କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) କ୍ୟାମ୍ପସରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନିଶୁଳ୍କ ସିଭିଲ୍ ସର୍ଭିସ୍ କୋଚିଂ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି । ସିୟୁଓର ଡ. ଆମ୍ବେଦକର ସେଣ୍ଟର ଅଫ୍ ଏକ୍ସଲେନ୍ସ (ଡିଏସିଇ) ଅଧୀନରେ ଏହା ହେଉଛି ଦ୍ୱିତୀୟ ବ୍ୟାଚ୍, ଯେଉଁଥିରେ ୭୮ ଜଣ (୭୮) ଛାତ୍ରଛାତ୍ରୀ ନିଶୁଳ୍କ ସିଭିଲ୍ ସର୍ଭିସ୍ କୋଚିଂ ପାଇବା ପାଇଁ ନାମ ଲେଖାଇଛନ୍ତି। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆଶା ବ୍ୟକ୍ତ କରିଛନ୍ତି ଯେ ଆଗାମୀ ବର୍ଷରେ ସିଭିଲ ସର୍ଭିସ ପରୀକ୍ଷାରେ ଏହି କେନ୍ଦ୍ର ଉତ୍କୃଷ୍ଟ ଫଳାଫଳ ପ୍ରଦର୍ଶନ କରିବ।
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ (ଏମଓଏସଜେଇ) ଦ୍ୱାରା ପ୍ରାୟୋଜିତ ଏବଂ ନୂଆଦିଲ୍ଲୀସ୍ଥିତ ଡ. ଆମ୍ବେଦକର ସେଣ୍ଟର ଅଫ୍ ଏକ୍ସଲେନ୍ସ ମାଧ୍ୟମରେ ଏସସି ଏବଂ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଏକ ବର୍ଷିଆ ୟୁପିଏସସି ସିଭିଲ ସର୍ଭିସ କୋଚିଂ କାର୍ଯ୍ୟକ୍ରମ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମରେ ଜଣେ କାର୍ଯ୍ୟକ୍ରମ ସଂଯୋଜକ ଓ ତିନି ଜଣ ଶିକ୍ଷକଙ୍କୁ ନେଇ ଗଠିତ ଏକ ଉତ୍ସର୍ଗୀକୃତ ଟିମ୍ କାର୍ଯ୍ୟ କରୁଛନ୍ତି।
୨୦୨୨-୨୩ ଶିକ୍ଷାବର୍ଷରେ ଚାଲିଥିବା ପ୍ରଥମ ବ୍ୟାଚ୍ କୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସଫଳତାର ସହ ଶେଷ କରାଯାଇଛି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଏହି ପ୍ରମୁଖ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅନୁସୂଚିତ ଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଅବହେଳିତ ଯୁବକମାନଙ୍କୁ ସଶକ୍ତ କରିବା । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥାଗତ ସାମାଜିକ ଦାୟିତ୍ୱବୋଧର ଏକ ଅଂଶ ଭାବରେ ଏହି ଅଞ୍ଚଳର ପଛୁଆ ବର୍ଗର ଉନ୍ନତି ପାଇଁ ଏହି ପଦକ୍ଷେପକୁ ହାତକୁ ନେଇଛି ବୋଲି ବିଶ୍ଵବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/34e39770-178c-482d-afae-34aba5aa5baf.jpeg)