ରାଉରକେଲା: ନିର୍ମାଣ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ପାଇଁ ଗଠନ ହୋଇଛି ‘ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’। ଶ୍ରମିକଙ୍କ କଲ୍ୟାଣ ପାଇଁ ବୋର୍ଡ ନିକଟରେ କୋଟି କୋଟି ଟଙ୍କା ପଡ଼ି ରହିଥିଲେ ବି ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ତାହା ବିନିଯୋଗ ହୋଇ ପାରୁନାହିଁ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବେଦନ କରି ମାସମାସ ଧରି କାର୍ଯ୍ୟାଳୟକୁ ଦୌଡୁଛନ୍ତି। ହେଲେ ସେମାନଙ୍କ ଦୁଃଖ ଶୁଣିବାକୁ କାହାରି ପାଖରେ ସମୟ ନାହିଁ। ଶିକ୍ଷା, ପ୍ରସବ, ବିବାହ, ମୃତ୍ୟୁ ଆଦି ଅନେକ ପ୍ରକାର ସହାୟତା ପାଇବାକୁ ଶତାଧିକ ନିର୍ମାଣ ଶ୍ରମିକ ଆବେଦନ କରି ଚାହିଁ ରହିଛନ୍ତି। କେବଳ ସହାୟତା ନୁହେଁ, ଜିଲ୍ଲାରେ ପ୍ରାୟ ୧୫,୦୦୦ ନିର୍ମାଣ ଶ୍ରମିକ ଅନ୍ଲାଇନ୍ରେ ନୂଆ ପରିଚୟପତ୍ର ପାଇବାକୁ ଆବେଦନ କରିଛନ୍ତି। କିନ୍ତୁ ଏଯାଏ କାହାରିକୁ ପରିଚୟପତ୍ର ମଧ୍ୟ ମିଳିନି। ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୧୫୦ରୁ ଅଧିକ ନିର୍ମାଣ ଶ୍ରମିକ ବିଭିନ୍ନ ସହାୟତା ରାଶି ପାଇଁ ଆବେଦନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ଆବେଦନପତ୍ରକୁ ଅନୁମୋଦନ ମଧ୍ୟ କରିଥିଲେ। ଠିକ୍ ସେହି ସମୟରେ ନିର୍ବାଚନ ଆଚରଣବିଧି ଲାଗୁ ହେବାରୁ ସହାୟତା ରାଶି ବଣ୍ଟନ ହୋଇପାରିନଥିଲା। କିନ୍ତୁ ଆଚରଣ ବିଧି ହଟିବା ପରେ ବି ଆବେଦନ କରିଥିବା ୧୫୦ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅଟକିଛି ୨୫ କୋଟିର ସହାୟତା ରାଶି
ପରିଚୟପତ୍ର ଅପେକ୍ଷାରେ ୧୫ ହଜାର
ବିଭାଗୀୟ ଅବହେଳା କାରଣରୁ ୨୦୨୪-୨୫ ଆର୍ଥିକ ବର୍ଷରେ ମାତ୍ର ୯୦ ଜଣଙ୍କୁ ୧ କୋଟି ୨୪ ଲକ୍ଷ ୮୨ ହଜାର ଟଙ୍କାର ସହାୟତା ରାଶି ଦିଆଯାଇପାରିଛି। ଆହୁରି ପ୍ରାୟ ୪ ହଜାରରୁ ଅଧିକ ଆବେଦନକାରୀଙ୍କ ସହାୟତା ରାଶି ପଡ଼ିରହିଛି। ୧୦୦୦ ମୃତ୍ୟୁକାଳୀନ ସହାୟତା ବାବଦରେ ୨୦ କୋଟି, ୮୦୦ ବିବାହକାଳୀନ ସହାୟତା ବାବଦରେ ୪ କୋଟି, ୩୦୦ ପ୍ରସୂତିକାଳୀନ ସହାୟତା ବାବଦରେ ୩୦ ଲକ୍ଷ, ୨୦୦ ଶିକ୍ଷା ସହାୟତା ବାବଦରେ ୮ ଲକ୍ଷ, ଏମିତି ପ୍ରାୟ ୨୫ କୋଟିରୁ ଅଧିକ ସହାୟତା ରାଶି ପଡ଼ିରହିଛି। ଆସନ୍ତା ଦୁଇବର୍ଷ ମଧ୍ୟରେ ସମସ୍ତଙ୍କୁ ସହାୟତା ରାଶି ମିଳିଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି। ଯଦି ୬ ମାସ ମଧ୍ୟରେ ମାତ୍ର ୯୦ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଉଛି ତେବେ ୪୦୦୦ ନିର୍ମାଣ ଶ୍ରମିକଙ୍କୁ ଦୁଇବର୍ଷ ମଧ୍ୟରେ ସହାୟତା ରାଶି ମିଳିବା ଅସମ୍ଭବ ମନେ ହେଉଛି।
ଅନ୍ୟପଟେ ଅଦ୍ୟାବଧି ପ୍ରାୟ ୧୫ ହଜାରରୁ ଅଧିକ ନିର୍ମାଣ ଶ୍ରମିକ ପୁନଃନବୀକରଣ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। କିନ୍ତୁ ନବୀକରଣ କରାଯାଉ ନଥିବାରୁ ସେମାନେ ଶ୍ରମିକ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ମଙ୍ଗଳବାର ରାଜ୍ୟ ଶ୍ରମମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ରାଉରକେଲା ଗସ୍ତରେ ଆସୁଛନ୍ତି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ମନ୍ତ୍ରୀ ହସ୍ତକ୍ଷେପ କଲେ, ବର୍ଷବର୍ଷ ଧରି ରାଉରକେଲା ଶ୍ରମ କାର୍ଯ୍ୟାଳୟରେ ଲାଗି ରହିଥିବା ଅବ୍ୟବସ୍ଥା ଓ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ନିର୍ମାଣ ଶ୍ରମିକମାନେ ଆଶା ରଖିଛନ୍ତି। ରାଉରକେଲା ଜିଲ୍ଲା ଶ୍ରମ ଅଧିକାରୀ ଯଶବନ୍ତ ଅମାତ କହିଛନ୍ତି, ଅକ୍ଟୋବର ମାସରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ଦିଆଯାଇଛି। କର୍ମଚାରୀ ଅଭାବରୁ ଏଭଳି ସମସ୍ୟା ଉପୁଜିଥିଲା। ପଡ଼ିରହିଥିବା ପ୍ରାୟ ୨୦ ହଜାର ନିର୍ମାଣ ଶ୍ରମିକଙ୍କ ସମସ୍ୟା ଦୁଇବର୍ଷ ମଧ୍ୟରେ ସମାଧାନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/labour.jpg)