କୋରେଇ: ପୂର୍ବତଟ ରେଳବାଇରେ ଚାକିରି କରାଇଦେବା ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତକୁ କୋରେଇ ପୁଲିସ୍ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ପାଟୁଳୀ ଗ୍ରାମର ନିରଂଜନ ପରିଡ଼ା। ସେ କୋରେଇ ବ୍ଲକ୍ ବୈତରଣୀରୋଡ୍ ରେଲଓ୍ବେ ଷ୍ଟେସନରେ ଜଣେ ଟି.ପି କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଦର୍ଶାଇ ବହୁଦିନ ଧରି ବୈତରଣୀରୋଡ୍ ବଜାରରେ ରହୁଥିଲା। ସେଠାରେ ସ୍ଥାନୀୟ ଯୁବକଯୁବତୀଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବେରୋଜଗାର ଯୁବକଯୁବତୀଙ୍କୁ ରେଳବାଇରେ ଚାକିରି କରାଇଦେବାକୁ କହି ଟଙ୍କା ନେଇଥିଲେ।
କୋରେଇ ତଥା ଆଖପାଖ ଅଞ୍ଚଳର ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସଂପର୍କ ରଖି ସ୍ଥାନୀୟ ଲୋକଙ୍କ ବିଶ୍ବାସଭାଜନ ହୋଇଥିଲା। ହେଲେ ଚାକିରି ନମିଳିବାରୁ ଲୋକେ ଟଙ୍କା ଫେରସ୍ତ ମାଗିଥିଲେ। ଏହାପରେ ନିରଂଜନ ଫେରାର ହୋଇଯାଇଥିଲା। ପରେ ୨୦୧୭ ରେ କୋରେଇର ବହୁ ଯୁବକଯୁବତୀ କୋରେଇ ଥାନାରେ ତା’ ନାଁରେ ଏତଲା ମଧ୍ୟ ଦେବା ସହ ଭଦ୍ରକ ଜିଲ୍ଲା ଧାମନଗର ଜେଏମ୍ଏଫ୍ସିଙ୍କ ନିକଟରେ ମଧ୍ୟ ଗୁହାରି କରିଥିଲେ। ଶେଷରେ ଗିରଫ ୱାରେଣ୍ଟ ବାହାରିବା ପରେ ସେ ବହୁଦିନ ଧରି ଫେରାର ହୋଇଯାଇଥିଲା। କିଛିଦିନ ପୂର୍ବରୁ ଧାମନଗର ଜେଏମ୍ଏଫ୍ସିଙ୍କ କୋର୍ଟରୁ ଏଇ ମାମଲାରେ ନିରଂଜନ ନାଁରେ ୱାରେଣ୍ଟ ନମ୍ବର ୩୧/୧୭ ଜାରି ହୋଇଥିଲା। କୋର୍ଟଙ୍କ ଆଦେଶ ପହଞ୍ଚିବା ପରେ କୋରେଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ଗତକାଲି ଅଭିଯୁକ୍ତକୁ ଭଦ୍ରକ ଜିଲ୍ଲାସ୍ଥିତ ତା’ ଘରୁ ଗିରଫ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/6-12.jpg)
