କପିଳାସ ରୋଡ ଓ ଶାଳଗାଁ ରେଳ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟ, କଟକ ଓ ନରାଜ ମାର୍ଥାପୁର ଷ୍ଟେସନ୍‌ରୁ ମାଗଣା ବସ୍‌ ସେବା ଆରମ୍ଭ

ଭୁବନେଶ୍ବର : କପିଳାସ ରୋଡ୍‌ ଓ ଶାଳଗାଁ ରେଳ ଷ୍ଟେସନ୍‌ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପରିଚାଳନା ପାଇଁ ନିରାପତ୍ତା ସମ୍ବନ୍ଧିତ ଆଧୁନିକୀକରଣ କାର୍ଯ୍ୟ ହେତୁ କେତେକ ଟ୍ରେନ୍‌ର ଦିଗ ପରିବର୍ତନ ଓ ବାତିଲ ଲାଗି ଯୋଜନା ହୋଇଛି। ତାହାକୁ ଦୃଷ୍ଟିରେ ରଖି କଟକ ରେଳ ଷ୍ଟେସନ୍‌ଠାରେ ଯାତ୍ରୀଙ୍କ ଅସୁବିଧାକୁ ଏଡ଼ାଇବା ଲାଗି ଖୋର୍ଧା ରୋଡ୍‌ ଡିଭିଜନ୍‌ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଟକଠାରୁ ନରାଜ ମାର୍ଥାପୁର ରେଳ ଷ୍ଟେସନ୍‌ ଓ ନରାଜଠାରୁ କଟକ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପାଇଁ ମାଗଣା ବସ୍‌ ସେବା ବ୍ୟବସ୍ଥା ହୋଇଛି। ଟିକେଟ୍‌ ଯାଞ୍ଚ କର୍ମଚାରୀଙ୍କ ଦ୍ୱାରା ଏହି ବସ୍‌ଗୁଡ଼ିକ ପରିଚାଳିତ ହେବ। ଏହି କର୍ମଚାରୀମାନେ କଟକ ଓ ନରାଜ ମାର୍ଥାପୁର ରେଳ ଷ୍ଟେସନ୍‌ର ଯାତ୍ରୀମାନଙ୍କୁ ମାଗଣା‌ରେ ବସ୍‌ ସେବା ସମ୍ପର୍କରେ ମାର୍ଗଦର୍ଶନ କରିବେ। ଦିଗ ପରିବର୍ତ୍ତିତ ଟ୍ରେନ୍‌ ସମ୍ପର୍କରେ ପ୍ରଭାବିତ ଯାତ୍ରୀମାନଙ୍କୁ ଟ୍ରେନ୍‌ ଛାଡ଼ିବାର ଏକ ଘଣ୍ଟା ପୂର୍ବରୁ ପହଞ୍ଚିବା ଲାଗି ଆଗୁଆ ଏସଏମ୍‌ଏସ/ ସୂଚନା ପ୍ରଦାନ କରାଯାଉଛି। ନରାଜ ମାର୍ଥାପୁରରେ ଓହ୍ଲାଉଥିବା ଯାତ୍ରୀଙ୍କୁ ମଧ୍ୟ ଅନୁରୂପ ସୂଚନା ଦିଆଯାଉଛି।

ଦିଗ ପରିବର୍ତ୍ତିତ ହେଉଥିବା ଟ୍ରେନ୍‌ ସୂଚୀ ସମୟରେ ଯାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ଲାଗି କଟକ ଓ ନରାଜ ମାର୍ଥାପୁର ରେଳ ଷ୍ଟେସନ୍‌ରେ ହେଲପ ଡେସ୍କ ଖୋଲିଛି। ଟ୍ରେନ୍‌ର ଦିଗ ପରିବର୍ତ୍ତନ ଓ ବାତିଲ ସମ୍ପର୍କ‌ରେ ଯାତ୍ରୀଙ୍କୁ ସୂଚିତ କରିବା ଲାଗି କଟକ ଓ ନରାଜ ମାର୍ଥାପୁର ରେଳ ଷ୍ଟେସନ୍‌ରେ ଦୃଶ୍ୟମାନ ଫଳକ ଲଗାଯାଇଛି। ପୁରୀ, ଭୁବନେଶ୍ୱର, ଖୋର୍ଧା ରୋଡ୍‌, କଟକ, ଢେଙ୍କାନାଳ ଓ ଅନୁଗୁଳଠାରେ ପବ୍ଲିକ୍ ଆଡ୍ରେସ୍ ପ୍ରଣାଳୀ ଜରିଆରେ ବାରମ୍ବାର ଘୋଷଣା କରାଯାଉଛି। କଟକ ଓ ନରାଜ ମାର୍ଥାପୁର ରେଳ ଷ୍ଟେସନ୍‌ରେ ଯାତ୍ରୀ ଓ ସେମାମାନଙ୍କ ମାଲପତ୍ର ସୁରକ୍ଷା ପାଇଁ ରେଳ ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଛି। ପ୍ରଥମ ଦିବସ ଅର୍ଥାତ ୨୫/୨୬( ରାତ୍ରି)ରେ ଯାତ୍ରୀମାନଙ୍କ ସହଯୋଗ ମିଳିଛି। ୭୪୭ ଜଣ ଯାତ୍ରୀ କଟକ ଓ ନରାଜ ମାର୍ଥାପୁର ରେଳ ଷ୍ଟେସନ୍‌ରୁ ମାଗଣା ବସ୍‌ ସେବା ସୁବିଧା ପାଇଛନ୍ତି। ନିରାପତ୍ତ‌‌ାମୂଳକ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କଠାରୁ ଏପରି ସହଯୋଗ ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର