କଟକ: ଭୁବନେଶ୍ବରରେ ଜଣେ ବରିଷ୍ଠ ନାଗରିକଙ୍କୁ ‘ଡିଜିଟାଲ୍ ଆରେଷ୍ଟ’ ଭୟ ଦେଖାଇ ୧କୋଟି ୩୮ଲକ୍ଷ ଟଙ୍କା ଠକେଇ ଘଟଣାରେ କ୍ରାଇମ୍ବ୍ରାଞ୍ଚକୁ ମିଳିଛି ସଫଳତା। ଏହି ମାମଲାରେ ଗାଜିଆବାଦରୁ ଠକ ମାଆ,ପୁଅଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ହେଉଛନ୍ତି ନୀଳିମା ଅଗ୍ରୱାଲ(୫୨) ଓ ବଂଶ ଅଗ୍ରଵାଲ(୨୬)। ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଣେ ବରିଷ୍ଠ ନାଗରିକ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ପାଇଥିଲେ। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଫେଡଏକ୍ସ କୋରିଅର୍ କମ୍ପାନିର ଅଧିକାରୀ ଭାବେ ପରିଚୟ ଦେଇଥିଲେ। ପରେ ମୁମ୍ବାଇ ସାଇବର୍ କ୍ରାଇମ୍ ଡିଭିଜନ୍ର ଅଧିକାରୀ ପରିଚୟ ଦେଇ ଆଉ ଜଣେ କଥା ହୋଇଥିଲେ। ଏହି ବରିଷ୍ଠ ନାଗିରକଙ୍କ ଆଧାର କାର୍ଡ କେହି ଦୁର୍ବୃତ୍ତ ହ୍ୟାକ୍ କରିଥିବା ବେଳେ ଏହାକୁ ଆର୍ଥିକ ଅନିୟମିତତାରେ ବ୍ୟବହାର ହୋଇଥିବା ଫୋନ୍ କରିଥିବା ବ୍ୟକ୍ତି କହିଥିଲେ। ତେଣୁ ଏ ନେଇ ଏହି ବରିଷ୍ଠ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ସେ ୩ରୁ ୭ ବର୍ଷ ଜେଲ୍ଦଣ୍ଡ ଭୋଗିବା ନେଇ ଧମକ ଦେଇଥିଲେ। ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ପଠାଇବାକୁ ସାଇବର୍ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇଥିବା ବ୍ୟକ୍ତି ପରାମର୍ଶ ଦେଇଥିଲେ।
ପରେ ଏହି ସମସ୍ତ ଟଙ୍କା ପୁଣି ଥରେ ଫେରି ଆସିବ ବୋଲି ବ୍ୟକ୍ତିଜଣକ କହିଥିଲେ। ଫଳରେ ଏହି ବରିଷ୍ଠ ନାଗରିକ ଜଣକ ତାଙ୍କ ଆକାଉଣ୍ଟରେ ଥିବା ୧ କୋଟି ୩୭ ଲକ୍ଷ ୯୦ ହଜାର ଟଙ୍କା ୫ଟି ପର୍ଯ୍ୟାୟରେ ପୁଲିସ ଅଧିକାରୀଙ୍କ ଆକାଉଣ୍ଟକୁ ପଠାଇଥିଲେ। ସେ ମେ’ ୧୪ରୁ ୧୮ ତାରିଖ ମଧ୍ୟରେ ନିଜ ଆକାଉଣ୍ଟ ଓ ପତ୍ନୀଙ୍କ ଆକାଉଣ୍ଟରେ ଥିବା ଏହି ଟଙ୍କା ପଠାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଟଙ୍କା ଫେରସ୍ତ ଆସିନଥିଲା। ତେଣୁ ବରିଷ୍ଠ ନାଗରିକ ଜଣକ ଏ ସଂକ୍ରାନ୍ତରେ କ୍ରାଇମ୍ବ୍ରାଞ୍ଚରେ ମେ ୨୨ରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ସମୟରେ ତିନୋଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିବା ଜଣାପଡ଼ିଥିଲା। ୧ କୋଟି ୧୨ ଲକ୍ଷ ଟଙ୍କା ବଂଶିଲ୍ ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡ ଆକାଉଣ୍ଟକୁ ଯାଇଥିଲା। ତଦନ୍ତ ସମୟରେ ନୀଳିମା ଓ ବଂଶ ଏହି କମ୍ପାନିର ମାଲିକ ବୋଲି ଜଣାପଡ଼ିଥିଲା। କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତରପ୍ରଦେଶର ଗାଜିଆବାଦରେ ପହଞ୍ଚି ଉଭୟ ମା’-ପୁଅଙ୍କୁ ଗିରଫ କରିଥିଲା। ଡିସେମ୍ବର ୨୭ ତାରିଖରେ ସେମାନଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି। ଏହି ଠକେଇ କାରବାର ପାଇଁ ଦୁଇ ଜଣ ୧୩ଟି ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ଉତ୍ତରପ୍ରଦେଶର ମିରଟ୍ରେ ପିଏନ୍ବି ଓ ଏସ୍ବିଆଇ ଶାଖାଗୁଡ଼ିକରେ ଆକାଉଣ୍ଟ ଖୋଲାଯାଇଥିଲା। ଏହି ଦୁଇ ଠକ ପୂର୍ବରୁ ଦିଲ୍ଲୀ ମନ୍ଦିର ମାର୍ଗ ସାଇବର୍ କ୍ରାଇମ୍ ପୁଲିସ ଥାନା ଦ୍ବାରା ଗିରଫ ହୋଇଥିଲେ। ଚଳିତ ବର୍ଷ ଏକ ଠକେଇ ମାମଲା ଉକ୍ତ ଥାନାରେ ରୁଜୁ ହୋଇଥିଲା। ସେହି ଘଟଣା ମଧ୍ୟ ଏକ ‘ଡିଜିଟାଲ୍ ଆରେଷ୍ଟ’ ଥିଲା। ଉଭୟ ମାଆ,ପୁଅ ୬୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନ୍ସିପିଆର୍ ପୋର୍ଟାଲ୍ରେ ଠକଙ୍କ ଅପରାଧ ରେକର୍ଡ ଯାଞ୍ଚ ସମୟରେ ମାଆ,ପୁଅଙ୍କ ନାମରେ ଦେଶରେ ୧୫ଟି ମାମଲା ଥିବା ଜଣାପଡ଼ିଛି।