ନିଜକୁ ‘ଗୁଗଲ୍’ର ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରୁଥିଲେ, ଗିରଫ କଲା ପୁଲିସ

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଠକେଇ ଓ  ଲୁଟ୍ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ। ଯୁବକଜଣଙ୍କ ନିଜକୁ ବିଶ୍ବ ପ୍ରସିଦ୍ଧ ସର୍ଚ୍ଚ ଇଂଜିନ୍ ଗୁଗଲର ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଇ ଲୁଟ୍ କରୁଥିବା ସାମ୍ନାକୁ ଆସିଛି। ଅଭିଯୁକ୍ତଜଣଙ୍କ ସୌମ୍ୟଜିତ୍ ତ୍ରିପାଠୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ଶାସ୍ତ୍ରୀ ନଗରର ବାସିନ୍ଦା ବୋଲି ଜଣାପଡ଼ିଛି।

ଘଟଣା ବିଷୟରେ ସୂଚନା ପାଇ କମିସନରେଟ୍ ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ୍ କଳିଙ୍ଗ ନଗର ଅଞ୍ଚଳରୁ ସୌମ୍ୟଜିତକୁ ଗିରଫ କରିଥିଲା। ଅଭିଯୁକ୍ତଜଣଙ୍କ ନିଜକୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଗୁଗଲର ଓଡ଼ିଶା ମୁଖ୍ୟ ବୋଲି ପରିଚୟ ଦେଇ ଠକେଇ କରୁଥିବାରୁ ଅନେକ ଦିନ ହେଲା କମିସନରେଟ୍ ପୁଲିସର ଟାର୍ଗେଟରେ ରହିଥିଲା। କିନ୍ତୁ ମୋବାଇଲ୍ ଷ୍ଟୋର ମାଲିକ ନିକୁଞ୍ଜ ଖେମାଣୀଙ୍କ ଅଭିଯୋଗ କରିବା ପରେ ସୌମ୍ୟଜିତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା କମିସନରେଟ୍ ପୁଲିସ।

ସୂଚନା ମୁତାବକ, ବିଏମସି ଭବାନୀ ମଲରେ ମୋବାଇଲ ଦୋକାନ କରିଥିବା ନିକୁଞ୍ଜଙ୍କୁ ଫୋନ କରି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେବା ସହ ଏକ ନୂଆ ଫୋନ ଅର୍ଡର କରିଥିଲେ ସୌମ୍ୟଜିତ୍। ଏହା ସହ ଯାଜପୁର ଠିକଣାରେ ଦୁଇଟି ଅଲଗା ବିଲ୍ କରିବା ପାଇଁ କହିଥିଲେ। କିନ୍ତୁ ଠିକଣାରେ ଫୋନ ପହଞ୍ଚିବା ପରେ କେହି ଟଙ୍କା ଦେଇ ନ ଥିଲେ। ପରେ ନିକୁଞ୍ଜ ସୌମ୍ୟଜିତଙ୍କୁ ଟଙ୍କା ଦେବା ପାଇଁ ବାରମ୍ବାର ଫୋନ କରିବା ପରେ ମଧ୍ୟ ସୌମ୍ୟଜିତ ଫୋନ ନ ଉଠାଇବାରୁ ଶେଷରେ ସେ ପୁଲିସରେ ଅଭିଯୋଗ କରିଥିଲେ। ଯାହା ପରେ ପୁଲିସ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଅଭିଯୁକ୍ତକୁ ତାଙ୍କ ଘରୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତଠାରୁ ୫ଟି ଆଇଫୋନ, ୪ଟି ଲାପଟପ୍ ଓ କମ୍ପ୍ୟୁଟର ଜବତ କରିଛି ପୁଲିସ।

ସମ୍ବନ୍ଧିତ ଖବର