କଟକ: ଡାକ୍ତର ଦମ୍ପତିଙ୍କଠାରୁ ଦେଢ଼କୋଟି ଟଙ୍କା ଠକେଇ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। କେବଳ ଏହି ଡାକ୍ତର ଦମ୍ପତି ନୁହନ୍ତି, ଜଣେ ଷ୍ଟେସନାରି ଦୋକାନୀଙ୍କ ସମେତ ଅନ୍ୟ ଅନେକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ସଂପର୍କରେ ଅଭିଯୋଗ ସାମ୍‌ନାକୁ ଆସିବାରେ ଲାଗିଛି। କ୍ରାଇମବ୍ରାଞ୍ଚ ପୁଲିସ ପ୍ରାଥମିକ ଛାନ୍‌ଭିନ୍‌ ପରେ ସୌମ୍ୟରଞ୍ଜନ ଜେନା ନାମକ ଜଣେ ବ୍ୟକ୍ତିଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। 

Advertisment

ସୂଚନା ଅନୁଯାୟୀ, କଟକ ଚାନ୍ଦିନୀଚୌକ ଅଞ୍ଚଳର ଡାକ୍ତର ମିନୁ ରାଜେନ୍ଦ୍ର ଅଗ୍ରଵାଲଙ୍କ ଡେଣ୍ଟାଲ୍ କ୍ଲିନିକ୍‌କୁ ଗତିରାଉତପାଟଣା ଅଞ୍ଚଳର ସୌମ୍ୟରଞ୍ଜନ ଜେନା ଚିକିତ୍ସା ପାଇଁ ଆସି ଡାକ୍ତରଙ୍କ ସହ ସଂପର୍କ ଯୋଡ଼ିଥିଲେ। ଏକାଠି ହୋଇ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଥିଲେ। ତାସି ରିୟଲ ଇଷ୍ଟେଟ୍ ନାଁରେ ସୌମ୍ୟରଞ୍ଜନ ଏକ ଫାର୍ମ ଖୋଲିଥିଲେ। ଲିଙ୍କରୋଡ୍‌ରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଏକ ଯୁଗ୍ମ ଆକାଉଣ୍ଟ ବି ଖୋଲିଥିଲେ। ଡାକ୍ତର ଅଗ୍ରଵାଲ ୨୦୨୧ ଡିସେମ୍ବର ୨୩ରେ ଏହି ଆକାଉଣ୍ଟରେ ପ୍ରଥମେ ୫୦ ହଜାର ଟଙ୍କା ଜମା କରିଥିଲେ। ପରେ ୨୦୨୧ ଡିସେମ୍ବର ୨୭ରେ ୪ ଲକ୍ଷ ୫୦ ହଜାର ଓ ୨୦୨୨ ମାର୍ଚ୍ଚ ୮ରେ ୫ ଲକ୍ଷ ଟଙ୍କା ଜମା କରିଥିଲେ। ତାସି ରିଅଲ୍ ଇଷ୍ଟେଟ୍ ନାଁରେ ଖୋଲିଥିବା ଏହି ଯୁଗ୍ମ ଆକାଉଣ୍ଟରେ ବିଭିନ୍ନ ସମୟରେ ବିଭିନ୍ନ ଲୋକ ୩୫ ଲକ୍ଷ ୫୦ ହଜାର ଟଙ୍କା ଜମା କରିଥିଲେ। ତେବେ ଜମି କିଣିବା ପାଇଁ ସୌମ୍ୟରଞ୍ଜନ ସମସ୍ତ ଟଙ୍କା ଉଠାଇ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସୌମ୍ୟରଞ୍ଜନ ଜମି କିଣି ନଥିଲେ। ସୌମ୍ୟରଞ୍ଜନଙ୍କ ମାଲିକାନାରେ ଥିବା ଆଉ ଏକ ରିଅଲ ଇଷ୍ଟେଟ୍ ଫାର୍ମ ଏସ୍‌ଆର୍ ଡେଭଲପର୍ସ ଆକାଉଣ୍ଟରେ ଏହି ଟଙ୍କା ଜମା କରିଦେଇଥିଲେ। ଏଭଳି ଆର୍ଥିକ ଅନିୟମିତତା ସମ୍ପର୍କରେ ଡାକ୍ତର ଅଗ୍ରଵାଲ ଜାଣିବା ପରେ ସୌମ୍ୟରଞ୍ଜନଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କିନ୍ତୁ ଟଙ୍କା ଫେରସ୍ତ ନ କରିବାରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। 

ଡାକ୍ତର ଅଗ୍ରଵାଲଙ୍କ ସ୍ବାମୀ ଡାକ୍ତର ରୋହିତ କୁମାର ଅଗ୍ରଵାଲଙ୍କୁ ମଧ୍ୟ ସୌମ୍ୟରଞ୍ଜନ ଠକିଥିବା ଅଭିଯୋଗ ହୋଇଛି। ସୌମ୍ୟରଞ୍ଜନଙ୍କ ରିଅଲ ଇଷ୍ଟେଟ୍ ବ୍ୟବସାୟ ପାଇଁ ୧ କୋଟି ୨୬ ଲକ୍ଷ ୯୨ ହଜାର ୫୦୦ ଟଙ୍କା ନେଇଥିଲେ। ଟଙ୍କା ମାଗିବାରୁ ସୌମ୍ୟରଞ୍ଜନ ଓ ତାଙ୍କର ସହଯୋଗୀ ଆଲୋକ ବିଶ୍ବାଳ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।
ସେହିଭଳି ଲାଲବାଗ ଡଗରପଡ଼ା ଅଞ୍ଚଳର ଜଣେ ଷ୍ଟେସନାରି ଦୋକାନୀଙ୍କୁ ବାରଙ୍ଗ ବଚ୍ଛିପୁର ଅଞ୍ଚଳରେ ଜମି ଦେବାକୁ କହି ସୌମ୍ୟରଞ୍ଜନ ୩ ଲକ୍ଷ ୭୪ ହଜାର ଟଙ୍କା ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ସମ୍ପର୍କରେ ଯାଞ୍ଚ କରିବାରୁ ତାହା ୨୦୨୦ ଜାନୁଆରିରେ ବିକ୍ରି ହୋଇଯାଇଥିବା ଜଣାପଡ଼ିଥିଲା। ସୌମ୍ୟରଞ୍ଜନ ଖାନନଗର ପେଟ୍ରୋଲ ପମ୍ପ ନିକଟରେ ଏସଆର୍ ଡେଭଲପର୍ସ ନାଁରେ ଏକ ରିୟଲ ଇଷ୍ଟେଟ୍ ସଂସ୍ଥା ଖୋଲିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଏବେ ସମସ୍ତ ମାମଲାର ତଦନ୍ତ ଆରମ୍ଭ କରିଛି।