ଫୁଲବାଣୀ : ୮ କୋଟି ଟଙ୍କାର ଋଣ ଜାଲିଆତି। ୮୫ ଜଣଙ୍କ ନାଁରେ ଜାଲିଆତି କରି ବ୍ୟାଙ୍କରୁ ଉଠାଇ ନେଇଛନ୍ତି ଏହି ଋଣଟଙ୍କା। ଯେଉଁମାନଙ୍କ ନାଁରେ ଟଙ୍କା ଉଠାଯାଇଛି ନା ସେମାନେ ଚାକିରି କରିଛନ୍ତି ନା ପେନ୍‌ସନ୍‌ ପାଉଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେମାନଙ୍କ ନାଁରେ ଋଣ କରାଯାଇଥିଲେ ବି ସେମାନେ ଜାଣିନାହାନ୍ତି। ଏହିଭଳି ଏକ ବଡ଼ଧରଣର ଜାଲିଆତି କରିଥିବା ଫୁଲବାଣୀ ଏସ୍‌ବିଆଇ ମୁଖ୍ୟ ବ୍ରାଞ୍ଚ୍‌ରେ କାର୍ଯ୍ୟରତ ଆଶୁତୋଷ ଆଚାର୍ଯ୍ୟ ନାମକ ଜଣେ ଡେପୁଟି ମ୍ୟାନେଜର ଧରାପଡ଼ିଛନ୍ତି। ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Advertisment

୫ ଜିଲ୍ଲାର ୮୫ଜଣଙ୍କୁ ମୋହରା ବନାଇଥିଲେ
ଯୋଗାଣ ନିରୀକ୍ଷକଙ୍କ ସହ ମିଶି ଚଳାଇଥିଲେ ଚିଟ୍‌ଫଣ୍ଡ୍‌ ସଂସ୍ଥା

ଅଭିଯୋଗ ଅନୁସାରେ, ୨୦୨୧ ମସିହା ସେପ୍ଟେମ୍ବରରୁ ୨୦୨୨ ମସିହା ସେପ୍ଟେମ୍ବର ମାସ ମଧ୍ୟରେ ଡେପୁଟି ମ୍ୟାନେଜର୍‌ ଆଶୁତୋଷ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ଋଣ ବାବଦରେ ପ୍ରାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇଥିଲେ। ୮୫ ଜଣଙ୍କ ନାମରେ ବ୍ୟାଙ୍କରୁ ଋଣ ଉଠାଣ କରାଯାଇଥିଲା। ଚାକିରି କରି ନଥିବା ୫୯ ଜଣ ବ୍ୟକ୍ତିଙ୍କ ଜାଲ୍‌ କାଗଜପତ୍ର ମାଧ୍ୟମରେ ଏକ୍ସପ୍ରେକ୍ସ କ୍ରେଡିଟ୍‌ ସ୍କିମ୍‌ରେ ଋଣ କରାଇ ଦିଆଯାଇଥିଲା। ସେହିଭଳି ପେନ୍‌ସନ୍‌ ପାଉ ନଥିବା ୨୬ ଜଣଙ୍କ ନାମରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ପେନ୍‌ସନ୍‌ ସ୍କିମ୍‌ରେ ଋଣ କରାଇ ଦେଇଥିଲେ। ଯେଉଁମାନଙ୍କ ନାଁରେ ଋଣ କରାଯାଇଥିଲା, ସେମାନଙ୍କ ଘର ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ବର ଓ କନ୍ଧମାଳ ଜିଲ୍ଲାରେ। ଏପରିକି ଖଜୁରୀପଡ଼ା ବ୍ଲକ୍‌ରେ କାର୍ଯ୍ୟ କରୁଥିବା ତତ୍କାଳୀନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସଙ୍କ ଆକାଉଣ୍ଟ୍‌କୁ ଋଣ ବାବଦକୁ ୧ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କା ମଧ୍ୟ ଯାଇଥିଲା। ତେବେ,ଏହି ୮୫ ଜଣ ଋଣ ପରିଶୋଧ ନକରିବାରୁ ଏହାକୁ ଏନ୍‌ପିଏ (ଅନାଦେୟ ଋଣ) ଘୋଷଣା କରିଥିଲା। ଏହାପରେ ଏହି ଠକେଇ ପଦାକୁ ଆସିଥିଲା। ପରେ ବ୍ୟାଙ୍କର କ୍ରେଡିଟ୍‌ ଟିମ୍‌ ଓ ଏନ୍‌ପିଏ ଟିମ୍‌ ଯାଞ୍ଚ କରିବାପରେ ଜାଲିଆତି କରି ଋଣ ନିଆଯାଇଥିବା ଜଣାପଡ଼ିଥିଲା। ଆଶୁତୋଷଙ୍କ ସମ୍ପର୍କୀୟମାନଙ୍କ ଆକାଉଣ୍ଟ୍‌କୁ କୋଟିକୋଟି ଟଙ୍କା ଋଣ ଅର୍ଥ ଟ୍ରାନ୍ସଫର୍‌ କରାଯାଇଥିଲା।

ଋଣ ଜାଲିଆତି ମାମଲାରେ ଫୁଲବାଣୀ ଏସ୍‌ବିଆଇ ଆର୍‌ବିଓର ରିଜିଓନାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା ଇଓଡବ୍ଲ୍ୟୁରେ ଏତଲା ଦେବାପରେ ଗତ ଏପ୍ରିଲ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। କେସ୍‌ ନଂ-୧୪ରେ ଦଫା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦ ବି ଅନୁସାରେ ଇଓଡବ୍ଲ୍ୟୁର ଡିଏସ୍‌ପି ମନୋଜ କୁମାର ସାମନ୍ତଙ୍କ ନେତୃତ୍ବ‌ରେ ଏକ ଟିମ୍‌ ଆଷୁତୋଷଙ୍କୁ ଗିରଫ କରିଛନ୍ତି। ଫୁଲବାଣୀ ଏସ୍‌ଡିଜେଏମ୍‌ କୋର୍ଟରେ ଆଜି ହାଜର କରାଇଥିଲେ ବୋଲି ସରକାରୀ ଓକିଲ ଦୀପକ କୁମାର ନାୟକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଆଶୁତୋଷ ଓ କନ୍ଧମାଳ ଜିଲ୍ଲାର ତତ୍କାଳୀନ ଯୋଗାଣ ନିରୀକ୍ଷକ ସମରେଶଙ୍କ ମିଳିତ ଉଦ୍ୟମରେ ଏକ ଚିଟ୍‌ଫଣ୍ଟ କମ୍ପାନି ଗଠନ କରି ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଏମିତିକି କନ୍ଧମାଳର ଅନେକ ସରକାରୀ ଅଫିସର ଏବଂ କର୍ମଚାରୀ ମଧ୍ୟ ଏହି ଚିଟ୍‌ଫଣ୍ଡରେ ଟଙ୍କା ଲଗାଇ ସର୍ବସ୍ବାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଇଓଡବ୍ଲ୍ୟୁରେ ଏତଲା ଦେବାପରେ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଆହୁରି ୬ରୁ୭ ଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁର ଡିଏସ୍‌ପି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି।