ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦାଦନ ଶ୍ରମିକ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ପ୍ରତି ସୋମବାର ବିଭିନ୍ନ ବ୍ଲକ୍ରେ ସଚେତନତା ସଭା କରାଯିବା ସହ ଅନ୍ୟରାଜ୍ୟକୁ ଦାଦନ ନ ଯାଇ ମନରେଗା ଓ ଅନ୍ୟ ଯୋଜନାର ଲାଭ ଉଠାଇ ଆତ୍ମନିର୍ଭରଶୀଳ ହେବାକୁ ଶ୍ରମିକଙ୍କୁ କୁହାଯାଉଛି। ମାତ୍ର ମନରେଗାରେ କାମ କରି ପାରିଶ୍ରମିକ ପାଉନଥିବାରୁ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାରେ ଗତ ଜାନୁଆରିରୁ ଏ ପର୍ଯ୍ୟନ୍ତ ମନରେଗାରେ କାମ କରିଥିବା ଶ୍ରମିକଙ୍କ ୧୧ କୋଟି ୯୯ ଲକ୍ଷ ୬ ହଜାର ୬୯୪ ଟଙ୍କା ମଜୁରି ବାକି ରହିଛି। ମିଳିଥିବା ତଥ୍ୟ ଅନୁସାରେ, ନୂଆପଡ଼ା ବ୍ଲକ୍ରେ ମନରେଗାରେ କାମ କରିଥିବା ଶ୍ରମିକଙ୍କ ୩ କୋଟି ୨୦ ଲକ୍ଷ ୭୧ ହଜାର ୩୧୧ ଟଙ୍କା ବକେୟା ରହିଛି।
ସେହିପରି କୋମନା ବ୍ଲକ୍ରେ ୨ କୋଟି ୭୧ ଲକ୍ଷ ୬୭ ହଜାର ୪ ଟଙ୍କା, ଖଡ଼ିଆଳ ବ୍ଲକ୍ରେ ୨ କୋଟି ୮୨ ଲକ୍ଷ ୮୪ ହଜାର ୧୪ ଟଙ୍କା, ବୋଡ଼େନ ବ୍ଲକ୍ରେ ୧ କୋଟି ୨୪ ଲକ୍ଷ ୩୨ ହଜାର ୩୩୦ ଟଙ୍କା, ସିନାପାଲି ବ୍ଲକ୍ରେ ୧ କୋଟି ୯୯ ଲକ୍ଷ ୫୨ ହଜାର ୫୩ ଟଙ୍କା ମଜୁରି ମିଳିନାହିଁ। ପାରିଶ୍ରମିକ ପାଇଁ ଶ୍ରମିକମାନେ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପ୍ରଶାସନଠାରେ ବାରମ୍ବାର ଫେରାଦ ହେଉଥିଲେ ସୁଦ୍ଧା କେହି ଶୁଣୁନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ବାବଦରେ ନୂଆପଡ଼ା ଜିଲ୍ଲା ପରିଷଦ ସିଡିଓ ଲମ୍ବୋଦର ଧରୁଆ କହିଛନ୍ତି, କେନ୍ଦ୍ର ସରକାର ଅନୁଦାନ ଦେଇନଥିବାରୁ ଶ୍ରମିକଙ୍କୁ ଟଙ୍କା ମିଳିନାହିଁ। ଏହି ସମସ୍ୟା ସବୁ ଜିଲ୍ଲାରେ ଲାଗି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଫଣ୍ଡ ଟ୍ରାନ୍ସଫର୍ ଅର୍ଡର (ଏଫ୍ଟିଓ) କରାଯାଇଛି। କେନ୍ଦ୍ରରୁ ଟଙ୍କା ଆସିଲେ ଶ୍ରମିକମାନଙ୍କ ଟଙ୍କା ସେମାନଙ୍କ ବ୍ୟାଙ୍କଖାତାରେ ତୁରନ୍ତ କରି ଦିଆଯିବ। ତେବେ ଜିଲ୍ଲା ପ୍ରଶାସନ ଯେତେ ସଚେତନ କଲେ ମଧ୍ୟ ଶ୍ରମିକମାନଙ୍କୁ ଠିକ୍ ସମୟରେ ପାଉଣା ଦିଆନଗଲେ ଜିଲ୍ଲାରୁ ଦାଦନ ଶ୍ରମିକ ରୋକିବା ସମ୍ଭବ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।