ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ରେ ବିକ୍ରି ହେଉଛି ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀର। ଯାହାକୁ ଆନ୍ଧ୍ର ସରକାର ମାଗଣାରେ ନିଜ ରାଜ୍ୟରେ ବିତରଣ କରୁଥିବା ବେଳେ କେମିତି ସୀମା ଡେଇଁ ପଡ଼ୋଶୀ ରାଜ୍ୟକୁ ବିକ୍ରି ପାଇଁ ଆସୁଛି ବୋଲି ପ୍ରଶ୍ନ ଉଠିଲାଣି। କିଛି ଅସାଧୁ ବ୍ୟବସାୟୀ ଗଳା ବାଟରେ ଏହାକୁ ଆଣିବା ପରେ ମୁନାଫା କମାଉଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ପଟାଙ୍ଗି ବଜାରରେ ବେଧଡ଼କ ବିକ୍ରି ହେଉଥିବା ଗୋଟିଏ କ୍ଷୀର ପ୍ୟାକେଟ୍କୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ଏହି କ୍ଷୀର ପ୍ୟାକେଟ୍ରେ ବିକ୍ରି ପାଇଁ ଆଦୌ ଉଦ୍ଦିଷ୍ଟ ନୁହଁ ବୋଲି ଉଲ୍ଲେଖ କରାଯାଇଛି। ତଥାପି ଏହାକୁ ଖୋଲା ବଜାରରେ ବିକ୍ରି କରାଯାଉଛି। ଗୋଟିଏ ଲିଟର ପ୍ୟାକେଟ୍କୁ ସ୍ଥାନୀୟ ବ୍ୟବସାୟୀ ୪୦ଟଙ୍କାରେ ବିକ୍ରି କରୁଛନ୍ତି। ଅନ୍ୟ କ୍ଷୀର ଦାମ ତୁଳନାରେ କମ ରହିଥିବାରୁ ଲୋକେ ବି କିଛି ଚିନ୍ତା ନ କରି ତାହାକୁ କିଣି ନେଉଛନ୍ତି। ଖୋଳତାଡ଼ କରିବାରୁ ଆନ୍ଧ୍ର ସରକାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି। ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମଧ୍ୟରେ ମାଗଣାରେ କ୍ଷୀର ବି ମାଗଣାରେ ଯୋଗାଣ କରୁଛନ୍ତି। ତେବେ ତାହାକୁ ଅଙ୍ଗନବାଡି କେନ୍ଦ୍ର ଦ୍ବାରା ଆଦୌ ବିତରଣ ନ କରି କିମ୍ବା ବଳକା ରହି ଯାଉଥିବା ପ୍ୟାକେଟ୍କୁ କିଛି ଅସାଧୁ ବ୍ୟବସାୟୀ ନିୟମିତ ସଂଗ୍ରହ କରୁଛନ୍ତି। ଏହାପରେ ଓଡ଼ିଶାକୁ ପଠାଇ ଖୋଲା ବଜାରରେ ବିକ୍ରି କରୁଛନ୍ତି।
ବଡ଼ କଥା ହେଲା ଏହି କ୍ଷୀର କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ସେ ନେଇ ପ୍ୟାକେଟ୍ରେ ଉଲ୍ଲେଖ ହୋଇ ନାହିଁ। ତେଣୁ ଏହାକୁ ବ୍ୟବହାର କରିବା ଦ୍ବାରା ଯଦି କେହି ଅସୁସ୍ଥ ହୁଅନ୍ତି ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।