଯୋଗ ହୋଉଛି ।

ସୂଚନା ଯୋଗ୍ୟ ଯେ, ଏହି ଡିଭିଜନ, ସବଡ଼ିଭିଜନ , ସେକ୍ସନର ଏହି ଯନ୍ତ୍ରୀ ମାନଙ୍କ ତତ୍ତ୍ବାବଧାନରେ ଗତ ଦୁୁଇ ବର୍ଷ ତଳେ ନିର୍ମାଣ କରାଯାଇଥିବା ବାଲିଚନ୍ଦ୍ରପୁର-ବେଣୀପୁର ପଟ୍ଟାମୁଣ୍ଡାଇ କେନାଲ ରାସ୍ତାଟି ଅତି ଶୋଚନୀୟ ହୋଇପଡିଛି । ରାସ୍ତା ନିର୍ମାଣ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ମଧ୍ୟ ରାସ୍ତାଟି ମରଣଯନ୍ତା ପାଲଟିଛି । ଠିକାଦାର ଓ ଯନ୍ତ୍ରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ପଟ୍ଟାମୁଣ୍ଡାଇ କେନାଲ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି । ବିଭାଗୀୟ ସଚିବଙ୍କ ହସ୍ତକ୍ଷେପ ଫଳରେ ରାସ୍ତାର କିଛି ଅଂଶ ମରାମତି କରାଯାଇଥିଲେ ମଧ୍ୟ ବର୍ତ୍ତମାନ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାଟି ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜନସାଧାରଣଙ୍କ ପ୍ରମୁଖ ଗମନାଗମନ ରାସ୍ତା ହୋଇଥିବାରୁ ରାସ୍ତା ରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଅଧିକାରୀ ମାନଙ୍କ ତତ୍ତ୍ବାବଧାନରେ ଘେରିବଂଧ ପ୍ରଶସ୍ତୀକରଣ ଓ ସୁଦୃଢୀକରଣ କାର୍ଯ୍ୟ ହେଲେ ପଟ୍ଟାମୁଣ୍ଡାଇ କେନାଲ ରାସ୍ତା ଭଳି ଅତି ନିମ୍ନମାନର ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର