ଆର୍‌ଏସ୍‌ପିରେ ଚାକିରି ନାଁରେ ଠକେଇ; ଫସିଛନ୍ତି ବହୁ ଯୁବକ-ଯୁବତୀ, ସତର୍କ ସୂଚନା ଜାରି

ରାଉରକେଲା: ସହରରେ ପୁଣି ମାତିଲେଣି ଜାଲ୍‌ କମ୍ପାନି। ଏମାନେ ଚାକିରି ଆଶାୟୀ ବେକାର ଯୁବକ/ଯୁବତୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ଉଚ୍ଚ ଦରମା ତଥା ଭଲ ପଦବିରେ ଚାକିରି ପାଇଁ ବିଜ୍ଞାପନ ବାହାର କରୁଛନ୍ତି। ଏମିତିକି ନକଲି ନିଯୁକ୍ତି ପତ୍ର ମଧ୍ୟ ଦେଉଛନ୍ତି। ଏଭଳି ମାଧ୍ୟମରେ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ବର୍ତ୍ତମାନ ବହୁ ଯୁବକଯୁବତୀ ଏହି ଠକ ଗ୍ୟାଙ୍ଗ୍‌ର ଜାଲରେ ଫସିଯାଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେତେଜଣ ଠଇେର ଶିକାର ହୋଇଛନ୍ତି ଓ ଗ୍ୟାଙ୍ଗ୍‌ରେ କିଏ କିଏ ସାମିଲ ଅଛନ୍ତି; ତାହା ସ୍ପଷ୍ଟ ହୋଇନି।

ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ହିରାକୁଦର ଜଣେ ଯୁବକ ଏହି ଠକାମିର ଶିକାର ହୋଇଛନ୍ତି। ତାଙ୍କୁ ଆର୍‌ଏସ୍‌ପିର ଅବିକଲ ନକଲି ନିଯୁକ୍ତି ପତ୍ର ଦିଆଯାଇଛି। ଯୁବକଙ୍କୁ ଏମ୍‌ଟିଏସ୍‌ ଟ୍ରେନିଭାବେ ନିଯୁକ୍ତି ପତ୍ର ଦିଆଯିବାସହ ଅଗଷ୍ଟ ୧-୨୦ ତାରିଖ ଭିତରେ ଆର୍‌ଏସ୍‌ପିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଯୁକ୍ତି ପତ୍ର ପାଇବାପରେ ସଂପୃକ୍ତ ଯୁବକ କୁଆଡ଼େ ଆର୍‌ଏସ୍‌ପିକୁ ଯାଇ ପଚରାଉଚରା କରିବାପରେ ଠକାମିରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ଗତ ଜାନୁଆରୀ ମାସରେ ବିହାର ସିୱାନ ଜିଲ୍ଲାର ଚନ୍ଦନ କୁମାର ନାମକ ଜଣେ ଯୁବକ ଠକ ଦଳର ଚକ୍ରବ୍ୟୁହରେ ଫସିଯାଇଥିଲେ। ସେ ନକଲି ନିଯୁକ୍ତି ପତ୍ର ଧରି ଆର୍‌ଏସ୍‌ପିରେ ଯୋଗଦେବାକୁ ଆସିବାପରେ ସତ୍ୟାସତ୍ୟ ବିଷୟରେ ଅବଗତ ହୋଇଥିଲେ।

ଏଭଳି ଅନେକ ଯୁବକଯୁବତୀ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଯୋଗଦେବାକୁ କହୁଥିବା ଜଣାପଡ଼ିଛି। ଏହାସହ ନକଲି ନିଯୁକ୍ତିପତ୍ର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରବଳ ଭାଇରାଲ ହେବାରେ ଲାଗିଛି। ପ୍ରଥମେ ଆଶାୟୀଙ୍କଠାରୁ ପଞ୍ଜିକରଣ ବାବଦକୁ ୩ ହଜାର ଟଙ୍କା ଓ ପରେ ନିଯୁକ୍ତି ପତ୍ର ପ୍ରଦାନ ପୂର୍ବରୁ ୨/୩ ଲକ୍ଷ ଟଙ୍କା ଦାବି କରୁଛନ୍ତି ଠକଦଳ। ଏ ବିଷୟରେ ଅବଗତ ହେବାପରେ ଆର୍‌ଏସ୍‌ପି ଲୋକସମ୍ପର୍କ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। କୌଣସି ତୃତୀୟ ପକ୍ଷ ଦ୍ବାରା ନୁହେଁ, ବରଂ ବିଧିବଦ୍ଧଭାବେବ ସେଲ୍‌ ଦ୍ବାରା ହିଁ ନିଯୁକ୍ତି ପ୍ରକ୍ରିୟା ପରିଚାଳିତ ହୋଇଥାଏ। ଏଣୁ ଏଭଳି ଏଭଳି ଠକ ଗ୍ୟାଙ୍ଗ୍‌ରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର