କାଜୁ ଚାରାରୋପଣ ନାଁରେ ଲକ୍ଷାଧିକ ଟଙ୍କା ଚଳୁ! ବଗିଚାର ଚିହ୍ନବର୍ଣ୍ଣ ନଥାଇ ଉଠିଛି ଟଙ୍କା

ଶୁଳିଆପଦା: ଆଦିବାସୀବହୁଳ ଶୁଳିଆପଦା ବ୍ଲକ୍‌ର ଲୋକଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ହେଉଛି ସବାଇ ଘାସ ଓ ଶାଳପତ୍ର ଶିଳ୍ପ। ତେବେ ସମୟକ୍ରମେ ଡାହି (ଜମି)ରୁ ସବାଇ ଘାସ କମି କମି ଆସୁଛି। ପାଣିପାଗ ବଦଳୁଥିବାରୁ ଏମିତି ହେଉଛି। ତେବେ ଫାଙ୍କା ପଡ଼ିଥିବା ଉକ୍ତ ଜମିକୁ ସମନ୍ବିତ କୃଷିକ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଯୋଜନା ହେଉଛି। ଏହି କ୍ରମରେ ଶୁଳିଆପଦା ବ୍ଲକ୍ ମହାବିଲା ପଞ୍ଚାୟତ ଅଧୀନ ପାଲ ଗ୍ରାମର କିଛି ଚାଷୀଙ୍କ ୮ ହେକ୍ଟର ସବାଇ ଡାହିରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅନୁଦାନରେ କାଜୁ ଚାରାରୋପଣ ପାଇଁ ୨୦୨୦-୨୧ ବର୍ଷରେ ଯୋଜନା ହୋଇଥିଲା। ମନରେଗା ଯୋଜନାରେ ଶ୍ରମିକ ଲଗାଇ ଉକ୍ତ ଜମିକୁ ଚାରାରୋପଣ ପାଇଁ ପ୍ରସ୍ତୁତ କରିବା ପରେ ସେଠାରେ ବାଡ଼ ଘେରାଇ କାଜୁ ଚାରାରୋପଣ ହୋଇଥିଲା। ଠିକାଦାରଙ୍କ ମାଧ୍ୟମରେ ଏହି କାମ କରାଇଥିଲା ମୃତ୍ତିକା ସଂରକ୍ଷଣ ବିଭାଗ। ଚାରାରୋପଣର ୩ ବର୍ଷ ପରେ ଗଛ ବଢ଼ିଲେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସମ୍ପୃକ୍ତ ଜମିର ଚାଷୀମାନଙ୍କୁ ଦିଆଯିବା କଥା।

ତେବେ ବର୍ତ୍ତମାନ ଏଠାରେ ଗଛ କିମ୍ବା ବାଡ଼ର କୌଣସି ଚିହ୍ନବର୍ଣ୍ଣ ନାହିଁ। ଏଠାରେ ଯେ ବର୍ଷକ ତଳେ କାଜୁ ଗଛ ଲାଗିଥିଲା, ଜାଣିବାର ଅବକାଶ ବି ନାହିଁ। ତେବେ ଆଶ୍ଚର୍ଯ୍ୟର କଥା; କାଜୁ ବଗିଚାର ଚିହ୍ନବର୍ଣ୍ଣ ନଥାଇ ଚଳିତ ମାସରେ ଉକ୍ତ ପ୍ରକଳ୍ପ ପାଇଁ ଟଙ୍କା ଉଠିଛି।

ନିୟମ ଅନୁସାରେ, କୌଣସି ସରକାରୀ ପ୍ରକଳ୍ପ ଆରମ୍ଭ ପୂର୍ବରୁ ସୂଚନା ଫଳକରେ ସମ୍ପୂର୍ଣ୍ଣ ତଥ୍ୟ ଲେଖାଯିବା କଥା। ହେଲେ ଏଠାରେ ସେମିତି କିଛି ଲେଖାଯାଇନି। ଜମିରେ ଗଛ ନଥିବା ବେଳେ ଚାରା ମୂଳରେ ଦେବାକୁ ଆସିଥିବା ହଜାର ହଜାର ଟଙ୍କାର ଖତ ବ୍ୟବହାର ନହୋଇ ନଷ୍ଟ ହେଉଛି। ଏହି ପ୍ରକଳ୍ପ ପାଇଁ ‌କେତେ ଟଙ୍କା ଖର୍ଚ୍ଚ ହୋଇଛି, କେହି ସ୍ପଷ୍ଟ କରୁନଥିଲେ ବି ଏଥିପାଇଁ ୧୪ ଲକ୍ଷ ୫ ହଜାର ଟଙ୍କା ମଞ୍ଜୁର ହୋଇଥିବା ଖବର ହସ୍ତଗତ ହୋଇଛି। ତେଣୁ ଏହି ପ୍ରକଳ୍ପରେ ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି।

ଏ ବାବଦରେ ମୃତ୍ତିକା ସଂରକ୍ଷଣ ବିଭାଗ କ୍ଷେତ୍ର ଅଧିକାରୀ ଅଭାରାମ ଜେନାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ, ଠିକାଦାରଙ୍କୁ ଏଥିପାଇଁ ତାଗିଦ କରାଯାଇଛି ଓ ସେଠାରେ ନୂତନ ଭାବେ କାମ ଆରମ୍ଭ କରିବାକୁ ନିକଟରେ ଅର୍ଥ ମଞ୍ଜୁର ହୋଇଛି। ତେବେ ପ୍ରଶ୍ନ ହେଉଛି ସୂଚନା ଫଳକରେ ତଥ୍ୟ ନଥାଇ ଟଙ୍କା ଖର୍ଚ୍ଚ ହେଲା କିପରି? ବିଗତ ବର୍ଷରେ ପ୍ରକଳ୍ପ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ଗଛସବୁ କୁଆଡ଼େ ଗଲା? ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ନ କରି ବିଲ୍ ପାସ୍‌ କରୁଛନ୍ତି କି? ଏହିସବୁ ପ୍ରଶ୍ନର ଉତ୍ତର ପାଇଁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର