ଝିଅର ବିବାହ ପୂର୍ବରୁ ବର ର ଚରିତ୍ର ପରଖୁଛନ୍ତି ତ ? ନଚେତ ଭାଙ୍ଗିଯାଇପାରେ ବାହାଘର

କଟକ/ମୟୁରଭଞ୍ଜ: ହାତରେ ମେହେନ୍ଦି, ଦେହରେ ବଉଳପାଟ ଓ ମନରେ ନୂଆ ସଂସାର ଗଢିବାର ଅସରନ୍ତି ସ୍ୱପ୍ନ ନେଇ ସଜେଇ ହେଉଥିଲେ ସ୍ୱପ୍ନା(ଛଦ୍ମନାମ) | କେମିତି ହେବ ଶାଶୂଘର, ସ୍ୱାମୀଙ୍କ ସହ କିଭଳି ଦିନ କଟିବ ଭାବୁ ଭାବୁ ହଠାତ ଖବର ଆସିଲା ବରକୁ ପୁଲିସ ଉଠାଇ ନେଇଛି | ଏହା ପରେ ଭାଙ୍ଗିଯାଇଥିଲା ବାହାଘର | ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ଏମିତି ୪ଟି ଘଟଣା ଘଟିଛି ଯେଉଁଠି ବାହାଘର ପୂର୍ବରୁ ବରଙ୍କୁ ପୁଲିସ ଉଠାଇନେଇଛି | ହତ୍ୟା, ପ୍ରତାରଣା ଭଳି ଅଭିଯୋଗ ପାଇବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବରଙ୍କୁ ଗିରଫ କରିଛି | ଆଉ ଏସବୁ ପରେ ବରର ଚରିତ୍ର ବାବଦରେ ଝିଅ ଘର ଅନୁସନ୍ଧାନ କରୁଛନ୍ତି ନା ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି |

୧୫ ଦିନରେ ୪ଟି ଘଟଣା
ଫେବୃୟାରୀ ୨୬ ତାରିଖରେ ପ୍ରିୟରଂଜନ ପତି ନାମକ ଯୁବକଙ୍କୁ ଚାଉଳିଆଗଞ୍ଜ ପୁଲିସ ବିବାହ ମଣ୍ଡପରୁ ଉଠାଇନେଇଥିଲା | ତିନି ବର୍ଷ ପୂର୍ବରୁ ଜଣେ ଯୁବତୀଙ୍କୁ ବିବାହ କରି ଥିଲେ ବି ତାଙ୍କୁ ଛାଡ଼ପତ୍ର ନ ଦେଇ ଏଭଳି ଦ୍ବିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଯୁବତୀ ବିବାହ କରିବା ସମୟର ନିମନ୍ତ୍ରଣପତ୍ର, ‌ବିବାହ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ଅନ୍ୟ ଆନୁସଙ୍ଗିକ ପ୍ରମାଣପତ୍ର ଚାଉଳିଆଗଂଜ ଥାନା ପୁଲିସକୁ ଦେଇଥିଲେ। ଯୁବତୀଙ୍କୁ ସେ ଛାଡପତ୍ର ଦେଇ ନ ଥିବା ବେଳେ ଏଭଳି ବେଆଇନ ଭାବେ ଦ୍ବିତୀୟ ବିବାହ କରୁଥିବା ଅଭିଯୋଗ ହୋଇଥିଲା। ଯାହାପରେ ପୁଲିସ ଗିରଫ କରିଥିଲା |

ଠିକ ସେହିପରି ମାର୍ଚ୍ଚ ୧୦ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଅଶୋକ କୁମାର ମଣ୍ଡଳ ନାମକ ଯୁବକଙ୍କୁ ବିବାହର ଦିନକ ପୂର୍ବରୁ ପୁଲିସ ଗିରଫ କରିଥିଲା | ଜଣେ ଯୁବତୀ ଶ୍ରୀ ମଣ୍ଡଳଙ୍କ ଘରକୁ ଆସି ତାଙ୍କୁ ପ୍ରେମ କରିବା ସହିତ ପ୍ରତାରଣା କରି ଅନ୍ୟ ଝିଅକୁ ବିବାହ କିପରି କରୁଛ କହି ନିଜ ହାତ କାଟି ଦେଇଥିଲେ। ଏହାକୁ ନେଇ ବାଙ୍ଗିରିପୋଷି ଥାନାରେ ମାମଲା ରୁଜୁ କରି ଅଶୋକଙ୍କୁ ଗିରଫ କରାଯାଇଥିଲା |

ମାର୍ଚ୍ଚ ୧୧ରେ ମଧ୍ୟ ବିବାହ କରିବାକୁ ଆସି ବର ହଟହଟା ହୋଇଥିଲେ | ହାତଗଣ୍ଠି ପଡ଼ିବା ପୂର୍ବରୁ ବର ଶିବପ୍ରସାଦ ମଙ୍ଗରାଜକୁ ପୁଲିସ ଉଠାଇନେଇଥିଲା | ୨୦୧୮ ମସିହାରେ ନୟାଗଡ ଜିଲ୍ଲା ନାକଡ଼େଇଁ ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ |ଉଭୟଙ୍କ ମଧ୍ୟରେ ପାରିବାରିକ ସମସ୍ୟା ଦେଖାଦେବାରୁ ବୋଲଗଡ଼ ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା | ତେବେ ଶିବପ୍ରସାଦ ଉକ୍ତ ଯୁବତୀଙ୍କୁ ଛାଡପତ୍ର ନ ଦେଇ ଦ୍ଵିତୀୟ ବିବାହ କରିବାକୁ ଯାଉଥିଲେ | ଏ ନେଇ ଯୁବତୀ ଜଣକ ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ | ଏହା ପରେ ପୁଲିସ ବରଙ୍କୁ ଉଠାଇନେଇଥିଲା |

ଠିକ ସେହିପରି ଆଜି (ମାର୍ଚ୍ଚ ୧୨) କଟକ ଜିଲ୍ଲା ଆଠଗଡ଼ର ସାପୁଆ ପୋଲ ଉପରୁ ବର ପ୍ରକାଶ ସ୍ୱାଇଁଙ୍କୁ ସାଦା ପୋଷାକଧାରୀ ୭ରୁ ୮ ପୁଲିସ୍‌ ଗିରଫ କରିଛି | ୨୦୧୮ ମସିହା ଫେବ୍ରୁଆରି ୮ ତାରିଖରେ ହୋଇଥିବା ଏକ ହତ୍ୟାକାଣ୍ଡ ଅଭିଯୋଗରେ ପୁଲିସ ସେହିଦିନରୁ ପ୍ରକାଶଙ୍କୁ ଖୋଜୁଥିଲା। ଆଜି ତାଙ୍କର ବାହାଘର ହେଉଥିବା ସୂଚନା ପାଇ ବାଙ୍କୀ ପୁଲିସ୍ ପ୍ରକାଶଙ୍କୁ ଗିରଫ କରିଛି।

ଏସବୁ ଘଟଣା ପରେ ଏବେ ପ୍ରଶ୍ନ ଉଠିଛି ଯେ ବିବାହ ପୂର୍ବରୁ ବରଙ୍କ ଚରିତ୍ର ବାବଦରେ ଝିଅ ଘର ଅନୁସନ୍ଧାନ କରୁଛନ୍ତି କି ? ପୁଅ ବାବଦରେ ଆଖପାଖ ଅଂଚଳରେ ପଚରାଉଚୁରା କରୁଛନ୍ତି କି ? ନା କେବଳ ମଧ୍ୟସ୍ଥିଙ୍କ କଥାକୁ ବିଶ୍ୱାସ କରି ବାହାଘର କରିବାର ନିଷ୍ପତ୍ତି ନିଆଯାଉଛି | ଯାହାକି ପରେ ମହଙ୍ଗା ସାବ୍ୟସ୍ତ ହେଉଛି |

ସମ୍ବନ୍ଧିତ ଖବର