କୋରାପୁଟ: କ୍ରସର ଓ ମଦ ଲାଇସେନ୍‌ସ କରାଇଦେବା ନାଁରେ ଚାଲିଥିଲା ଚାନ୍ଦା ଆଦାୟ। ବଦଳି ବାତିଲ୍ ସହ ମନ ମୁତାବକ ସ୍ଥାନରେ ପୋ‌ଷ୍ଟିଂର ମିଛ ପ୍ରତିଶ୍ରୁତି ଦେଇ ଆଦାୟ ହେଉଥିଲା ଟଙ୍କା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଭାବେ ମିଛ ପରିଚୟପତ୍ର ଏବଂ ବଡ଼ ବଡ଼ ଅଫିସରଙ୍କ ନାଁ ଅନୁଯାୟୀ ଟ୍ରୁ କଲରରେ ନିଜ ନାଁ ଦର୍ଶାଇ କରୁଥିଲେ କୋଟି କୋଟି ଟଙ୍କା ହଡ଼ପ। ଅଭିଯୋଗ ପରେ ଏପରି ଠକ ସୂଚନା ଅଧିକାରୀ କର୍ମୀଙ୍କୁ ଆଜି ବାନ୍ଧିଛି ଏସ୍‌ଟିଏଫ୍। ରାଜ୍ୟସ୍ତରରୁ ଆସିଥିବା ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ଠକ ସୂଚନା ଅଧିକାରୀ କର୍ମୀ କିଶୋର କୁମାର ମିଶ୍ରଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।

Advertisment

ଲାଇସେନ୍‌ସ, ବଦଳି ନାଁରେ କୋଟି କୋଟି ଚାନ୍ଦା ଆଦାୟ
୨ ବର୍ଷରେ ୩ ଆକାଉଣ୍ଟକୁ ଆସିଛି ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କ‌ା
ମୃତ ବ୍ୟକ୍ତିଙ୍କ ନାଁରେ ଖୋଲାଯାଇଥିଲା ଆକାଉଣ୍ଟ

କିଶୋରଙ୍କୁ ଗିରଫ କରିବା ପରେ ଏସଟିଏଫ୍ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଛି। ମୃତ ବ୍ୟକ୍ତିଙ୍କ ନାଁରେ ଆକାଉଣ୍ଟ୍ ଖୋଲି କିଶୋର ବିଭିନ୍ନ ଲୋକଙ୍କୁ ଠକୁଥିଲେ। ଗତ ୨ ବର୍ଷରେ କିଶୋରଙ୍କ ଦ୍ବାରା ପରିଚାଳିତ ୩ଟି ଆକାଉଣ୍ଟକୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆସିଛି। ସେହିପରି ବହୁବାର ଉକ୍ତ ଆକାଉଣ୍ଟ୍‌ଗୁଡ଼ିକରେ କ୍ୟାସ ଡିପୋଜିଟ୍ ହୋଇଥିବା ଏସ୍‌ଟିଏଫ୍ ତଦନ୍ତ ସମୟରେ ସୂଚନା ପାଇଛି। ସମସ୍ତ ଆକାଉଣ୍ଟକୁ ଏସ୍‌ଟିଏଫ୍ ଫ୍ରିଜ୍ କରି ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ନିବାସୀ କିଶୋର ଦୀର୍ଘ ବର୍ଷ ହେଲା କୋରାପୁଟରେ ରହି ଆସୁଛନ୍ତି। ଇଂରାଜୀ ଭାଷାରେ ଦକ୍ଷତା ରଖିଥିବା କିଶୋର ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେବା ସହ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଛ ପରିଚୟପତ୍ର ତିଆରି କରି ଲୋକଙ୍କୁ ଠକୁଥିଲା।

କିଶୋର ବ୍ୟବହାର କରୁଥିବା ମୋବାଇଲ୍ ନମ୍ବରକୁ ଟ୍ରୁ କଲରରେ ବଡ଼ ବଡ଼ ସରକାରୀ ଅଧିକାରୀଙ୍କ ନାଁରେ ସେଭ୍ କରିଥିବାରୁ କୌଣସି ଲୋକ ସନ୍ଦେହ କରୁନଥିଲେ। କିଛି ମାସ ତଳେ କୋରାପୁଟ ଟାଉନ ଥାନା ପୁଲିସ୍ କିଶୋରକୁ ଉଠାଇ ଆଣି ପଚରାଉଚରା କରିଥିଲେ। ନକଲି କାଗଜପତ୍ର ଜବତ କରିବା ପରେ ସିଆର୍‌ପିସିର ୪୧ ଧାରାରେ ପୁଲିସ୍ ଥାନାରୁ ଜାମିନ ଦେଇ ଛାଡ଼ି ଦେଇଥିଲା। ଘଟଣା ସମ୍ପର୍କରେ ଏସ୍‌ଟିଏଫ୍ ଟିମ୍ ଅବଗତ ହେବା ପରେ ଏହାକୁ ଗୁରୁତ୍ବର ସହ ନେଇ ଆରମ୍ଭ କରିଥିଲା ଛାନଭିନ୍। ଏସ୍‌ଟିଏଫ୍ ଟିମ୍ କିଶୋର ଉପରେ ନଜର ରଖିଥିବା ବେଳେ ଆଜି ଗିରଫ କରିଛି। କିଶୋର ରାଜନୀତି ବିଜ୍ଞାନରେ ସ୍ନାତକ କରିଥିବା ଏବଂ ଇଂରାଜୀ କହିବାରେ ମାହିର୍ ଥିବା ଏସ୍‌ଟିଏଫ୍ କହିଛି।