ଥୁଆମୂଳ ରାମପୁର: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଯୁବକକୁ ପୁଲିସ୍ ଗିରଫ କରିଛି। ଯୁବତୀଙ୍କ ଅଭିଯୋଗ ପରେ ପୁଲିସ୍ ସଂପୃକ୍ତ ଯୁବକକୁ ଏକ ବିବାହ ଭୋଜି ସ୍ଥଳରୁ ଉଠାଇ ନେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲାର ଜଣେ ଯୁବତୀଙ୍କ ସହ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଡୁମେରପଦର ଗ୍ରାମର ରାଜକିଶୋର ନାଏକଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ବିବାହ ପ୍ରତିଶ୍ରୁତି ଦେଇ ରାଜକିଶୋର ସଂପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ପରେ ପ୍ରତାରଣ କରି ରାଜକିଶୋର କାଶିପୁର ଅଞ୍ଚଳର ଅନ୍ୟ ଜଣେ ଯୁବତୀଙ୍କୁ ଗତ ୨୨ ତାରିଖ ବିବାହ କରିଥିଲା। ଏନେଇ ଯୁବତୀ ଜଣକ କୌଣସି ସୂତ୍ରରୁ ଖବରପାଇ ଘରକୁ ପହଞ୍ଚିଥିଲେ ହେଁ ରାଜକିଶୋର ଧରାଛୁଆଁ ଦେଇନଥିଲା। ପରେ ଫୋନ୍ ମାଧ୍ୟମରେ ସମ୍ପୃକ୍ତ ଯୁବତୀଙ୍କୁ ଧମକ ଦେଇଥିଲା। ଫଳରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଥାନାକୁ ନେଇ ଘଟଣା ବିଷୟରେ ପଚରାଉଚୁରା କରିଥିଲା। ଏନେଇ ଏକ ମାମଲା ରୁଜୁକରି ଉଭୟଙ୍କ ଡାକ୍ତରୀ ପରୀକ୍ଷା ଓ ବୟାନ ରେକର୍ଡ କରିବା ପରେ ରବିବାର ରାଜକିଶୋରକୁ ଗିରଫ କରି ପୁଲିସ୍ କୋର୍ଟଚାଲାଣ କରିଛି।