ବରଗଡ଼: ଚାଷୀ ବିଭିନ୍ନ କାରଣରୁ କେବଳ କ୍ଷତି ହିଁ ସହି ଚାଲିଛି। ଚାଷୀର ଦୁଃଖ ଲାଘବ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ରହିଛି। କିନ୍ତୁ ଏହି ବୀମା ଚାଷୀଙ୍କ ଦୁଃଖ ଆହୁରି ବଢ଼ାଇ ଦେଇଛି। କମ୍ପାନିଗୁଡ଼ିକ ଏଥିରେ ପ୍ରଚୁର ଲାଭ ପାଉଥିବାବେଳେ ଚାଷୀ ହାତରେ କିଛି ଲାଗୁନାହିଁ। ବରଂ ବର୍ଷ ତମାମ ଚାଷୀ ବୀମା ଟଙ୍କା ପାଇବାକୁ ଆନ୍ଦୋଳନରେ ସମୟ କାଟୁଛି।

Advertisment

୨୦୧୬ ମସିହା ପୂର୍ବରୁ ଦେଶର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପାଣିପାଗ ସୂଚୀ ବିଶିଷ୍ଟ ଫସଲ ବୀମା ଯୋଜନାରେ ସାମିଲ ଥିଲେ। ୨୦୧୬ ପରେ ଉଭୟ ବୀମା ବ୍ୟବସ୍ଥାକୁ ଏକାଠି କରି ନୂଆ ବ୍ୟବସ୍ଥା ପ୍ରଚଳନ ହୋଇଥିଲା। ମିଳିଥିବା ତଥ୍ୟ ଅନୁସାରେ, ଖରିଫ ୨୦୧୬ରେ ଉଭୟ ମିଶ୍ରିତ ବୀମା ଯୋଜନାରେ ଦେଶର ୩୬୬.୬୩ ଲକ୍ଷ ଚାଷୀ  ସାମିଲ ହୋଇଥିଲେ। ଦେଶରେ ସର୍ବାଧିକ ବୀମାଭୁକ୍ତ ଚାଷୀ ସଂଖ୍ୟା କ୍ଷେତ୍ରରେ ମହାରାଷ୍ଟ୍ର ଶୀର୍ଷରେ ଥିବାବେଳେ ଓଡ଼ିଶା ୬ ନମ୍ବରରେ ରହିଛି। ୨୦୧୬ ଖରିଫରେ ରାଜ୍ୟର ମାତ୍ର ୪.୮% ଚାଷୀ ବୀମାଭୁକ୍ତ ହୋଇଥିଲେ। ଦୀର୍ଘ ୫ ବର୍ଷ ପରେ ବି ଏହି ପରିସଂଖ୍ୟାନରେ ସେଭଳି ବଡ଼ ଅଗ୍ରଗତି ହୋଇନାହିଁ। ଚାଷୀ ବିଭିନ୍ନ କାରଣରୁ କ୍ଷତି ସହୁଥିଲେ ହେଁ ସେମାନଙ୍କୁ କୌଣସି ପ୍ରକାରର ବୀମା ସୁରକ୍ଷା ମିଳୁନାହିଁ। ଅଧିକାଂଶ ଚାଷୀ ବୀମା ବ୍ୟବସ୍ଥାର ଜଟିଳ ପ୍ରକ୍ରିୟା ଉପରେ ଅବଗତ ନାହାନ୍ତି ବୋଲି ବିଭିନ୍ନ କୃଷିଭିତ୍ତିକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି।

୨୦୧୬ ଫେବ୍ରୁଆରି ମାସରେ ବରଗଡ଼ ମୋଦୀ ପଡ଼ିଆଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ପ୍ରଧାନମନ୍ତ୍ରୀ ଫସଲ ବୀମାର ଶୁଭାରମ୍ଭ କରିଥିଲେ। ଏହା ଏକ ତ୍ରୁଟିବିହୀନ ବୀମା ଏବଂ କମ୍‌ ପ୍ରିମିଅମ୍‌ ଦେଇ ଚାଷୀ ବେଶୀ ଟଙ୍କା ପାଇବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଯଦି ଜାତୀୟ ପରିସଂଖ୍ୟାନ ଦେଖାଯାଏ, ତେବେ ଗତ ୫ବର୍ଷ ଭିତରେ ଦେଶରେ ବୀମା ପ୍ରିମିଅମ୍‌ ବାବଦକୁ ଚା‌ଷୀ, ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ୧ଲକ୍ଷ ୨୭ହଜାର କୋଟି ଟଙ୍କାର ପ୍ରିମିଅମ୍‌ ଦାଖଲ କରିଛନ୍ତି। କମ୍ପାନି ଚାଷୀଙ୍କୁ ଏହି ଅବଧିରେ କ୍ଷତିପୂରଣ ବାବଦକୁ ୮୭ହଜାର କୋଟି ଟଙ୍କା ଦେଇଛି। ଅର୍ଥାତ କମ୍ପାନି ସିଧା ୪୦ହଜାର କୋଟି ଟଙ୍କାର ଲାଭ ଉଠାଇଛି। ଓଡ଼ିଶାରେ ବି ସମାନ ଅବସ୍ଥା। ଗତ ୫ବର୍ଷ ଭିତରେ ରାଜ୍ୟରେ ୬ହଜାର ୪୦ କୋଟି ଟଙ୍କାର ପ୍ରିମିଅମ ଦାଖଲ ହୋଇଛି।

publive-image The New Indian Express

କିନ୍ତୁ ଚାଷୀଙ୍କୁ ୫ହଜାର କୋଟି ଟଙ୍କାର କ୍ଷତିପୂରଣ ମିଳିଛି। ବୀମା କମ୍ପାନି ପକେଟ୍‌କୁ ସିଧା ହଜାରେ କୋଟି ଟଙ୍କା ଉପରେ ଲାଭ ଯାଇଛି। ଚଳିତ ବର୍ଷ ରାଜ୍ୟରେ ପାଖାପାଖି ୧୧ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ହୋଇଛନ୍ତି। କିନ୍ତୁ କମ୍ପାନି ଚାଷୀଙ୍କ ଟଙ୍କାରୁ ଲାଭ ପାଇବା ପାଇଁ ଭରପୂର ଉଦ୍ୟମ କରିଛି। ବରଗଡ଼ ଜିଲ୍ଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଜିଲ୍ଲାରେ ଏଥର ୨ଲକ୍ଷ ଚାଷୀ ବୀମାଭୁକ୍ତ ଅଛନ୍ତି। କିନ୍ତୁ ଚାଷୀଙ୍କ ଆବଦେନକୁ ବିଚାରାଧୀନ, ବାତିଲ୍‌ ଏବଂ ଆବେଦନପତ୍ର ଫେରସ୍ତ ଆଳ ଦେଖାଇ କମ୍ପାନି ଶହଶହ କୋଟି ଟଙ୍କା ହଡପ୍‌ କରିବାକୁ ଯୋଜନା କରୁଥିବା ଚାଷୀମାନେ ଖୋଲା ଅଭିଯୋଗ କରୁଛନ୍ତି। ଜିଲ୍ଲାର ୯ଟି ବ୍ଳକ୍‌ ସଂପୂର୍ଣ୍ଣ ମରୁଡ଼ି ପ୍ରଭାବିତ ଏବଂ ଏଗୁଡ଼ିକରେ ୩୩%ରୁ ଅଧିକ ଫସଲ ନ‌ଷ୍ଟ ହୋଇଥିବା ଖୋଦ୍‌ ଜିଲ୍ଲାପାଳ ରିପୋର୍ଟ ପଠାଇଥିଲେ। କିନ୍ତୁ ଚାଷୀଙ୍କୁ ବୀମା ଟଙ୍କା ନଦେବା ଚକ୍ରାନ୍ତରେ କମ୍ପାନି ଲାଗିପଡ଼ିଛି। ଫଳରେ ଲକ୍ଷାଧିକ ଚାଷୀଙ୍କ ଭବିଷ୍ୟତ ଏବେ ଲଟକି ରହିଛି।