କୋରାପୁଟ ଜିଲ୍ଲାରେ ଗଡିଲା ଶିଶୁ ଶ୍ରମ ମୁକ୍ତ ଓଡିଶା ରଥ 

ଜୟପୁର: କୋରାପୁଟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆଜି ‘ଶିଶୁ ଶ୍ରମ ମୁକ୍ତ ଓଡିଶା’ ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରାଣିଗ୍ରାହୀଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇ ସବୁଜ ପତାକା ଦେଖାଇ ରଥକୁ ଉଦଘାଟନ କରିଛନ୍ତି। ଏହି ରଥ ଜୟପୁର ସ୍ଥିତ ଶ୍ରମ କାର୍ଯ୍ୟାଳୟରୁ ବାହାରି ଜୟପୁର, କୋରାପୁଟ, ସୁନବେଢ଼ା ଓ କୋଟପାଡ ସହରାଞ୍ଚଳରେ ଲୋକଙ୍କୁ ସଚେତନତା କରିବ।

୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ ‌କୌଣସି କାମରେ ନିୟୋଜିତ ନକରିବା, ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂକୁଳ କାମରେ ନିୟୋଜିତ ନକରିବା, ଯଦି ଏଭଳି ଅପରାଧ କରିଲେ ୫୦ ହଜାର ଜରିମାନା ସହ ଜେଲ ଦଣ୍ଡର ନିୟମ ମଧ୍ୟ ରହିଛି। ଯଦି କୌଣସି ସ୍ଥାନରେ ଏଭଳି ଅପରାଧ ଘଟୁଛି ତେବେ ଜିଲ୍ଲା ଶ୍ରମ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କ ଅବଗତ କରାଇ‌ବେ ଏବଂ ୧୦୯୮ ହେଲପଲାଇନ ନମ୍ବରରେ ସୂଚନା ଦେଇପାରିବେ ବ‌ୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି। ଏଥିସହ ରାଜ୍ୟରେ ଗତ ୨୯ ତାରିଖରୁ ଶିଶୁ ଶ୍ରମ ନିରୋଧ ଆଇନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳ‌େ ଏହା ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଅବସରରେ କୋରାପୁଟ ଜିଲ୍ଲାରେ ଜୁନ୍ ୩ ତାରିଖରେ ଏକ ସଚେତନତା ରାଲି ଓ ୧୦ ତାରିଖରେ ସତେନତତା ଶିବିର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସହକରୀ ଶ୍ରମ ଅଧିକାରୀ ପଦ୍ମଚରଣ ପଣ୍ଡା, ଚୈତନ୍ୟ ପ୍ରସାଦ ମାଝୀ, ଲେବର ଇନିସ୍ପେକ୍ଟର ପୂର୍ଣ୍ଣିମା ଡୁରୁକା, ପ୍ରୋଗ୍ରାମ ମ୍ୟାନେଜର ବିନାୟକ ସାନ୍ତ୍ରା, ସୁମନ ବେହେରା, ରିକୁ ଅଧିକାରୀ, ବିନ୍ଦିଆ ଖୋସଲା, ସସ୍ମିତା ବେହେରା, ରଶ୍ମି ନାୟକ ଓ ସ‌ୁରେଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର