ଭୁବନେଶ୍ବର: ରେଲୱେ, ବ୍ୟାଙ୍କିଙ୍ଗ୍ ଆଦି ଅନ୍ଲାଇନ୍ ପରୀକ୍ଷାର ପରୀକ୍ଷା କେନ୍ଦ୍ର କରିବାକୁ ଯାଇ ୩ ଘରୋଇ କଲେଜ ଠକାମିର ଶିକାର ହୋଇଛନ୍ତି। ଏକ ଜାଲ୍ ସଂସ୍ଥା ୨୦ ଲକ୍ଷ ଟଙ୍କା ଠକି ନେଇଛି ବୋଲି ୩ କଲେଜର କର୍ତ୍ତୃପକ୍ଷ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ମାମଲା ରୁଜୁ କରି ସାଇବର ଥାନା ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। ଠକ ସଂସ୍ଥା ଦ୍ବାରା ଦିଆଯାଇଥିବା ମେଲ୍ ଆଇଡି, ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର, ଫୋନ୍ ନମ୍ବର ଆଦିକୁ ନେଇ ପୁଲିସ ତଦନ୍ତ ଚଳାଇଛି। ଟଙ୍କା ଦେଣନେଣ ହୋଇଥିବା ଆକାଉଣ୍ଟଗୁଡ଼ିକରେ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁର କିଛି କଲେଜରୁ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି। ତେଣୁ ଠକ ସଂସ୍ଥା ଏକ ବଡ଼ଧରଣର ରୢାକେଟ୍ ଚଳାଇଥିବା ସ୍ପଷ୍ଟ ହୋଇଛି।
ରାଜଧାନୀର ୨ଟି ଓ ଚଣ୍ଡିଖୋଲସ୍ଥିତ ଏକ ଶିକ୍ଷାନୁଷ୍ଠାନ ଏହି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ଚଳିତ ବର୍ଷ ଏପ୍ରିଲ୍ ଓ ମେ ମାସରେ ଏଚ୍ସିଏଲ୍ ଟେକ୍ନୋଲୋଜି ସଫଟ୍ଵେର ସଂସ୍ଥାର ପଦାଧିକାରୀ ବୋଲି ପରିଚୟ ଦେଇ ଦୁଇଜଣ ଯୋଗାଯୋଗ କରିଥିଲେ। ତାଙ୍କ ସଂସ୍ଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପରୀକ୍ଷା କରାଉଛନ୍ତି ବୋଲି କହିଥିଲେ। ପରୀକ୍ଷାକେନ୍ଦ୍ର ବାବଦକୁ ତାଙ୍କ ସଂସ୍ଥା କଲେଜଗୁଡ଼ିକୁ ଅଧିକ ଟଙ୍କା ଦେଉଛି ବୋଲି କହି ଲୋଭ ଦେଖାଇଥିଲେ। ପରୀକ୍ଷାକେନ୍ଦ୍ର ପାଇଁ ଆବଶ୍ୟକ ଫର୍ଣିଚର୍ ଓ କମ୍ପ୍ୟୁଟର ବାବଦରେ ସଂସ୍ଥା ଓ କଲେଜ କର୍ତ୍ତୃପକ୍ଷ ପ୍ରତ୍ୟେକ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ହେବ ବୋଲି କଥା ଛିଡ଼ିଥିଲା। ଏଥିପାଇଁ ସଂସ୍ଥା ପକ୍ଷରୁ କୋଲକାତାର ଏକ ଭେଣ୍ଡରକୁ ଠିକା ମିଳିଛି ବୋଲି ସେମାନେ କହିଥିଲେ। ଜୁନ୍ ୨୧ରେ ଚୁକ୍ତିପତ୍ର ସ୍ବାକ୍ଷରିତ ହେଲା ଏବଂ କଲେଜ କର୍ତ୍ତୃପକ୍ଷ କୋଲକାତା ଭେଣ୍ଡର ନାଁରେ ଅଗ୍ରିମ ଟଙ୍କା ପଇଠ କରି ଦେଇଥିଲେ। ଦୁଇ ଇଂଜିନିୟରିଂ କଲେଜ ୬ ଲକ୍ଷ ଟଙ୍କା ଲେଖାଏଁ ଓ ଆଇଆଇଟି କଲେଜ ୮ଲକ୍ଷ ଟଙ୍କା ଜମା କରି ଦେଇଥିଲେ।
ଚୁକ୍ତି ଅନୁସାରେ କଲେଜ କର୍ତ୍ତୃପକ୍ଷ ଅଗ୍ରିମ ଟଙ୍କା ଜମା କରିବାର ଦୁଇ ଦିନ ପରେ କୋଲକାତା ଭେଣ୍ଡର କମ୍ପ୍ୟୁଟର ଓ ଫର୍ଣିଚର ଯୋଗାଇବା କଥା। ମାତ୍ର ସପ୍ତାହ ବିତିବା ପରେ ବି କୋଲକାତା ଭେଣ୍ଡର୍ର ପତ୍ତା ମିଳିନଥିଲା। ଏହାପରେ କଲେଜ କର୍ତ୍ତୃପକ୍ଷ, ସେମାନଙ୍କ ସହ ଯୋଗାଯୋଗ କରିଥିବା ଅଧିକାରୀମାନଙ୍କୁ ଫୋନ୍ କରିଥିଲେ। ମାତ୍ର ସେସବୁ ଫୋନ୍ ସୁଇଚ୍ ଅଫ୍ ଥିଲା। ଠକାମିର ଶିକାର ହୋଇଥିବା ସନ୍ଦେହରେ କଲେଜ କର୍ତ୍ତୃପକ୍ଷ ଏଚ୍ସିଏଲ୍ ସଫ୍ଟୱେର୍ ସଂସ୍ଥା ବାବଦରେ ଅନ୍ବେଷଣ କରିଥିଲେ। ସେଭଳି କିଛି ସଂସ୍ଥା ନାହିଁ ବୋଲି ଜାଣିବା ପରେ ସେମାନେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।