ସମ୍ବଲପୁର : ଘର ବିକ୍ରି କରିବା ପରେ ଖାଲି ନ କରିବା, ଘର ଭଡ଼ା ବାବଦ ଅର୍ଥ ହଡ଼ପ କରିବା, ଦେଇଥିବା ଚେକ୍ ବାଉନ୍ସ ହେବା ଆଦି ଅଭିଯୋଗରେ ଯୁଯୁମୁରାର ଶୁଭ୍ରଶ୍ରୀ ମହାପାତ୍ର ନାମ୍ନୀ ମହିଳାଙ୍କ ବିରୋଧରେ ଝାରସୁଗୁଡ଼ା ଜିଲ୍ଲା କନକତୋରା ନିବାସୀ ନୀଳିମା ସାହୁ ଏବଂ ତାଙ୍କ ସ୍ବାମୀ ପ୍ରଶାନ୍ତ ବିଶ୍ବାଳ ଅଭିଯୋଗ କରିଛନ୍ତି। ଏନେଇ ଯୁଯୁମୁରା ଥାନାରେ ଏତଲା ଦାଏର ହୋଇଛି।
ଯୁଯୁମୁରାର ଶୁଭଶ୍ରୀ ମହାପାତ୍ରଙ୍କର ଛତିଶଗଡ଼ ରାୟଗଡ଼ରେ ଏକ ଘର ଥିଲା ଯାହା ସେ କନକତୋରା ନିବାସୀ ନୀଳିମା ସାହୁଙ୍କୁ ବିକ୍ରି କରିଥିଲେ। ଘର ନୀଳିମାଙ୍କ ନାମରେ ପଞ୍ଜୀକରଣ ହୋଇ ସାରିବା ପରେ ଶୁଭଶ୍ରୀଙ୍କ ମାଆ ଶାନ୍ତିଲତା ମହାପାତ୍ର କୋଭିଡ୍ କାରଣରୁ ଆଉ ୩ ମାସ ସେଠାରେ ରହିବା ପାଇଁ ସମୟ ମାଗିଥିଲେ। ହେଲେ ଏହାପରେ ବି ସେ ଆଉ ଘର ଛାଡ଼ି ନଥିଲେ ଓ ଘରେ ରହୁଥିବା ଅନ୍ୟ ଭଡ଼ାଟିଆଙ୍କ ଘରଭଡ଼ା ବାବଦ ଅର୍ଥ ବି ନିଜେ ରଖୁଥିଲେ। ଅପରପକ୍ଷରେ ଘର ଋଣ ବାବଦକୁ ଥିବା ବକେୟା କିସ୍ତି ନୀଳିମାଙ୍କୁ ଭରିବାକୁ ପଡ଼ୁଥିଲା। ପରେ ରାୟଗଡ଼ରେ ଏକ ଦେୱାନି ମାମଲା ରୁଜୁ କରି ଘର ଖାଲି ନକରିବା ପାଇଁ ଅନ୍ତରୀଣ ସୁରକ୍ଷା ଆଣିଥିଲେ। ଏହାପରେ ନୀଳିମା ଛତିଶଗଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓ ହାଇକୋର୍ଟ ଘର ଖାଲି କରିବାକୁ ଆଦେଶ ଦେଇଥିଲେ।
ସେହିପରି ରାୟଗଡ଼ର ସିଆର୍ଜିବି ବ୍ୟାଙ୍କରେ ଶୁଭ୍ରଶ୍ରୀଙ୍କ ଘର ଋଣ ବାବଦରେ ଥିବା ଏନ୍ପିଏ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ବ୍ୟାଙ୍କ ମ୍ୟାନେଜର୍ଙ୍କ ଉପସ୍ଥିତିରେ ଶୁଭଶ୍ରୀ ଓ ନୀଳିମାଙ୍କ ମଧ୍ୟରେ ରାଜିନାମା ହୋଇଥିଲା। ଉକ୍ତ ରାଜିନାମା ଅନୁଯାୟୀ ଶୁଭ୍ରଶ୍ରୀ ନୀଳିମାଙ୍କୁ ୩ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଥିଲେ ଓ ଏନ୍ପିଏ ଆକାଉଣ୍ଟ ବନ୍ଦ ହେବା ପରେ ଚେକ୍ ଲଗାଇବାକୁ ସର୍ତ୍ତ ରଖିଥିଲେ। ନୀଳିମା ନିଜେ ଅର୍ଥ ଦେଇ ଏନ୍ପିଏ ଆକାଉଣ୍ଟକୁ ବନ୍ଦ କରାଇଥିଲେ। ଏହାପରେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ନିଜ ପ୍ରତିଶ୍ରୁତି ନରଖି ଶୁଭଶ୍ରୀଙ୍କଠାରୁ ଲାଞ୍ଚ ନେଇ ମଞ୍ଜୁର ହୋଇଥିବା ଋଣ ବାବଦ ବକେୟା ଟଙ୍କା ଶୁଭଶ୍ରୀଙ୍କୁ ପ୍ରଦାନ କରିଥିଲେ ଓ ଶୁଭଶ୍ରୀ ତୁରନ୍ତ ତାହା ଉଠାଇ ନେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଫଳରେ ୩ ଲକ୍ଷ ଟଙ୍କାର ମିଳିଥିବା ଚେକ୍ ମଧ୍ୟ ବାଉନ୍ସ ହୋଇଯାଇଛି। ଶୁଭଶ୍ରୀ, ତାଙ୍କ ମାଆ ଶାନ୍ତିଲତା ଓ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ମିଳିତ ଭାବେ ତାଙ୍କୁ ଠକିଥିବା ନୀଳିମାଙ୍କ ସ୍ବାମୀ ପ୍ରଶାନ୍ତ ବିଶ୍ବାଳ ଅଭିଯୋଗ କରିଛନ୍ତି। ଫଳରେ ସେ ଘର ତ’ ପାଇ ନାହାନ୍ତି, ଚାରି ଆଡ଼ୁ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତେଣୁ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ବିଶ୍ବାଳ ଯୁଯୁମୁରା ପୁଲିସ୍କୁ ଅନୁରୋଧ କରିଛନ୍ତି।