ରାଉରକେଲା: ଉପାନ୍ତ ବ୍ଲକରେ ଜନସେବା କେନ୍ଦ୍ର ଖୋଲି ନିରୀହ ଜମାକାରୀଙ୍କୁ ଠକୁଛନ୍ତି। ବ୍ୟାଙ୍କରେ ଭିଡ଼ରୁ ବର୍ତ୍ତିବାକୁ ଜମାକାରୀଟିଏ ଜନସେବା କେନ୍ଦ୍ରରେ ପହଞ୍ଚିଲା ମାତ୍ରେ କର୍ମଚାରୀମାନେ ଆରମ୍ଭ କରି ଦେଉଛନ୍ତି ଠକିବାର ଯୋଜନା। ମାସକୁ ୧୦ କି ୨୦ ନୁହେଁ ପାଖାପାଖି ୧୫୦ରୁ ଅଧିକ ଜମାକାରୀଙ୍କ ଟଙ୍କା ଖାଇଦେଇଛନ୍ତି। ନୂଆଗାଁ ବ୍ଲକ ଅନ୍ତର୍ଗତ କାତେପୁର ପୁଷ୍ପା ମୁଣ୍ଡା ସୋରଡା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ବ୍ୟାଙ୍କରେ ଭିଡ ଥିବାରୁ ଜନସେବା କେନ୍ଦ୍ରରେ ପହଞ୍ଚିଥିଳେ। ଟଙ୍କା ଉଠାଇବାକୁ ଜନସେବା କେନ୍ଦ୍ରର କର୍ମଚାରୀଙ୍କୁ କହିଥିଲେ।
କର୍ମଚାରୀ ଜଣକ ପୁଷ୍ପାଙ୍କ ଆଧାର କାର୍ଡ ମାଗିଥିଲେ। ଆଧାର କାର୍ଡ ଦେବା ପରେ କର୍ମଚାରୀ ଜଣକ ପୁଷ୍ପାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ପରେ ପୁଷ୍ପା ଫିଙ୍ଗର ପ୍ରିଣ୍ଟ ଦେଇଥିଲେ। କର୍ମଚାରୀ ଜଣକ ପୁଷ୍ପା ଯେତିକି ଟଙ୍କା କହିଥିଲେ ସେତିକି ଟଙ୍କା ଦେଇଥିଲେ। ପରେ କର୍ମଚାରୀ ଜଣକ ତାଙ୍କ ଆକାଉଣ୍ଟରୁ ୧୨ ହଜାର ଟଙ୍କା ସମ୍ପର୍କୀୟଙ୍କ ୱାଲେଟ୍କୁ ଟ୍ରାନ୍ସଫର କରିଦେଇଥିଲେ। ପୁଷ୍ପା କିନ୍ତୁ ଏ ସମ୍ପର୍କରେ ଜାଣିପାରି ନଥିଲେ। ବ୍ୟାଙ୍କ ଖାତାକୁ ଅପ୍ଡେଟ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୧୨ ହଜାର ଟଙ୍କା କଟି ଯାଇଥିବା ଜାଣିବାକୁ ପାଇଥିଲେ। ଠକାମିର ଶିକାର ପୁଷ୍ପା ସୋରଡା ବ୍ୟାଙ୍କର ମ୍ୟାନେଜରଙ୍କୁ ଏ ସଂକ୍ରାନ୍ତରେ କହିଥିଲେ। ବ୍ୟାଙ୍କ ମ୍ୟାନେଜର ବିଶ୍ରା ଥାନାରେ ଲିଖିତ ଅଭିଯୋଗ ଦିଅ ବୋଲି କାମ କରି ଦେଇଥିଲେ। କେବଳ ପୁଷ୍ପା ନୁହେଁ କାତେପୁରର ଅଶୋକ ସିଂ ଆକାଉଣ୍ଟରୁ ୨୦ ହଜାର, ବାରିବେଡାର ଜଣ୍ଟା ଆଇନ୍ଦଙ୍କ ଆକାଉଣ୍ଟରୁ ୯ ହଜାର ଟଙ୍କା, ପିତଲର ରାମଲକ୍ଷ୍ମଣ ବଡାଇଙ୍କ ଆକାଉଣ୍ଟରୁ ୨୦ ହଜାର, ବାରିଲେପଟାର ଦୁଧି ମାହାଲିଙ୍କ ଆକାଉଣ୍ଟରୁ ୫ ହଜାର ଟଙ୍କା କଟି ଯାଇଥିଲେ ।
ଜନସେବା କେନ୍ଦ୍ରରେ ଦିନକୁ ପାଖାପାଖି ୨ଜଣ, ଏମିତି ମାସକୁ ନୂଆଗାଁ ବ୍ଲକରେ ୧୫୦ରୁ ଅଧିକ ଟଙ୍କା ଠକାମିରେ ଶିକାର ହୋଇଛନ୍ତି। ଏମାନଙ୍କ ଠାରୁ ଜନସେବା କେନ୍ଦ୍ରଗୁଡ଼ିକ ପାଖାପାଖି ଗୋଟିଏ ମାସରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏମାନେ ନିଜର ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବିଶ୍ରା ଥାନାକୁ ଦୌଡୁଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଏମାନଙ୍କ ଅଭିଯୋଗକୁ ଏତେଟା ଗୁରୁତ୍ବ ଦେଉନାହାନ୍ତି। ଥାନା ଅଧିକାରୀ ଅଭିଯୋଗ କରୁଛନ୍ତି। ମାସକ ମଧ୍ୟରେ ପାଖାପାଖି ୭୦ରୁ ଅଧିକ ଅଭିଯୋଗ ହୋଇଥିଲେ ହେଁ ଘଟଣାର ତଦନ୍ତ ନ କରି ପୁଲିସ ଚୁପ୍ ରହୁଛନ୍ତି। ଫଳରେ ଏହାର ଭରଫୁର ଫାଇଦା ଉଠାଉଛନ୍ତି ଅଧିକାଂଶ ଜନସେବା କେନ୍ଦ୍ରରେ କାମ କରୁଥିବା କିଛି କରିକର୍ମା କର୍ମଚାରୀ। ମାସକୁ ଲକ୍ଷ ଲକ୍ଷ ଟଙ୍କା ଜମାକାରୀଙ୍କ ଆକାଉଣ୍ଟରୁ ଠକି ନେଉଛନ୍ତି। ଅଧିକାଂଶ ସମୟରେ ଜନସେବା କେନ୍ଦ୍ରର କର୍ମଚାରୀଙ୍କ ସହ ଲୋକଙ୍କ ପାଟିତୁଣ୍ଡ ହେଉଛି।
ଜନସେବା କେନ୍ଦ୍ରର କର୍ମଚାରୀମାନେ ରୋକ୍ଠୋକ୍ ଆମେ କିଛି ଠକୁ ନାହୁଁ ବୋଲି ଜମାକାରୀଙ୍କ ସମ୍ପର୍କୀକଙ୍କୁ କହୁଛନ୍ତି। ନୂଆଗାଁ, ସୋରଡା, ଲୁଆରାମ, ଚିତାପେଡି, କାତେପୁର,ଖୁଣ୍ଟଗାଁ ଆଦି ଅଞ୍ଚଳରେ ଖୋଲାଯାଇଥିବା ଅଧିକାଂଶ ଜନସେବା କେନ୍ଦ୍ର ଏଭଳି ନିରୀହ ଜମାକାରୀଙ୍କୁ ଠକି ଚାଲିଛନ୍ତି। ବିଶେଷ କରି ପେନ୍ସନଧାରୀ, ଚାଷୀ ଓ ଅନ୍ୟ ନିରୀହ ଲୋକଙ୍କୁ ଜନସେବା କେନ୍ଦ୍ରର କର୍ମଚାରୀମାନେ ଟାର୍ଗେଟ କରୁଛନ୍ତି। ଜମାକାରୀଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ କେତେ ଟଙ୍କା ଜମା ଅଛି ଦେଖୁଛନ୍ତି। ପରେ ୱାଲେଟ୍କୁ ଟ୍ରାନ୍ସଫର କରୁଛନ୍ତି। ୱାଲେଟ୍କୁ ଆସିଥିବା ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ଦେଉଛନ୍ତି। ଏସବୁ ଜନସେବା କେନ୍ଦ୍ରରେ ମାସ ମାସ ଧରି ଏଭଳି ବେଆଇନ କାମ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍। କେବଳ ନୂଆଗାଁ ବ୍ଲକରେ ବିଶ୍ରା, ଲାଠିକଟା ଓ କୁଆରମୁଣ୍ଡା ବ୍ଲକର କିଛି ଜନସେବା କେନ୍ଦ୍ରରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଏଥିପ୍ରତି ରାଉରକେଲା ଓ ସୁନ୍ଦରଗଡ଼ ଏସ୍ପି ଧ୍ୟାନ ଦେବାକୁ ଠକାମିର ଶିକାର ହୋଇଥିବା ଜମାକାରୀମାନେ ନିବେଦନ କରିଛନ୍ତି।