ଓଡିଶା ସୀମାନ୍ତ ଗାଁରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦଶମ ପର୍ଯ୍ୟନ୍ତ ଡ୍ରେସ-ଜୋତା ସହ ବ୍ୟାଗ-ବହି ମାଗଣା

ଭୁବନେଶ୍ୱର: ସୀମାନ୍ତରେ ରହୁଥିବା ଲୋକଙ୍କୁ ଧୀରେ ଧୀରେ ନିଜ ଆଡକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ଆନ୍ଧ୍ର ପ୍ରଦେଶ ସରକାର । ଏଥିପାଇଁ ପଡୋଶୀ ସରକାର ଆରମ୍ଭ କରିଛି ଆମାବାଡ଼ି ଯୋଜନା । ଧୀରେ ଧୀରେ ଏହି ଯୋଜନା ଜରିଆରେ ଛୋଟ ପିଲା ଏବଂ ଅଭିଭାବକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର । ହେଲେ ପରିତାପର ବିଷୟ ରାଜ୍ୟ ସରକାର ଏ ଦିଗରେ ସେତେଟା ସକ୍ରିୟତା ଦେଖାଉ ନାହାନ୍ତି ।

-ସୀମାନ୍ତ ପିଲାଙ୍କ ପସନ୍ଦ ଆମ୍ମା ବାଡି
-ମିଳୁଛି ୧୫ ହଜାର ଟଙ୍କା
-ଦଶମ ପର୍ଯ୍ୟନ୍ତ ଡ୍ରେସ, ଜୋତା, ବ୍ୟାଗ, ବହି ମାଗଣା
-ଗାଁ ପରେ ସହରାଞ୍ଚଳର ଲୋକ ଏବେ ଆନ୍ଧ୍ର ମୁହାଁ !

ପୂର୍ବରୁ ଅନେକ ଯୋଜନା ଜରିଆରେ ସୀମାନ୍ତ ଲୋକଙ୍କୁ ନିଜ ଆଡକୁ ନେବା ପାଇଁ ଚେଷ୍ଟା କରିଛି ଆନ୍ଧ୍ର ସରକାର । ଏବେ କିନ୍ତୁ ଆନ୍ଧ୍ର ସରକାର ଆମ୍ମା ବାଡି ଯୋଜନା ଜରିଆରେ ସ୍କୁଲ ପିଲା ଏବଂ ଅଭିଭାବକଙ୍କୁ ନିଜ ଆଡକୁ ନେବାକୁ ଚଳାଇଛନ୍ତି ପ୍ରୟାସ । ଆଉ ଗଜପତି ଓ ଆନ୍ଧ୍ର ସୀମାନ୍ତରେ ରହୁଥିବା ଅନେକ ଅଭିଭାବକ ଏବଂ ସ୍କୁଲ ଛାତ୍ରଛାତ୍ରୀ ଆନ୍ଧ୍ର ପ୍ରଦେଶ ସରକାରର ଏହି ଯୋଜନା ପ୍ରତି ହେଉଛନ୍ତି ଆକର୍ଷିତ ।

ସୀମାନ୍ତରେ ଥିବା ଓଡିଆ ସ୍କୁଲରେ ତେଲୁଗୁ ଭାଷାରେ ପାଠ ପଢିବା ପାଇଁ କୌଣସି ସୁବିଧା ନାହିଁ । ତେଣୁ ସୀମାନ୍ତରେ ରହୁଥିବା ତେଲୁଗୁ ଭାଷାଭାଷୀ ଛାତ୍ରଛାତ୍ରୀ ଆନ୍ଧ୍ର ଶିକ୍ଷା ବ୍ୟବସ୍ଥା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ପାରଳାଖେମୁଣ୍ଡିର କିଛି ପିଲା ଆନ୍ଧ୍ରର ପୁରୁଣାପାଟଣା ଏବଂ ଚାପରାରେ ଏବେ ପାଠ ପଢୁଛନ୍ତି । ପିଲାଙ୍କୁ ଠିକ ଭାବରେ ପାଠ ପଢାଇବା ପାଇଁ ଆନ୍ଧ୍ର ସରକାର ଅନେକ କିଛି ନିୟମ କରିଛନ୍ତି । ଯେଉଁଥିରେ ଶିକ୍ଷକମାନଙ୍କ ଉପସ୍ଥାନ ବାୟୋମେଟ୍ରିକ ମାଧ୍ୟମରେ ମଧ୍ୟ ନିୟନ୍ତ୍ରଣ କରାଯାଉଛି । ବିନା ଅନୁମତିରେ ଶିକ୍ଷକ ବିଦ୍ୟାଳୟ ସମୟରେ ବାହାରେ ରହିପାରିବେ ନାହିଁ । କିନ୍ତୁ ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଓଡିଶା ଶିକ୍ଷକମାନଙ୍କ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ । ରାଜ୍ୟ ସରକାର ସବୁ ଜାଣିଲେ ମଧ୍ୟ ଏ ଦିଗରେ ନିରବ ରହୁଥିବା ଅଭିଯୋଗ ହୋଇଛି ।

ପୂର୍ବରୁ କେବଳ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ପ୍ରଲୋଭନ ଦେଖାଇ ଆନ୍ଧ୍ର ଓଡ଼ିଶା ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ ଏବେ ସହର ଉପକଣ୍ଠର ଶହ ଶହ ଛାତ୍ରଛାତ୍ରୀ ଆନ୍ଧ୍ର ବିଦ୍ୟାଳୟରେ ନାମ ଲେଖାଇ ସାରିଲେଣି । କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ନାହିଁ, ଯାହା ପରିତାପର ବିଷୟ ।

ସମ୍ବନ୍ଧିତ ଖବର