ବସ୍ତା/କୁଳିଦା: ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ବରୁଣଗଡ଼ିଆ ପଞ୍ଚାୟତ ଅଫିସ୍‌ କାର୍ଯ୍ୟାଳୟ ନିକଟ ବ୍ୟାଙ୍କ ଥିବା କୋଠାର ଉପର ମହଲାରେ ଏକ ପାଠାଗାର ନିର୍ମାଣ କରାଯାଇଛି। ଏହି ପାଠାଗାରଟି ସରକାରୀ ଅର୍ଥ ଲୁଟ୍‌ର ମାଧ୍ୟମ ସାଜିଛି। ନିର୍ମାଣ କାର୍ଯ୍ୟ ପାଇଁ ୪ ଥର ବିଲ୍‌ ହୋଇଥିବ‌ା ଜଣାପଡ଼ିଛି। ପାଠାଗାରର କାନ୍ଥରେ ୪ଟି ସୂଚନାଫଳକ ରହିଛି। ୨୦୨୦ ମସିହାରେ ପାଠାଗାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏଥିପାଇଁ କେତେ ଟଙ୍କା ଅଟକଳ ହୋଇଥିଲା, ସେନେଇ ସୂଚନାଫଳକରେ ତଥ୍ୟ ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ପଞ୍ଚମ ଅର୍ଥ କମିସନ ଯୋଜନାରେ ପାଠଗାର ନିର୍ମାଣ ପାଇଁ ୨ ଲକ୍ଷ ୪୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା।

Advertisment

ସେହିପରି ଉକ୍ତ ଆର୍ଥିକ ବର୍ଷରେ ଛାତର ସୌନ୍ଦର୍ଯ୍ୟୀକରଣ ପାଇଁ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିସନ ଯୋଜନାରେ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ସୌନ୍ଦର୍ଯ୍ୟ କାମ ଜମା ବି ହୋଇନାହିଁ। ସେହିପରି ୨୦୨୧/୨୨ ଆର୍ଥିକ ବର୍ଷରେ ପାଠାଗାର ପୂର୍ଣ୍ଣାଙ୍ଗୀକରଣ ପାଇଁ ରାଜ୍ୟ ପଞ୍ଚମ ଅର୍ଥ କମିସନ ଯୋଜନାରେ ୧ ଲକ୍ଷ ୬୪ ହଜାର ୩୨ ଟଙ୍କା ଏବଂ ଉକ୍ତ ଆର୍ଥିକ ବର୍ଷରେ ପାଠାଗାରର ପୂର୍ଣ୍ଣାଙ୍ଗୀକାରଣ ପାଇଁ ବିଧାୟକ ପାଣ୍ଠିରୁ ୧ ଲକ୍ଷ ୨୭ ହଜାର ୭୫୦ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଗୋଟିଏ ପାଠାଗାର ନିର୍ମାଣ ପାଇଁ ୪ ଥର ବିଲ୍‌ ହେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି। ସଲାସୁତରାରେ ଏପରି ହୋଇଥିବା ଅଭିଯୋଗ ଉଠିଛି। ଘଟଣା ବାବଦରେ ବର୍ତ୍ତମାନର ସରପଞ୍ଚ କରୁଣାକର ମଲ୍ଲିକଙ୍କୁ ପଚରାଯାଇଥିଲା।

ଗୋଟିଏ ଘର ପାଇଁ ଥରେ ଅର୍ଥ ମଞ୍ଜୁର ହୁଏ। କିନ୍ତୁ ପାଠାଗାର ପାଇଁ ୪ ଥର ଅର୍ଥ ମଞ୍ଜୁର ହୋଇଥିବାରୁ ଏଥିରେ ଦୁର୍ନୀତି ହୋଇଛି ବୋଲି କହିଛନ୍ତି। ସେହିପରି ପୂର୍ବତନ ସରପଞ୍ଚ ଲିପିକା ରାଉଳଙ୍କୁ ପଚରାଯିବାରୁ ସେ କିଛି କହିବାକୁ ମନା କରିଦେଇଛନ୍ତି। ଘଟଣା ବାବଦରେ ବସ୍ତା ବିଡିଓ ସତ୍ୟଜିତ ମହାନ୍ତିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କାହିଁକି ଓ କ’ଣ ପାଇଁ ଗୋଟିଏ ଘର ପାଇଁ ୪ ଥର ଅର୍ଥ ମଞ୍ଜୁର କରାଯାଇଛି, ସେନେଇ ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।